July 27, 2024

Satya News

odia news channel

ତପ୍ତପାଣି ଘଟିରେ ଖସିପଡିଲା ବସ୍: ୮ ମୃତ, ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଗଞ୍ଜାମ,୨୯/୧: ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟିରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବସ୍ ଦୁର୍ଘଟଣା ଘଟିଛି। ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ସ୍ଥଳରେ ୫ ଓ ମେଡିକାଲରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିରେ ୩୦ରୁ ଊର୍ଦ୍ଧ୍ୱ ଗୁରୁତର ଭାବେ ଆହତ ହୋଇଥିବାବେଳେ ସେମାନଙ୍କୁ ଉଦ୍ଧାର ଦିଗପହଣ୍ଡି ଓ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଦମକଳ ବାହିନୀ ଏବେ ମଧ୍ୟ ଉଦ୍ଧାର ଜାରି ରଖିଛନ୍ତି। ଘଞ୍ଚ ଜଙ୍ଗଲ ଓ ପାଣି ଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସୂଚନାନୁଯାୟୀ, ଯାତ୍ରୀବାହୀ ବସଟି ରାୟଗଡାରୁ ବ୍ରହ୍ମପୁରକୁ ଆସୁଥିଲା। ରାତିରେ ଘନ କୁହୁଡି ସହ ବସ୍ ବ୍ରେକ୍ ଫେଲ ହେବାରୁ ତାହା ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ୨୫ ଫୁଟ ତଳକୁ ଘାଟିରୁ ଖସିପଡିଥିଲା। ଅନ୍ୟ ପକ୍ଷରେ ଏହି ଦୁର୍ଘଟଣା ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖିଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜୋରଦାର ହେଉଥିବା ସେ କହିଛନ୍ତି। ବସକୁ ୩ ଖଣ୍ଡ କରି ଆହତଙ୍କୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ୟାସ୍‌ କଟରରେ ବସ୍‌କୁ କାଟି ଲୋକଙ୍କୁ ବାହାର କରାଯାଉଛି। ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବାକୁ ନିର୍ଦେଶ ଦିଆଯାଇଛି। ତପ୍ତପାଣି ଘାଟିକୁ ବ୍ଲାକସ୍ପଟ ଭାବେ ଚିହ୍ନଟ କରାଯାଇଥିବାବେଳେ କୁହୁଡି ପାଇଁ ଏଭଳି ଦୁର୍ଘଟଣା ଘଟିଥିବା ମନ୍ତ୍ରୀ କହିଛନ୍ତି। ଏଥିସହ ସେ ଏହି ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଆରଟିଓ ଏବଂ ଏମଭିଆଇ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଥିବା ଜଣାପଡ଼ିଛି।

Spread the love