July 27, 2024

Satya News

odia news channel

L&Tକୁ ମିଳିଲା ୨୫ ହଜାର କୋଟି ଟଙ୍କାର ବୁଲେଟ୍ ଟ୍ରେନ୍ ପ୍ରକଳ୍ପ, ୪ ବର୍ଷରେ ନିର୍ମିତ ହେବ ୪୭ ପ୍ରତିଶତ ହାଇସ୍ପିଡ ରେଲ କରିଡର

 

ନୂଆଦିଲ୍ଲୀ : ଦେଶର ପ୍ରଥମ ହାଇସ୍ପିଡ୍ ରେଲ କରିଡର ଲାଗି ଟେଣ୍ଡର ଇଞ୍ଜିନିୟରିଂ ମେଜର ଲାର୍ସନ ଏଣ୍ଡ ଟୁର୍ବୋ (ଏଲଏଣ୍ଡଟି)କୁ ମିଳିଛି। ଏହି କରିଡରର ଗୋଟିଏ ଅଂଶ ନିର୍ମାଣ ଲାଗି ଏଲଏଣ୍ଡଟିକୁ ୨୫ ହଜାର କୋଟି ଟଙ୍କାର ଅର୍ଡର ମିଳିଛି। କିଛି ସମୟ ପୂର୍ବରୁ ଏ ନେଇ କମ୍ପାନୀର ମୁଖ୍ୟ କାର୍ଯ୍ୟାକାରୀ ଓ ପରିଚାଳନା ନିର୍ଦ୍ଦେଶକ ଏସ୍.ଏନ୍. ସୁବ୍ରମଣ୍ୟମ ସୂଚନା ଦେଇଥିଲେ। ସେ କହିଥିଲେ ଯେ ତାଙ୍କ କମ୍ପାନୀ ସବୁଠୁ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ କଣ୍ଟ୍ରାକ୍ଟ କେନ୍ଦ୍ରସରକାରଙ୍କ ଠାରୁ ହାସଲ କରିଛି। ଗୁରୁବାର କମ୍ପାନୀକୁ କଣ୍ଟ୍ରାକ୍ଟ ମିଳିଯାଇଛି। ସେହି ଅନୁସାରେ କମ୍ପାନୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ସହ ୪ ବର୍ଷ ମଧ୍ୟରେ ସରକାରଙ୍କୁ ହସ୍ତାନ୍ତର କରିବ।

୨୩୭ କି.ମି ଦୀର୍ଘ କରିଡରର ହେବ ନିର୍ମାଣ
ଏହି ହାଇସ୍ପିଡ ରେଳ ପ୍ରକଳ୍ପରେ କମ୍ପାନୀ ଗୁଜରାଟର ବାପିରୁ ବଡଦୋରା ପର୍ଯ୍ୟନ୍ତ ପ୍ରକଳ୍ପର ୪୭ ପ୍ରତିଶତ କାର୍ଯ୍ୟ କରିବ। ଯେଉଁଥିରେ କମ୍ପାନୀ ୪ଟି ଷ୍ଟେସନ ବାପି, ସୁରଟ, ଭରୁଚ୍ ଓ ବିଲ୍ଲିମୋରାର ନିର୍ମାଣ କରିବ। ଏହା ଛଡା ପ୍ରକଳ୍ପରେ ୨୪ଟି ନଦୀ, ୩୦ଟି ରୋଡ କ୍ରସିଂ ଉପରେ ରେଳ ପ୍ରକଳ୍ପ ନିର୍ମାଣ କରିବ। ମୋଟ ଉପରେ କମ୍ପାନୀ ୨୩୭ କିଲୋମିଟର ଦୂର ପର୍ଯ୍ୟନ୍ତ ହାଇସ୍ପିଡ ରେଳ କରିଡରର ଡିଜାଇନ ଓ ନିର୍ମାଣ କରିବ।

ଗତମାସରେ ଖୋଲିଥିଲା ଟେଣ୍ଡର
ଗତ ସେପ୍ଟେମ୍ବର ମାସରେ ନ୍ୟାସନାଲ ହାଇସ୍ପିଡ ରେଲ କର୍ପୋରେସନ ଲିମିଟେଡ(ଏନଏଚ୍ଏସ୍ଆରସିଏଲ୍) ୧.୦୮ଲକ୍ଷ କୋଟି ଟଙ୍କାର ଅହମ୍ମଦାବାଦ-ମୁମ୍ବାଇ ଦେଶର ପ୍ରଥମ ହାଇସ୍ପିଡ ରେଲ କରିଡର ପ୍ରକଳ୍ପ ଲାଗି ଟେଣ୍ଡର ଖୋଲିଥିଲେ। ୫୦୮ କିଲୋମିଟର ଦୀର୍ଘ ପ୍ରକଳ୍ପ ଲାଗି ୭ କମ୍ପାନୀଙ୍କୁ ଯୋଗ୍ୟ ବିବେଚିତ କରାଯାଇଥିଲା।

ସୃଷ୍ଟି ହେବ ୯୦ ହଜାରରୁ ଅଧିକ ରୋଜଗାରର ସୁଯୋଗ
ଏହି ମହତ୍ୱାକାଙକ୍ଷୀ ରେଳ ପ୍ରକଳ୍ପ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଏବେଙ୍କ ସହ ସେପ୍ଟେମ୍ବର ୨୦୧୭ରେ ଶିଳାନ୍ୟାସ କରିଥିଲେ। ଏହି ରେଳ ପ୍ରକଳ୍ପକୁ ଜାପାନୀ ଇ-୫ ସିଙ୍କସନ ବୈଷୟିକ ଜ୍ଞାନକୌଶଳରେ ବିକଶିତ କରାଯାଉଛି। ଏଣୁ ପ୍ରକଳ୍ପ ନିର୍ମାଣ କାଳରେ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ରୂପେ ୯୦ ହଜାର ନିଯୁକ୍ତି ସୃଷ୍ଟି ହେବ ବୋଲି ଜଣାପଡିଛି।

Spread the love