July 27, 2024

Satya News

odia news channel

କୋଇଲା ଦୁର୍ନୀତି ମାମଲାରେ ୪ ରାଜ୍ୟର ୪୫ଟି ସ୍ଥାନରେ ସିବିଆଇ ଚଢ଼ାଉ

 

ନୂଆଦିଲ୍ଲୀ: ବେଆଇନ ଖଣି ଖନନ ଏବଂ ‘ଇଷ୍ଟର୍ଣ୍ଣ କୋଲ୍‌ଫିଲ୍‌ଡ୍‌ସ୍‌ ଲିମିଟେଡ୍‌’ର କୁନୁସ୍ତୋରିଆ ଏବଂ କାଜୋରିଆ କୋଇଲା ‌କ୍ଷେତ୍ର ଅଞ୍ଚଳରୁ କୋଇଲା ଚୋରି ଘଟଣାରେ ଶନିବାର ଦିନ ‘ସେଣ୍ଟ୍ରାଲ୍‌ ବ୍ୟୁରୋ ଅଫ୍ ଇନ୍‌ଭେଷ୍ଟିଗେସନ୍’ (ସିବିଆଇ) ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ଏବଂ ବିହାର ଆଦି ଚାରିଟି ରାଜ୍ୟର ୪୫ଟି ସ୍ଥାନରେ ଚଢ଼ାଉ କରିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

‘ଇଷ୍ଟର୍ଣ୍ଣ କୋଲ୍‌ଫିଲ୍‌ଡ୍‌ସ୍‌ ଲିମିଟେଡ୍‌’ର ଦୁଇ ଜଣ ବରିଷ୍ଠ କର୍ମଚାରୀ, ରେଳବାଇର କେତେକ ଅଜ୍ଞାତ କର୍ମଚାରୀ ଏବଂ ଅନ୍ୟମାନଙ୍କ ବିରୋଧରେ ଶୁକ୍ରବାର ଦିନ ଅନିୟମିତତା ଅଭିଯୋଗ କରି ‘ଏଫ୍‌ଆଇଆର୍‌’ ଦାଏର କରାଯିବା ପରେ ଆଜି ତଲାସ ଅଭିଯାନ ଆରମ୍ଭ ହୋଇଛି। ‘ସିବିଆଇ’ ଟିମ୍ ବର୍ତ୍ତମାନ କେତେକ ଅଭିଯୁକ୍ତଙ୍କ ଘର ଏବଂ କମ୍ପାନିରେ ତଲାସ ଚଳାଇଛି।

ଦୁଇଜଣ ‌ଜେନେରାଲ୍‌ ମ୍ୟାନେଜର୍, ଦୁଇଜଣ ଅନ୍ୟ ଅଧିକାରୀ ଏବଂ ମୁଖ୍ୟ ନିରାପତ୍ତା ଅଧିକାରୀଙ୍କ ସହଯୋଗରେ ‘ଇସିଏଲ୍‌ ଲାଇନ୍‌ସ୍‌’ରେ ବ୍ୟାପକ ପରିମାଣର କୋଇଲା ଚୋରି ହେଉଥିବା ଅଭିଯୋଗ ହୋଇଛି। ଏମାନଙ୍କ ବ୍ୟତିରେକେ, ଅନୁପ ମାଝୀ ନାମକ ଜଣେ ଅଣକର୍ମଚାରୀ ମଧ୍ୟ ଏଥିରେ ସମ୍ପୃକ୍ତ ଥିବା କୁହାଯାଉଛି।

ପଶ୍ଚିମବଙ୍ଗର ଅନୁପ ହେଉଛନ୍ତି ଏହି ଅନୈତିକ ଅଭିଯାନର ‘କିଙ୍ଗ୍‌ପିନ୍‌’। ସମ୍ପ୍ରତି ଆସାନସୋଲେ ରହୁଥିବା ଶ୍ରୀ ମାଝୀ ଏବଂ ତାଙ୍କ ସହଯୋଗୀମାନଙ୍କ ଘର ଓ କାର୍ଯ୍ୟାଳୟ ତଲାସ ଚାଲିଛି।

Spread the love