ଭୁବନେଶ୍ୱର,୭/୨: ବିଦ୍ୟୁତ୍ ଦେୟ ବକେୟା ରଖିଥିବା ବ୍ୟବସାୟିକ ସଂସ୍ଥାର ବିଦ୍ୟୁତ୍ ସେବା ବିଚ୍ଛିନ୍ନ ପ୍ରକ୍ରିୟାକୁ ସେସୁ ଆଗାମୀ ୧୦ ଦିନ ପାଇଁ ବନ୍ଦ ରଖିଛି। ଫେବୃଆରୀ ୬ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ବ୍ୟବସାୟିକ ସଂସ୍ଥାକୁ ବିଦ୍ୟୁତ୍ ଦେୟ ପୈଠ କରିବା ପାଇଁ ସୁଯୋଗ ଦେବା ଉଦ୍ଦେଶ୍ୟରେ ସେସୁ ସାମୟିକ ଭାବେ ସେବା ବିଚ୍ଛିନ୍ନ ପ୍ରକ୍ରିୟାକୁ ବନ୍ଦ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ସେସୁ ସର୍ବମୋଟ ୧୮ ଦିନ କାର୍ଯ୍ୟାନୁଷ୍ଠାନ କରି ୭୨ କୋଟି ୬୬ ଲକ୍ଷ ଟଙ୍କା ଆଦାୟ କରିଛି। ଏଥିସହ ୨୧ହଜାର ୩୩୯ଟି ବ୍ୟବସାୟିକ ସଂସ୍ଥାରୁ ବିଦ୍ୟୁତ୍ ସେବା ବିଚ୍ଛିନ୍ନ କରିଥିବା ଜଣାପଡ଼ିଛି। ଏଯାବତ୍ ବିଦ୍ୟୁତ୍ ସେବା ବିଚ୍ଛିନ୍ନ କରାଯାଇଥିବା ସଂସ୍ଥାଗୁଡ଼ିକ ମଧ୍ୟରୁ ୯୩୪୧ ସଂସ୍ଥା ବିଦ୍ୟୁତ୍ ଦେୟ ପୈଠ କରି ପୁନଶ୍ଚ ବିଦ୍ୟୁତ୍ ସେବା ଫେରି ପାଇଥିବା ସୂଚନା ମିଳିଛି। ସେହିଭଳି ଏହି କାର୍ଯ୍ୟାନୁଷ୍ଠାନରେ ୪୮୦ଟି ସ୍ୱତନ୍ତ୍ର ସ୍କ୍ୱାଡ୍ ସେସୁ ଅଧୀନ ସମସ୍ତ ୨୪୭ ବିଭାଗର ୧ ଲକ୍ଷ ୬୨ ହଜାର ୮୦୧ ଦେୟ ଖିଲାପୀ ଗ୍ରାହକଙ୍କ ନିକଟରେ ପହଞ୍ଚିଛନ୍ତି। ଏହି ବିଦ୍ୟୁତ୍ ଗ୍ରାହକଙ୍କ ମଧ୍ୟରୁ ୩୫ ହଜାର ୨୭୭ଜଣ ପୁନଶ୍ଚ ବିଦ୍ୟୁତ୍ ବିଲ୍ ଯାଞ୍ଚ କରିବା ପାଇଁ ଆବେଦନ କରିଥିବାବେଳେ ୧ ଲକ୍ଷ ୬୯୪ ଜଣ ଗ୍ରାହକ କିସ୍ତିରେ ଦେୟ ପୈଠ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି। ଆସନ୍ତା ୧୬ ତାରିଖ ପୂର୍ବରୁ ସମସ୍ତ ବିଲ୍କୁ ସାନି ଯାଞ୍ଚ କରି ଗ୍ରାହକଙ୍କୁ ନୂଆ ରିପୋର୍ଟ ଦେବା ନେଇ ସେସୁ ଦୃଢ଼ୋକ୍ତି କରିଛି।
More Stories
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍
ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ
ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ