July 1, 2025

ଭାରତୀୟ କ୍ରିକେଟ୍‌ରଙ୍କ କରୋନା ରିପୋର୍ଟ ଆସିଲା ନେଗେଟିଭ୍, ଅଷ୍ଟ୍ରେଲିଆରେ ଅଭ୍ୟାସ ଆରମ୍ଭ କଲେ ଖେଳାଳି

 

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ୍ ଦଳ ଏବଂ ସହଯୋଗୀ କର୍ମଚାରୀଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି। ଏହା ପରେ ଶନିବାର ଭାରତୀୟ ଦଳ ଅଭ୍ୟାସ୍ ଆରମ୍ଭ କରିଛନ୍ତି। ନିକଟରେ ୟୁଏଇରେ ସଂପନ୍ନ ଆଇପିଏଲରେ ଭାଗ ନେଇଥିବା ହାର୍ଦ୍ଦିକ ପାଣ୍ଡ୍ୟା, ପୃଥ୍ଵୀ ସ ଓ ମହମ୍ମଦ ସିରାଜ ସମେତ ଅନେକ କ୍ରିକେଟ୍‌ର ଅଭ୍ୟାସ ସେସନରେ ଯୋଗ ଦେଇଛନ୍ତି। ବିସିସିଆଇ ଟ୍ଵିଟ୍‌ରରେ ଖେଳାଳିଙ୍କ ପଡିଆରେ ଅଭ୍ୟାସ୍‌ କରୁଥିବା ଏବଂ ଜିମ୍ ସେସନର ଫଟୋ ପୋଷ୍ଟ କରିଛି।

ଏଥିରେ ସ୍ପିନର କୁଲଦୀପ ଯାଦବ, ଦ୍ରୁତ ବୋଲର ଉମେଶ ଯାଦବ, ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଳ ଠାକୁର ଓ ଚେତେଶ୍ଵର ପୂଜାରା ଅଭ୍ୟାସ୍‌ କରିଛନ୍ତି। ଦ୍ରୁତ ବୋଲର ଟି ନଟରାଜନ ଓ ଦୀପକ ଚହର ମଧ୍ୟ  ଅଭ୍ୟାସରେ ଯୋଗ ଦେଇଛନ୍ତି। ଭାରତୀୟ ଦଳ ସଂପ୍ରତି ୧୪ ଦିନିଆ କ୍ଵାରେଣ୍ଟାଇନ୍‌ରେ ଅଛନ୍ତି ଏବଂ ପ୍ରଥମ ଯାଞ୍ଚ ରିପୋର୍ଟ ନେଗେଟିଭ୍ ଆସିଛି।

ଭାରତର ଅଷ୍ଟ୍ରେଲିଆ ଗସ୍ତ ନଭେମ୍ଵର ୨୭ରୁ ଆରମ୍ଭ ହୋଇ ଜାନୁଆରୀ ୧୯ରେ ସମାପ୍ତ ହେବ। ଭାରତୀୟ ଦଳ ନଭେମ୍ଵର ୨୭ରେ ଦିନିକିଆ ଶୃଙ୍ଖଳାରୁ ନିଜର ଗସ୍ତ ଆରମ୍ଭ କରିବ। ଏହା ପରେ ତିନି ଟି-୨୦ ଏବଂ ଚାରୋଟି ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏହି ଗସ୍ତରେ ଅଷ୍ଟ୍ରେଲିଆ ସରକାର ଖେଳାଳିଙ୍କୁ ପରିବାର ସହିତ ରହିବାକୁ ମଧ୍ୟ ଅନୁମତି ଦେଇଛନ୍ତି। କିନ୍ତୁ ସେମାନଙ୍କୁ ମଧ୍ୟ କ୍ଵାରେଣ୍ଟାଇନ୍‌ ପ୍ରୋଟୋକଲ ମାନିବାକୁ ପଡିବ। ରବିଚନ୍ଦ୍ରନ ଅଶ୍ଵିନ, ଚେତେଶ୍ଵର ପୂଜାରା ଓ ଆଜିଙ୍କ୍ୟ ରାହାଣେ ନିଜ ପତ୍ନୀ ଓ ପିଲାଙ୍କ ସହ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି।

Spread the love