July 26, 2024

Satya News

odia news channel

ସାମ୍ବିଧାନିକ ପୀଠ ନିର୍ଦ୍ଧାରଣ କରିବେ ସିଏଏ ଭାଗ୍ୟ । କେନ୍ଦ୍ରକୁ ୪ ସପ୍ତାହରେ ଜବାବ ଦାଖଲ ନିର୍ଦ୍ଦେଶ

ସାମ୍ବିଧାନିକ ପୀଠ ନିର୍ଦ୍ଧାରଣ କରିବେ ସିଏଏ ଭାଗ୍ୟ ।
କେନ୍ଦ୍ରକୁ ୪ ସପ୍ତାହରେ ଜବାବ ଦାଖଲ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨ ।୧: ଦେଶରେ ଜାନୁୟାରୀ ୧୦ରୁ ଲାଗୁ ହୋଇଥିବା ନାଗରିକତା ସଂଶୋଧନ ଆଇନ (ସିଏଏ), ୨୦୧୯ ଉପରେ ଏବେ ସ୍ଥଗିତାଦେଶ ଜାରି ହେବ ନାହିଁ । ଏନେଇ ବୁଧବାର (୨୨ ତାରିଖରେ) ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ଏଥିସହ ସିଏଏର ବୈଧତାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା ୧୪୦ରୁ ଊର୍ଦ୍ଧ୍ୱ ପିଟିଶନର ଶୁଣାଣି କରି ଅଦାଲତ କେନ୍ଦ୍ର ସରକାରଙ୍କୁ ଜବାବ ଦାଖଲ ପାଇଁ ୪ ସପ୍ତାହ ସମୟ ଦେଇଛନ୍ତି । ୫ ସପ୍ତାହ ପରେ ଉକ୍ତ ପିଟିଶନଗୁଡ଼ିକର ଶୁଣାଣି କରି ଅନ୍ତରୀଣ ରାୟ ଦେବେ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌.ଏ. ବୋବଡେ, ଏସ.ଏ. ନଜରି ଓ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି । ତେବେ ଅନ୍ତରୀଣ ରାୟ ସାମ୍ବିଧାନିକ ପୀଠ ଦ୍ୱାରା ହିଁ ପ୍ରଦାନ କରାଯିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ।
ସୂଚନାଯୋଗ୍ୟ ଯେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧାର୍ମିକ ଅତ୍ୟାଚାରର ଶିକାର ହୋଇ ୨୦୧୪ ଡିସେମ୍ବର ୩୧ ସୁଦ୍ଧା ଭାରତକୁ ଆସିଥିବା ଅଣମୁସଲିମ ସଂଖ୍ୟାଲଘୁଙ୍କୁ ଆମ ଦେଶରେ ନାଗରିକତା ପ୍ରଦାନ ପାଇଁ କେନ୍ଦ୍ର ସରକାର ଏହି ଆଇନ ପ୍ରଣୟନ କରିଛନ୍ତି । ଏଥିରେ ମୁସଲମାନ ସମ୍ପ୍ରଦାୟକୁ ସାମିଲ କରାଯାଇ ନଥିବାରୁ ଏହାକୁ କେତେକ ରାଜନୈତିକ ଦଳ ଓ ବ୍ୟକ୍ତିବିଶେଷ ବିରୋଧ କରୁଛନ୍ତି । ଏହି ଆଇନ ଉପରେ ରହିତାଦେଶ ଜାରି କରିବା ପାଇଁ ସୁପ୍ରିମକୋର୍ଟରେ ୧୪୩ଟି ପିଟିଶନ ଦାଏର ହୋଇଛି ।

Spread the love