January 16, 2025

ଦୀର୍ଘବର୍ଷ ପରେ ଓବିସି କମିଶନ ଗଠନକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ଭୁବନେଶ୍ୱର,୧୪/୧: ରାଜ୍ୟ ସରକାର ବୁଧବାର ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିସନ ଗଠନ କରିଛନ୍ତି। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ରଘୁନାଥ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ଓବିସି କମିସନ୍। ପ୍ରଫେସର ଡ. ନବନୀତା ରଥ ଓ ପ୍ରଫେସର୍‌ ଡ. ମିତାଲି ଚିନ୍ନାରା ଏବଂ ଡ. ପ୍ରସନ୍ନ କୁମାର ପାତ୍ର ଏହାର ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ଆଇଏଏସ୍‌ ଅଧିକାରୀ ବୀର ବିକ୍ରମ ଯାଦବ ଓବିସି କମିସନର ସଦସ୍ୟ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ମାତ୍ର ଦୀର୍ଘବର୍ଷ ପରେ ରାଜ୍ୟରେ ତରବରିଆ ଭାବେ ଓବିସି କମିଶନ ଗଠନ କରିବାକୁ ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ଗୁରୁବାର ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଛି। କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରି ୨୦୧୧ ମସିହାରେ ରାଜ୍ୟ ସରକାରଙ୍କୁ ୬ମାସ ମଧ୍ୟରେ ଓବିସି କମିସନ୍ ଗଠନ କରିବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ କେଉଁ କାରଣରୁ ୯ବର୍ଷ ପର୍ଯ୍ୟନ୍ତ ସରକାର ଚୁପ୍ ବସିଥିଲେ ବୋଲି ଦଳ ପ୍ରଶ୍ନ କରିଛି। ଦଳୀୟ ନେତା ସତ୍ୟପ୍ରକାଶ ନାୟକ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ରାଜ୍ୟ ସରକାର ସନ୍ଧ୍ୟାବେଳେ ଅତି ତରବରିଆ ଭାବରେ ଓବିସି ଗଠନ କରି ଯେଉଁ ବାହାବା ନେବାକୁ ବସିଛନ୍ତି ତାହା ଆଜି ଧରାପଡ଼ିଯାଇଛି। ୨୦୦୬ ମସିହାରୁ ଏ ରାଜ୍ୟ ସରକାର ଓବିସି କମିଶନକୁ ଅଚଳ କରି ରଖିଥିଲେ। ୨୦୧୧ ମସିହାରେ ମାନ୍ୟବର ଓଡ଼ିଶା ହାଇକୋର୍ଟ ସରକାରଙ୍କୁ ଓବିସି କମିଶନ ଗଠନ କରିବାପାଇଁ ୬ମାସ ସମୟ ଦେଇଥିଲେ। କିନ୍ତୁ ଏହା ଭିତରେ ୯ବର୍ଷ ବିତିଥିଲାବେଳେ କୋର୍ଟଙ୍କ ନିର୍ଦ୍ଦେଶକୁ ସରକାର ଖୁଲମଖୁଲା ଅବମାନନା କରିଚାଲିଥିଲେ। କଂଗ୍ରେସ ଏହି ପ୍ରସଙ୍ଗରେ ପ୍ରଶ୍ନ ପଚାରିବାର ପାଖାପାଖି ମାସେ ପରେ ତରବରିଆ ଭାବରେ କିପରି ଓବିସି କମିଶନ ଗଠନ କଲେ ସେ ନେଇ ପିସିସି ପକ୍ଷରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ଏହି ପ୍ରସଙ୍ଗରେ ସେ ଆରଏସଏସ ଓ କେନ୍ଦ୍ରର ବିଜେପି ସରକାରର ଦଳିତ ଓ ପଛୁଆବର୍ଗ ବିରୋଧୀ ମନୋଭାବକୁ ମଧ୍ୟ ସମାଲୋଚନା କରିଛନ୍ତି।

Spread the love