July 1, 2025

ଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଆଇନକୁ ମିଳିଲା ମଂଜୁରୀ

 

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଆଇନକୁ କ୍ୟାବିନେଟର ମଂଜୁରୀ ମିଳିଛି। ମନ୍ଦିର ପରିଚାଳନା ଏକ କମିଟିକୁ ଦେବା ନେଇ ଅଧ୍ୟାଦେଶକୁ ମଂଜୁରୀ ମିଳିଛି। ଅଧ୍ୟାଦେଶରେ ମନ୍ଦିର ସୁପରିଚାଳନା ନେଇ ବିସ୍ତୃତ ବ୍ୟବସ୍ଥା ହୋଇଛି।
ଅଧ୍ୟାଦେଶରେ ପରିଚାଳନା କମିଟି ଗଠନ, ସଭ୍ୟ ସଂଖ୍ୟା ବ୍ୟବସ୍ଥା, କମିଟିର ଦାୟିତ୍ୱ ଓ କ୍ଷମତା, ମନ୍ଦିର ସଂପତ୍ତି ସୁରକ୍ଷା ନେଇ ବ୍ୟବସ୍ଥା ହୋଇଛି।

ଏହି ଅଧ୍ୟାଦେଶ ଅନୁସାରେ ଲିଙ୍ଗରାଜ ମନ୍ଦିରର ସୁପରିଚାଳନା ପାଇଁ ଏକ ୧୫ ଜଣିଆ କମିଟି ଗଠନ କରାଯିବ। ଏହି କମିଟି ଲିଙ୍ଗରାଜ ମନ୍ଦିର ଓ ମନ୍ଦିର ସମ୍ପତ୍ତିର ପରିଚାଳନା କରିବ। ଏହି କମିଟି ନିକଟରେ ମହାପ୍ରଭୁଙ୍କ ସେବା ଓ ପୂଜା ନୀତି ସହ ମନ୍ଦିର ପରିଚାଳନା ସମ୍ପର୍କୀତ ସାଧାରଣ ଓ ସ୍ୱତନ୍ତ୍ର କ୍ଷମତା ରହିବ। ମନ୍ଦିରର ଦୈନନ୍ଦିନ କାର୍ଯ୍ୟକଳାପ ବୁଝିବା ଲାଗି ଶ୍ରୀମନ୍ଦିର ଢାଞ୍ଚାରେ ଜଣେ ପ୍ରଶାସକ ମଧ୍ୟ ନିଯୁକ୍ତି ହେବେ।

ସେହିଭଳି ମନ୍ଦିରର ସ୍ଥାବର-ଅସ୍ଥାବର ସଂପତ୍ତିର ସୁରକ୍ଷା, ସେବକମାନଙ୍କର ଭୂମିକା ଓ ଦାୟିତ୍ୱ, ମନ୍ଦିରର ବଜେଟ, ଆକାଉଣ୍ଟ, ଅଡିଟ୍ ସହ ମନ୍ଦିର ଜମିକୁ ମାଡ଼ିବସିଥିବା ଅନଧିକୃତ ଲୋକଙ୍କୁ ଉଚ୍ଛେଦ ଆଦି ବ୍ୟବସ୍ଥା ରହିଛି। ଏପଟେ ଲିଙ୍ଗରାଜ ମନ୍ଦିରର ସୁପରିଚାଳନ ଲାଗି ସରକାରଙ୍କ ଏ ନିଷ୍ପତ୍ତିକୁ ସ୍ୱାଗତ କରି ଆଜି ଲିଙ୍ଗରାଜ ମନ୍ଦିର ସାମ୍ନାରେ ସେବାୟତମାନେ ସମୁହ ଦୀପଦାନ କରିଛନ୍ତି।

ଶ୍ରୀମନ୍ଦିର ଆଇନ ଢାଞ୍ଚାରେ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଖୁବ ଶୀଘ୍ର ପ୍ରଣୟନ ହେବା ନେଇ ଏକାମ୍ର କ୍ଷେତ୍ରର ଉନ୍ନତିକରଣର ସ୍ଥିତି ସମୀକ୍ଷା ପରେ ଏହି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ଏକାମ୍ରକ୍ଷେତ୍ର ବିକାଶ ପ୍ରକଳ୍ପ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ। ଏହାସହ ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ନିକଟକୁ ଯାଇ ସେବାୟତଙ୍କ ସହ ଆଲୋଚନା କରିଥିଲେ।

Spread the love