September 14, 2025

ହାଫିଜ୍ ସୟିଦ୍‌କୁ ୧୧ ବର୍ଷ ଜେଲ୍‌

ଇସଲାମାବାଦ,୧୩/୨: ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ପ୍ରତିଷ୍ଠାତା ହାଫିଜ୍ ସୟିଦ୍‌କୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ସମ୍ପର୍କିତ ଦୁଇଟି ମାମଲାରେ ପାକିସ୍ତାନର ଏକ କୋର୍ଟ ବୁଧବାର ୧୧ବର୍ଷ ଜେଲ୍ ଦଣ୍ଡାଦେଶ କରିଛନ୍ତି। ଗତବର୍ଷ ଗିରଫ ହୋଇଥିବା ହାଫିଜ୍ ସୟିଦ୍‌କୁ ଏହି ମାମଲାରେ ପ୍ରଥମଥର ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ନିରୋଧ ଅନ୍ତର୍ଜାତୀୟ ସଂଗଠନ ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କଫୋର୍ସ(ଏଫ୍‌ଏଟିଏଫ୍‌)ର ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ହାଫିଜ୍ ବିରୋଧରେ ଏଭଳି ଦଣ୍ଡାଦେଶ ହୋଇଛି। ଅନ୍ୟପକ୍ଷରେ ପାକିସ୍ତାନକୁ ଏଫ୍‌ଏଟିଏଫ୍ ଗ୍ରେ ଲିଷ୍ଟରେ ଅନ୍ତର୍ଭୁକ୍ତ କରିଥିବାରୁ ଇସଲାମାବାଦ ହାଫିଜ୍ ସୟିଦ୍ ବିରୋଧରେ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ଏ ସମ୍ପର୍କରେ ପାକିସ୍ତାନର ଏକ ଆତଙ୍କବାଦ ନିରୋଧ କୋର୍ଟର ଜଣେ ଅଧିକାରୀ କହିଛନ୍ତି, ଆତଙ୍କୀଙ୍କୁ ପାଣ୍ଠି ଯୋଗାଣ ଘଟଣାରେ ହାଫିଜ୍ ସୟିଦ୍ ବିରୋଧରେ ଲାହୋର ଓ ଗୁଜରାନୱାଲାରେ ଦୁଇଟି ମାମଲା ରୁଜୁ ହୋଇଥିଲା। କୋର୍ଟ ଏହି ଦୁଇ ମାମଲାରେ ହାଫିଜ୍ ସୟିଦ୍‌କୁ ସାଢ଼େ ୫ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ କରିବା ସହ ୧୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦେଶ କରିଛନ୍ତି। ଅର୍ଥାତ୍ ହାଫିଜ୍ ସୟିଦ୍‌କୁ ମୋଟ ୧୧ ବର୍ଷ ଜେଲ୍ ଓ ୩୦ ହଜାର ଟଙ୍କା ଜୋରିମାନା କରାଯାଇଛି।

Spread the love