December 3, 2024

Satya News

odia news channel

୨୦ରୁ ‘ବାତ୍ ବିହାରକି’

ନୂଆଦିଲ୍ଲୀ,୧୮/୨: ରାଜନୈତିକ ରଣନୀତିକାରରୁ ରାଜନେତା ବନିଥିବା ପ୍ରଶାନ୍ତ କିଶୋର ମଙ୍ଗଳବାର ପାଟନାରେ ବଡ଼ ଘୋଷଣା କରିଛନ୍ତି। ଜେଡି(ୟୁ)ରୁ ବହିଷ୍କୃତ ପ୍ରଶାନ୍ତ କିଶୋର ଏକ ସାମ୍ବାଦିକ ସମ୍ମିଳନୀରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ପ୍ରଶାନ୍ତ କିଶୋର କହିଛନ୍ତି, ନୀତିଶ କୁମାର ଗଡ୍‌ସେ ବିଚାରର ଲୋକଙ୍କ ପକ୍ଷ ନେଉଛନ୍ତି। ଗାନ୍ଧୀ ଓ ଗଡ୍‌ସେ ଏକାଠି କେମିତି ଯାଇପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାଛଡ଼ା ନୀତିଶ କୁମାର ବିହାରର ବିକାଶ କରିବାରେ ଅସଫଳ ହୋଇଛନ୍ତି ବୋଲି ସେ କହିଛନ୍ତି। ବିହାର ଆଜି ବି ଗରିବ ଅଛି ଏବଂ ଏବେ ଦେଶରେ କେହି ନୀତିଶଙ୍କ ଶାସନ ମଡେଲ ବାବଦରେ ଚର୍ଚ୍ଚା କରୁନାହାନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ଏହି ଅବସରରେ ସେ ‘ବାତ୍ ବିହାରକି’ ଅଭିଯାନର ଶୁଭାରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି। ଏଥିରେ ବିହାରର ବିକାଶ ଚାହୁଁଥିବା ଯୁବବର୍ଗଙ୍କୁ ଯୋଗଦେବା ଲାଗି ଆହ୍ବାନ ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ଏହି ଅଭିଯାନରେ ୧୦ ଲକ୍ଷ ଯୁବକଯୁବତୀଙ୍କୁ ସାମିଲ କରାଯିବାର ଯୋଜନା ରହିଛି। ୨୦ ତାରିଖରୁ ‘ବାତ୍ ବିହାରକି’ ଅଭିଯାନର ଶୁଭାରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି। ସେ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି।

Spread the love