July 27, 2024

Satya News

odia news channel

ଭୁବନେଶ୍ୱର ଏୟାରପୋର୍ଟରେ ଜାରି ହେଲା ନୂଆ SOP

 

ଭୁବନେଶ୍ୱର: ଭୁବନେଶ୍ୱର ଏୟାରପୋର୍ଟରେ ଜାରି ହେଲା ନୂଆ SOP। ବିଦେଶ ଫେରନ୍ତାଙ୍କ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ନୂଆ SOP ଜାରି ହୋଇଛି। ଲକ୍ଷଣ ଥିବା ୫୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ଯାତ୍ରୀଙ୍କ ଆଣ୍ଟିଜେନ୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି। ଏହାସହ ବିଦେଶ ଫେରନ୍ତା ଯାତ୍ରୀଙ୍କ ସୂଚନା ଦେବାକୁ ଏୟାରପୋର୍ଟ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ସୂଚନା ଦେବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଟର୍ମିନାଲ୍ ପରିସରରେ ବିଏମସି ପକ୍ଷରୁ ସ୍ୱତନ୍ତ୍ର କିଓସ୍କରେ ଯାତ୍ରୀଙ୍କୁ ଯାଞ୍ଚ କରାଯିବାକୁ ନିର୍ଦ୍ଦେଶ ଜାରି ହୋଇଛି।

ତେବେ ବ୍ରିଟେନ୍‌ରେ କରୋନା ଭାଇରସର ନୂଆ ରୂପ ମିଳିବା ପରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଡିସେମ୍ବର ୨୨ ରାତିରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ବ୍ରିଟେନରୁ ଆସୁଥିବା ସବୁ ଫ୍ଲାଇଟ ଉପରେ ଭାରତ ପ୍ରତିବନ୍ଧକ ଲଗାଇଛି।  ୨୨ ଡିସେମ୍ବର ରାତିରେ ଆସୁଥିବା ଫ୍ଲାଇଟ ଉପରେ ସରକାର ସତର୍କ ଦୃଷ୍ଟି ରଖିଛନ୍ତି। ଏସବୁ ଭିତରେ ସୋମବାର ରାତିରେ ଲଣ୍ଡନରୁ ଆସିଥିବା ଫ୍ଲାଇଟ୍‌ରେ ୬ ଜଣ ଯାତ୍ରା କୋଭିଡ ସଂକ୍ରମିତ ଥିବା ଜଣାଯାଇଛି ଯାହା ସମସ୍ତଙ୍କର ଚିନ୍ତା ବଢାଇ ଦେଇଛି।

ଜଣେ ନୋଡାଲ ଅଧିକାରୀଙ୍କ କହିବା ଅନୁଯାୟୀ, ଲଣ୍ଡନରୁ କାଲି ରାତି ୧୦ଟା ୪୦ରେ ଆସିଥିବା ଏୟାର ଇଣ୍ଡିଆର ଫ୍ଲାଇଟ ୨୬୬ ଯାତ୍ରୀଙ୍କୁ ନେଇ ଆସିଥିଲା। ଏମାନଙ୍କ ମଧ୍ୟରୁ ୬ ଯାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତ ଯାତ୍ରୀଙ୍କୁ କୋଭିଡ କେୟାର ସେଣ୍ଟରକୁ ପଠାଇ ଦିଆଯାଇଛି। ସମସ୍ତ ପଜିଟିଭ ଯାତ୍ରୀଙ୍କ ନମୂନା ପରୀକ୍ଷଣ କରାଯାଇଛି। ଏହି ନମୁନାକୁ NCDCକୁ ଅଧିକ ଗବେଷଣା ପାଇଁ ପଠାଯିବ।

ମିଳିଥିବା ସୂଚନା ଅନୁଯାୟୀ, ଫ୍ଲାଇଟ୍‌ରେ ଥିବା ଅନ୍ୟ ଯାତ୍ରୀଙ୍କୁ ୭ ଦିନ କ୍ୱାରେଣ୍ଟିନ୍‌ରେ ରହିବା ବାଧ୍ୟତାମୂଳକ କରାଯାଇଛି। ଜିଲ୍ଲା ଅଫିସରେ ଏହାର ସମସ୍ତ ତଥ୍ୟ ରହିବ। ପ୍ରତିଦିନ ଘଟଣାର ସମୀକ୍ଷା କରାଯିବ। କ୍ୱାରେଣ୍ଟିନରେ ରହିବାର ୬ଷ୍ଠ ଦିନ ସମସ୍ତଙ୍କର ପୁନର୍ବାର ପରୀକ୍ଷା କରାଯିବ।

ସୂଚନାଥାଉ କି, ସୋମବାର ଜଏଣ୍ଟ ମନିଟରିଂ ଗ୍ରୁପ୍‌ର ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ବ୍ରିଟେନ୍‌ରୁ ଆସୁଥିବା ସମସ୍ତ ଫ୍ଲାଇଟ୍‌ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଛି। ଏହି ନିଷ୍ପତି ଡିସେମ୍ବର ୨୨ ରାତି ୧୧ଟା ୫୯ରୁ କାର୍ଯ୍ୟକାରୀ ହେବ।

ଏହି ନିଷ୍ପତ୍ତିରେ ଏକଥା ମଧ୍ୟ କୁହାଯାଇଛି, ବ୍ରିଟେନରୁ ଆସୁଥିବା ସବୁ ବିମାନ ଯାତ୍ରୀଙ୍କ RTPCR ଟେଷ୍ଟ କରାଯିବ। ସଂକ୍ରମିତ ଲୋକଙ୍କୁ କ୍ୱାରେଣ୍ଟିନ୍‌କୁ ପଠାଇ ଦିଆଯିବ। କିନ୍ତୁ ନେଗେଟିଭ ଆସିଥିବା ଲୋକଙ୍କୁ ୭ ଦିନ ହୋମ ଆଇସୋଲେଶନରେ ରହିବା ପାଇଁ ପରାମର୍ଶ ଦିଆଯିବ। ସରକାରଙ୍କ ପକ୍ଷରୁ ମେଡିକାଲ ମନିଟିରିଂରେ ଏମାନେ ରହିବାକୁ ପଡ଼ିବ।

ସୂଚନାଥାଉ କି, ୟୁକେରେ କରୋନାର ନୂଆ ଷ୍ଟ୍ରେନ୍  ଆତଙ୍କ ସୃଷ୍ଟି କରିଥିବାବେଳେ  ସରକାର ସଂକ୍ରମଣକୁ ରୋକିବା ପାଇଁ କଡ଼ା ପଦକ୍ଷେପ ନେଇଛନ୍ତି। ଲୋକଙ୍କୁ ସଚେତନ କରାଇବା ସହ ଲୋକଙ୍କୁ ଘରୁ ବାହାରିବା ଉପରେ ଲକଡାଉନ କଟକଣା ଜାରି କରିଛନ୍ତି ବ୍ରିଟେନ୍ ସରକାର। ବଡ଼ଦିନ ପାଇଁ ସଂପର୍କୀୟଙ୍କୁ ଏକାଠି ହେବା ଉପରେ ମଧ୍ୟ କଟକଣା ଲଗାଯାଇଛି। ଏହାସହ ଅଣଅତ୍ୟାବଶ୍ୟକ ଦୋକାନ ନଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ବହୁ ୟୁରୋପୀୟ ଦେଶ ବ୍ରିଟେନକୁ ବିମାନ ଉଡ଼ାଣ ଉପରେ ନିଷେଧାଦେଶ ଜାରି କରିଛନ୍ତି।

Spread the love