March 27, 2025

ବଦଳିଲା ପିଜି ନାମଲେଖା କାର୍ଯ୍ୟସୂଚୀ, ୧୭ ଯାଏଁ ସାର୍ଟିଫିକେଟ୍‌ ଅପଲୋଡ୍‌ କରିପାରିବେ ବିଦ୍ୟାର୍ଥୀ – ୨୧ରେ ପ୍ରକାଶ ପାଇବ ରାଜ୍ୟସ୍ତରୀୟ ମେଧା ତାଲିକା

 

ଭୁବନେଶ୍ବର: ରାଜ୍ୟର ୬୮ଟି ଶିକ୍ଷାନୁଷ୍ଠାନ (ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟ)ର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମ ପାଇଁ ହୋଇଥିବା ଏକକ ପିଜି ପ୍ରବେଶିକାର ମେଧା ତାଲିକା ପ୍ରକାଶକୁ ପୁନର୍ବାର ପରିବର୍ତ୍ତନ କରାଯାଇଛି। ଏଥିସହ ସମସ୍ତ ପରୀକ୍ଷାର୍ଥୀ ସେମାନଙ୍କର ମାର୍କସିଟ୍‌ ଅପଲୋଡ୍‌ କରି ନଥିବାରୁ ଆଉଥରେ ମାର୍କସିଟ୍‌ ଅପଲୋଡ୍‌ ଅବଧି ବୃଦ୍ଧି କରାଯାଇଛି। ବାରମ୍ବାର ମେଧା ତାଲିକା ପ୍ରକାଶ ତାରିଖ ବଦଳୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ପରିବର୍ତ୍ତିତ ତାରିଖ ସମ୍ବନ୍ଧରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ବବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ, ପରୀକ୍ଷା ନିୟନ୍ତ୍ରକ ଓ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଛି। ଏନେଇ ବିଭାଗର ପରଫରମାନ୍ସ ଟ୍ରାକିଂ ସେଲ୍‌ ଅଧିକାରୀ ମିହିର କୁମାର ଦାସ ଚିଠି ଲେଖି ଅବଗତ କରିଛନ୍ତି।

ଆସନ୍ତା ୧୭ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସେମାନଙ୍କର ସ୍ନାତକ(ୟୁଜି) ମାର୍କସିଟ୍‌ ଅପଲୋଡ୍‌ କରିପାରିବେ। ସାର୍ଟିଫିକେଟ୍‌ ଅପଲୋଡ୍‌ ପାଇଁ ବିଭାଗ ପକ୍ଷରୁ ଏଥର ଛାତ୍ରଛାତ୍ରୀଙ୍କୁ ଶେଷ ସୁଯୋଗ ଦିଆଯାଇଛି। ରାଜ୍ୟର ମୋଟ ୨୮ଟି ପରୀକ୍ଷା କେନ୍ଦ୍ରରେ ଗତମାସ ୧୨ରୁ୨୨ ଯାଏଁ ପ୍ରବେଶିକା ଅନୁଷ୍ଠିତ ହୋଇଥିଲା।

ତେବେ ଉଚ୍ଚଶିକ୍ଷା ବିଭାଗ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଯୋଗସୂତ୍ର ଠିକ୍‌ ଭାବେ ରହୁ ନଥିବାରୁ ସ୍ନାତକ ଫଳ ପ୍ରକାଶ ଠିକ୍‌ ସମୟରେ ହୋଇପାରୁନି। ସାର୍ଟିଫିକେଟ୍‌ ଅପଲୋଡ୍‌ ଅବଧି ବାରମ୍ବାର ବଦଳିବା ଯୋଗୁଁ ନାମଲେଖା ଓ ମେଧା ତାଲିକା ପ୍ରକାଶରେ ବିଳମ୍ବ ହେଉଛି।

Spread the love