July 27, 2024

Satya News

odia news channel

ସପ୍ତାହକୁ ୫ ଦିନ କାମ କରିବେ ମହାରାଷ୍ଟ୍ରର ସରକାରୀ କର୍ମଚାରୀ

ମୁମ୍ବାଇ,୧୩/୨: ଏଣିକି ମହାରାଷ୍ଟ୍ରର ସରକାରୀ କର୍ମଚାରୀମାନେ ସପ୍ତାହକୁ ୫ ଦିନ କାମ କରିବେ। ସେମାନେ ସପ୍ତାହକୁ ୨ଦିନ ଛୁଟି ପାଇବେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଫେବୃଆରୀ ୨୯ରୁ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ସୂଚନା ମିଳିଛି। ସୂଚନାନୁଯାୟୀ, ମହାରାଷ୍ଟ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଏବେ ଦ୍ୱିତୀୟ ଓ ଚତୁର୍ଥ ଶନିବାର ଛୁଟି ପାଉଛନ୍ତି। ମୋଟ୍ ୨୦ ଲକ୍ଷ ଅଧିକାରୀ ଓ କର୍ମଚାରୀଙ୍କୁ ଏହି ସୁବିଧା ମିଳୁଛି। ଅନ୍ୟପକ୍ଷରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ଏବଂ ଅନ୍ୟ କେତେକ ସଂରକ୍ଷିତ ବର୍ଗଙ୍କ ପାଇଁ କାର୍ଯ୍ୟ କରୁଥିବା ବିଭାଗ ଏଣିକି ବହୁଜନ କଲ୍ୟାଣ ବିଭାଗ ନାମରେ ନାମିତ ହେବ ବୋଲି କ୍ୟାବିନେଟ୍‌ରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିସହ ଫେବୃଆରୀ ୧୯ ଛତ୍ରପତି ଶିବାଜୀ ମହାରାଜାଙ୍କ ଜନ୍ମ ତାରିଖରୁ ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ ହେବ ବୋଲି କ୍ୟାବିନେଟ୍‌ରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏ ନେଇ ଖୁବ୍‌ଶୀଘ୍ର ବିଜ୍ଞପ୍ତି ଜାରି କରାଯିବ ବୋଲି ଜଣାପଡ଼ିଛି।

Spread the love