July 27, 2024

Satya News

odia news channel

ବନ ବିଭାଗର ବଡ଼ ଦୁର୍ନୀତି; ଭିଜିଲାନ୍ସ ପଞ୍ଝାରେ ୧୦ରୁ ଅଧିକ ଅଧିକାରୀ

 

ଭୁବନେଶ୍ୱର : ଆୟ ବର୍ହିଭୂତ ସମ୍ପର୍ତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଏବେ ଜେଲ୍‌ରେ ଦିନ କାଟୁଛନ୍ତି ଆଇଏଫ୍ଏସ୍ ଅଭୟକାନ୍ତ ପାଠକ। ଖାଲି ଅଭୟ ନୁହଁନ୍ତ ଗଲା କିଛି ବର୍ଷରେ ୧୦ରୁ ଅଧିକ ବନ ବିଭାଗ ଅଧିକାରୀ ଭିଜିଲାନ୍ସ ପଞ୍ଝାରେ କଏଦ ହୋଇଛନ୍ତି।

ଫରେଷ୍ଟରଙ୍କଠାରୁ ଡିଏଫ୍ଓ ଯାଏ ଅଳ୍ପ ବହୁତ ଅଧିକାରୀଙ୍କ ନାଁରେ ଲାଗିଛି ଦୁର୍ନୀତିର ଛିଟା। ହେଲେ ଗଞ୍ଜାମ ଜିଲ୍ଲା ଲିଙ୍କ୍ ଥିବା ଅଧିକାରୀଙ୍କ ତାଲିକା ଏବେ ଲମ୍ବା ହେବାରେ ଲାଗିଛି। ଦୁଇ ବର୍ଷରେ ୧୦ ଜଣ ଅଧିକାରୀଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ନିଜ ରାଡାରକୁ ଆଣିଛି। ଆଉ ଏହାପରେ ରାଜନୀତି ବି ଜୋର ଧରିଛି। ରାଜ୍ୟ ସରକାର ଓ ଭଞ୍ଜନଗର ବିଧାୟକ ତଥା ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀଙ୍କୁ ନିଶାନା କରିଛି ବିଜେପି।

ଦୁଇ ବର୍ଷରେ ଗାର୍ଡଠୁ ଆରମ୍ଭ କରି ଡିଏଫ୍ଓ  ଆୟ ବର୍ହିିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି।  ଖୋଦ୍ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀଙ୍କ ଜିଲ୍ଲାରେ ଏହି ତାଲିକା ବେଶ ଲମ୍ବା। ୨୦୧୮ରୁ ଏଯାଏ ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ଧରାପଡ଼ିଲେଣି ବନ ବିଭାଗର ୧୦ ଜଣ କର୍ମଚାରୀ ଓ ଅଧିକାରୀ।

କାହାକୁ ଲାଞ୍ଚ ନେଉଥିବା ବେଳେ ତ ପୁଣି କିଏ ଆୟଠୁ ଅଧିକ ସମ୍ପର୍ତ୍ତି ରଖିବା ଅଭିଯୋଗରେ ଭିଜିଲାନ୍ସ ରାଡାରକୁ ଆସିଛନ୍ତି। ଜିଲ୍ଲାରେ ଜଙ୍ଗଲ ବିଭାଗକୁ କୋଟି କୋଟି ଟଙ୍କା ଖର୍ଚ୍ଚ ପାଇଁ ଆସୁଛି। ହେଲେ ତାହା କେତେ ଖର୍ଚ୍ଚ ହେଉଛି ଓ ବାବୁଙ୍କ ପକେଟକୁ କେତେ ଯାଉଛି ତା ହିସାବ ଏବେ କରୁଛି ଭିଜିଲାନ୍ସ।

୧୬ ମେ ୨୦୧୮ରେ ପୁରୁଷୋତ୍ତମପୁର ବିଟ୍ ଅଞ୍ଚଳରେ ଫରେଷ୍ଟର୍ ଥିବା ଶିବ ବେହେରା ୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ। ୨୬ ଜୁନ୍ ୨୦୧୯ ବିକ୍ରମ କୁମାର ସାହୁ ବୌଦ୍ଧ କେନ୍ଦୁ ଲିଫ୍ ଡିଭିଜନ୍‌ରେ ମ୍ୟାନେଜର୍ ଭାବେ ଥିବା ବେଳେ ୧୨ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଧରିଥିଲା। ଖାଲି ସେତିକି ନୁହେଁ, ଚିଲିକା ରେଞ୍ଜର ଜୁନିୟର୍ ଆକାଉଣ୍ଟାଣ୍ଟ୍ ନବୀନ ବିଷୋୟୀ, ପାରାଳାଖେମୁଣ୍ଡିର ଫରେଷ୍ଟର୍ ଦିବାକର ଲେଙ୍କା… ଏମିତି ଲମ୍ବା ତାଲିକା ଭିଜିଲାନ୍ସ ପାଖରେ ରହିଛି।

ଏବେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ବିଜେପି ସିଧାସଳଖ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଟାର୍ଗେଟ କରିଛି। ଦୁର୍ନୀତି ଗସ୍ତ ଅଧିକାରୀଙ୍କ ସିଧା ସମ୍ପର୍କ ମନ୍ତ୍ରୀଙ୍କ ସହ ଥିବା ବିଜେପି ଆରୋପ ଲଗାଇଛି । ଏହାର ଜବାବ ବି ରଖିଛି ବିଜେଡି।
କୋଟିପତି ଆଇଏଫ୍ଏସ୍ ଅଭୟକାନ୍ତ ପାଠକ ୨୦୦୪ରୁ ୧୩ ଯାଏ ଗଞ୍ଜାମ ଦାୟିତ୍ୱରେ ଥିଲେ। ଏହାପୂର୍ବରୁ ୨୦୧୬ରେ ଗିରଫ ହୋଇଥିବା ଆଠଗଡ଼ ଡିଏଫ୍ଓ ସୁଧାଂଶୁ ମିଶ୍ର ବି ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟ କରିଛନ୍ତି। ଏଠୁ ବଦଳି ହେବା ପରେ ତାଙ୍କୁ ଗିରଫ କରିଥିଲା ଦୁର୍ନୀତି ନିବାରଣ ସଂସ୍ଥା। ବନ ବିଭାଗ ଅଧିକାରୀଙ୍କ ନାଁରେ ବଢ଼ୁଥିବା ଭିଜିଲାନ୍ସ ମାମଲା ଓ ତାସହ ଗଞ୍ଜାମ ଲିଙ୍କ୍ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

Spread the love