February 16, 2025

କରୋନା କଟକଣା ଯୋଗୁ ମା’ ଦୁର୍ଗାଙ୍କୁ ଅନ୍‌ଲାଇନ୍‌ରେ ଦର୍ଶନ କଲେ ଭକ୍ତ‌

ଭୁବନେଶ୍ୱର: ଧରା ପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମାଆ, ହେଲେ ଚର୍ମଚକ୍ଷୁରେ ଦର୍ଶନ କରିପାରୁନି ଭକ୍ତ। ମହାମାରୀ ସାଙ୍ଗକୁ ପ୍ରଶାସନର କଠୋର କଟକଣା ଭକ୍ତ ଓ ଭଗବାନଙ୍କ ଭିତରେ ପ୍ରତିବନ୍ଧକ ସାଜିଛି। ମଣ୍ଡପରେ ପରଦା ପଛରେ ମାଆ ଆଉ ଘରେ ଅନ୍‌ଲାଇନରେ ଦର୍ଶନ କରୁଛିନ୍ତି ଭକ୍ତ। ଆଜି ମଣ୍ଡପରେ ମହାଷ୍ଟମୀ ପୂଜା ହୋଇଥିବା ବେଳେ ପୀଠରେ ମାଆଙ୍କର ହୋଇଛି ମହାନବମୀ ପୂଜା।

ମହାମାୟାଙ୍କ ମହାଷ୍ଟମୀ, ବାଜୁଛି ତୁରୀ ମହୁରୀ ମୃଦଙ୍ଗ ଶବ୍ଦ ଓ ମନ୍ତ୍ର ଉଚ୍ଚାରଣରେ କମ୍ପୁଛି ପୂଜା ମଣ୍ଡପ। ପରଦା ଆଢୁଆଳରେ ଚାଲିଛି ମାଆଙ୍କ ଆରାଧନା। ଆଜି ଭୋରରୁ ମହାଷ୍ଟମୀ ଥିବାରୁ ମଣ୍ଡପରେ ସୂର୍ଯ୍ୟପୂଜା, ଗୁରୁପୂଜା, ନବଯୋଗିନୀ ଓ ଭୈରବୀ ପୂଜା କରାଯାଇଥିଲା।

ଏହାପରେ ଅଷ୍ଟମୀ ଓ ନବମୀର ସନ୍ଧୀକ୍ଷଣରେ ମାଆଙ୍କ ନିକଟରେ ସନ୍ଧୀପୂଜା ସହ ଦିଆଯାଇଥିଲା ପାଣି କଖାରୁ ବଳି। ମହିଳାମାନେ ମାନସିକ ରଖି ପ୍ରଦାନ କରିଥିବା ଶାଢ଼ି ମାଆଙ୍କ ନିକଟରେ ପୂଜା କରାଯାଇଥିଲା। ତେବେ କୋଭିଡ୍ କଟକଣା ଯୋଗୁଁ କଟକରୁ ଭୁବନେଶ୍ୱର, ବ୍ରହ୍ମପୁରରୁ ରାଉରକେଲା ସବୁଠି ମଣ୍ଡପ ଖାଁ ଖାଁ। ପରଦା ଆଢୁଆଳରେ ମାଆଙ୍କ ଆରାଧନା ଚାଲିଥିବା ବେଳେ ବାହାରେ ପୁଲିସ ପହରା। ମାଆଙ୍କ ଦର୍ଶନ ନପାଇ ନିରାଶ ହୋଇଥିବା ଭକ୍ତଙ୍କ ପାଇଁ କିଛି ପୂଜା ମଣ୍ଡପରେ ହୋଇଛି ଅନ୍‌ଲାଇନ ଦର୍ଶନ ବ୍ୟବସ୍ଥା। ଯାହାଫଳରେ ସିଧାସଳଖ ମଣ୍ଡପକୁ ଯାଇନପାରି ଅନ୍‌ଲାଇନ୍‌ରେ ମାଆଙ୍କୁ ଦର୍ଶନ କରୁଛନ୍ତି ଭକ୍ତ।

Spread the love