October 24, 2024

Satya News

odia news channel

କୋଟା ହସ୍ପିଟାଲରେ ଆଖି ବୁଜିଲେଣି ଶତାଧିକ ପିଲା, ଶିଶୁ ମଡ଼କ ପାଇଁ ଦାୟୀ କିଏ?


କୋଟା ହସ୍ପିଟାଲରେ ଶିଶୁ ମଡ଼କ: ଅଭାବ ନା ଅବହେଳା, ଦାୟୀ କିଏ?

ମୁଁ ମୋ ପିଲାର ନିମୋନିଆ ଚିକିତ୍ସା ପାଇଁ ଏଠାରୁ ୧୦ କି.ମି. ଦୂରରୁ ଆସିଛି । ରାସ୍ତାରେ ଏତେ ଶୀତ ହେଉଥିଲା ଯେ ପିଲାର ନିଃଶ୍ୱାସ ପ୍ରଶ୍ୱାସର ଗତି ବଢ଼ିବାରେ ଲାଗିଲା । ଛୁଆର ଅବସ୍ଥା ଦେଖି ଭୟ ଲାଗୁଥିଲା… ।

ଏହି ଭାଷା ଥିଲା ମୋହନ ମେଘୱାଲଙ୍କର, ଯିଏ ନିଜ ପିଲାକୁ ଚିକିତ୍ସା କରାଇବା ପାଇଁ ରାଜସ୍ଥାନର କୋଟାସ୍ଥିତ ଜେକେ ଲୋନ ହସ୍ପିଟାଲକୁ ଆଣିଥିଲେ। ଏହା ସେହି ହସ୍ପିଟାଲ, ଯେଉଁଠି ବିଗତ ୩୦ ଦିନରେ ୧୦୨ ଶିଶୁ ଆଖି ବୁଜି ଦେଇଛନ୍ତି । ଏହି ଶିଶୁ ମଡ଼କକୁ ନେଇ ଜୟପୁରରୁ ଦିଲ୍ଲୀ ଯାଏ ରାଜନୀତି ଉଠୁଛି ପଡୁଛି। ୟା ଭିତରେ ଖଳନାୟକ ଭାବେ ସଜାଇ ଦିଆଯାଇଛି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ।

ଜୟପୁର, ୩/୧: ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ପତ୍ର ଲେଖି ଜେକେ ଲୋନ ହସ୍ପିଟାଲରେ ଶିଶୁଙ୍କ ଅକାଳ ମୃତ୍ୟୁର କ୍ରମବର୍ଦ୍ଧିଷ୍ଣୁ ସଂଖ୍ୟାକୁ ଦେଖି ଗମ୍ଭୀରତାର ସହ ଚିକିତ୍ସା ସୁବିଧା ଉପଲବ୍ଧ କରାଇବା ପାଇଁ ପରାମର୍ଶ ଦେଇଛନ୍ତି । ଏହାସହ ବିଏସପି ସୁପ୍ରିମୋ ମାୟାବତୀ ଟୁଇଟ କରି ଗେହଲୋଟ ଓ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ଗୋରଖପୁର ଶିଶୁ ମୃତ୍ୟୁ କଥା ଭୁଲିଯାଇ ଏବେ ରାଜସ୍ଥାନ ପ୍ରତିପକ୍ଷଙ୍କୁ ସମାଲୋଚନା କରିଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ଗେହଲୋଟ ଏହି ପ୍ରସଙ୍ଗରେ ରାଜନୀତି ନକରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଆମେ ବାରମ୍ବାର କହୁଛୁ ଯେ ପୂରା ୫-୬ ବର୍ଷ ତୁଳନାରେ ସବୁଠୁ କମ୍ ଶିଶୁଙ୍କ ମୃତ୍ୟୁ ଏବେ ଘଟୁଛି । ଏତେ ଉତ୍ତମ ବ୍ୟବସ୍ଥା ଏଠାରେ କରାଯାଇଛି ।

‘ନାଗରିକତା ସଂଶୋଧନ ଆଇନ ପରେ ଦେଶ ଓ ରାଜ୍ୟରେ ଯେଭଳି ବାତାବରଣ ସୃଷ୍ଟି ହୋଇଛି ସେଥିରୁ ଧ୍ୟାନ ହଟାଇବା ପାଇଁ କିଛି ଲୋକ ଜାଣିଶୁଣି ବଦମାସି କରୁଛନ୍ତି ।’
-ଅଶୋକ ଗେହଲୋଟ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ରାଜସ୍ଥାନ ସରକାରର ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା କୁହନ୍ତି, ଏହି ସବୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ)ରୁ ହେଉଛି । ସିଏଏ-ଏନଆରସିକୁ ନେଇ ରାଜସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଚାଲିଛି । ଏବେ ସେମାନଙ୍କୁ ଅନ୍ୟ କିଛି ତ ମିଳୁନାହିଁ, ଏଇୟା କରୁଛନ୍ତି । ପ୍ରଥମ ପ୍ରଶ୍ନ ହେଉଛି, ଯେତେବେଳେ ଯୋଗୀ ଆଦିତ୍ୟନାଥଙ୍କ ଗୋରଖପୁରରେ ଅକ୍ସିଜେନ ଅଭାବରୁ ଶତାଧିକ ଶିଶୁଙ୍କ ମୃତ୍ୟୁ ଘଟିଥିଲା, ସେତେବେଳେ ବିଜେପିର ଗୋଟିଏ ହେଲେ ପ୍ରତିନିଧି ଦଳ ସେଠାକୁ ଯାଇଥିଲା କି? ଏଠାକୁ ଏବେ ସେମାନେ ରାଜନୀତି କରିବାକୁ ଆସୁଛନ୍ତି । ତେବେ ଗୋଟିଏ ଜବାବ ଦିଅନ୍ତୁ, ୨୦୧୫ରେ ହସ୍ପିଟାଲ ପ୍ରଶାସନ ୮ କୋଟି ଟଙ୍କା ମାଗିଥିବାବେଳେ ବିଜେପି କ୍ଷମତାରେ ଥିଲା । ହସ୍ପିଟାଲକୁ ସେତେବେଳେ ଅର୍ଥ କାହିଁକି ଦିଆଗଲା ନାହିଁ?
ଅନ୍ୟପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ରାଜସ୍ଥାନ ସରକାରଙ୍କୁ ଯଥାସମ୍ଭବ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ରାଜନୈତିକ ସ୍ତରରେ ଏହି ପ୍ରସଙ୍ଗରେ ବୟାନବାଜି ଜାରି ରହିଛି । ଆଉ ଏହାସହ ବଜାୟ ରହିଛି ଶିଶୁମାନଙ୍କ ଅକାଳେ ଝଡ଼ିଯିବାର ଧାରା। ଦାୟୀ କିଏ? ପ୍ରତିଦିନ ମରୁଥିବା ଏହି ଶିଶୁଙ୍କୁ ବଞ୍ଚାଯାଇ ପାରିବ କି?

ଖରାପ ଉପକରଣ ଓ ଡାକ୍ତର ସମସ୍ୟା
ବିଗତ ବର୍ଷକ ମଧ୍ୟରେ ଏହି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୬,୯୮୨ ଶିଶୁଙ୍କ ମଧ୍ୟରୁ ୯୬୦ରୁ ଅଧିକଙ୍କ ମୃତ୍ୟୁ ହୋଇସାରିଛି । ଜେକେ ଲୋନ ହସ୍ପିଟାଲର ଶିଶୁ ରୋଗ ବିଭାଗ ମୁଖ୍ୟ ଅମୃତଲାଲ ବୈରୱା କୁହନ୍ତି, ବିଗତ ୧ ମାସରେ ପ୍ରାଣ ହରାଇଥିବା ପିଲାଙ୍କ ମଧ୍ୟରୁ ପ୍ରାୟ ୬୦ ଶିଶୁଙ୍କ ଜନ୍ମ ଏଠାରେ ହୋଇଥିଲା । ଅବଶିଷ୍ଟ ପିଲାଙ୍କୁ ଆଖପାଖ ହସ୍ପିଟାଲଗୁଡ଼ିକରୁ ରେଫର କରାଯିବା ପରେ ସଙ୍କଟାପନ୍ନ ଅବସ୍ଥାରେ ଏଠାକୁ ଅଣାଯାଇଥିଲା । ଏଇଟା ଏପରି ଏକ ହସ୍ପିଟାଲ, ଯେଉଁଠି ଆଖପାଖର ୩-୪ ଜିଲ୍ଲାରୁ ପିଲାଙ୍କୁ ଅଣାଯାଇଥାଏ । ଏହାସହ ମଧ୍ୟପ୍ରଦେଶର ଝାବୁଆରୁ ମଧ୍ୟ ଶିଶୁଙ୍କୁ ଚିକିତ୍ସା ପାଇଁ ଅଣାଯାଉଛି । କିନ୍ତୁ ଏହି ହସ୍ପିଟାଲରେ ଉପଲବ୍ଧ ସମ୍ବଳ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସଂଖ୍ୟା କମ୍ ଅଛି । ଏଥିଲାଗି ଏତେ ସଂଖ୍ୟକ ରୋଗୀଙ୍କ ଚିକିତ୍ସା କରିବା ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ଗତ ଡିସେମ୍ବର ୨୭ରେ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ନିକଟକୁ ପଠାଯାଇଥିବା ରିପୋର୍ଟ ମୁତାବକ ହସ୍ପିଟାଲରେ ଥିବା ୫୩୩ ଉପକରଣ ମଧ୍ୟରୁ ୩୨୦ ଖରାପ ହୋଇଯାଇଛିl ଷ୍ଟାଫ କଥା ବିଚାରକୁ ନେଲେ ନବଜାତକଙ୍କ ପାଇଁ ଉଦ୍ଦିଷ୍ଟ ଆଇସିୟୁରେ ମୋଟ ୨୪ ବେଡ ପାଇଁ ୧୨ କର୍ମଚାରୀ ଅଛନ୍ତି । ୧୨ ବେଡ ପାଇଁ  ଅନ୍ୟୂନ ଜଣ ୧୦ କର୍ମଚାରୀ ରହିବା ଜରୁରୀ ବୋଲି କେନ୍ଦ୍ର ସରକାରଙ୍କ ନିୟମ ରହିଥିଲେ ହେଁ ଏଠି ସବୁକିଛି ଫେଲ ମାରିଛି ।

୬ ବର୍ଷରେ ଯାଇଛି ୬ ହଜାର ଶିଶୁଙ୍କ ଜୀବନ ।
ଜେକେ ଲୋନ ହସ୍ପିଟାଲରେ ବିଗତ ୬ ବର୍ଷ ମଧ୍ୟରେ ୬ ହଜାର ଶିଶୁଙ୍କ ଜୀବନ ଯାଇଛି । ସେମାନଙ୍କ ମଧ୍ୟରୁ ୪,୨୯୨ ପିଲାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଆଖପାଖ ଜିଲ୍ଲା ହସ୍ପିଟାଲଗୁଡ଼ିକରୁ ଅଣାଯାଇଥିଲା । ହସ୍ପିଟାଲ କର୍ତ୍ତୃପକ୍ଷ ଏହି ଶିଶୁ ମଡ଼କ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକର  ଅବ୍ୟବସ୍ଥା ଓ ଜିଲ୍ଲା ହସ୍ପିଟାଲଗୁଡ଼ିକରେ ଡାକ୍ତର ଅଭାବକୁ ଦାୟୀ କରିଛନ୍ତି ।
Spread the love