October 3, 2024

Satya News

odia news channel

ମଦୁରାଇ: ଜନଗହଳିପୂର୍ଣ୍ଣ ଜଙ୍କ୍‌ସନ୍‌ରେ ୨୨ ବର୍ଷିୟ ଯୁବକର ମୁଣ୍ଡ କାଟି ପକାଇଲେ ଅପରାଧୀ ଦଳ

 

ମଦୁରାଇ (ତାମିଲନାଡୁ): ରବିବାର ସନ୍ଧ୍ୟାରେ ଉତାଗୁଡ଼ିର ସେଣ୍ଟ୍‌ ମେରିଜ୍‌ ଚର୍ଚ ଜଙ୍କ୍‌ସନ୍‌ରେ ଜଣେ ଯୁବକଙ୍କୁ ଅଜ୍ଞାତ ଅପରାଧୀ ଦଳ ନୃଶଂସ ଭାବେ ହତ୍ୟା କରିଛନ୍ତି। ମୃତ ଯୁବକ ହେଉଛନ୍ତି ଉତାନଗୁଡ଼ି ନିକଟ ସୋଲାଇଆପ୍ପାନ ନଗରର ୨୨ ବର୍ଷିୟ ବି. ମୁରୁଗାନାଥମ୍‌। ଆହତ ହୋଇ ବର୍ତ୍ତିଯାଇ ଥିବା ସେ ଯୁବକଙ୍କର ବନ୍ଧୁ ଏକ ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ରବିବାର ସନ୍ଧ୍ୟାରେ ମୁରୁଗାନାଥମ୍‌ ତାଙ୍କ ବନ୍ଧୁ ମୁନିଆସାମୀଙ୍କ ସହ ଗୀର୍ଜା ନିକଟରେ ଚାଲି ଚାଲି ଯାଉଥିବା ବେଳେ କାର୍‌ରେ ଆସୁଥିବା ଅପରାଧୀ ଦଳ ସେ ଦୁହିଁଙ୍କୁ ଅଟକାଇଥିଲେ। ସେମାନଙ୍କୁ ଦେଖି ଦୁହେଁ ଖସି ପଳାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ, ଅପରାଧୀମାନେ ମୁରୁଗାନାଥମ୍‌ଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ସେ ମରିଯିବାରୁ ଅପରାଧୀ ଦଳ ତାଙ୍କ ମୁଣ୍ଡ କାଟି ଗୀର୍ଜା ସମ୍ମୁଖରେ ରଖି‌ଦେଲେ।

ମୁନିଆସାମୀଙ୍କୁ ତୁରନ୍ତ ରାଜାଜୀ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସୂଚନା ପାଇ ଘଟଣାସ୍ଥଳରେ ଦଳେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ‘ଡିସିପି’ (ଆଇନଶୃଙ୍ଖଳା) ଆର୍‌ ଶିବପ୍ରସାଦ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରଥିଲେ। ବ୍ୟବଚ୍ଛେଦ ନିମନ୍ତେ ଶବକୁ ମଧ୍ୟ ସେହି ଡାକ୍ତରଖାନାକୁ ନିଆଯାଇଥିଲା। ଘଟଣାଟି ଜନାକୀର୍ଣ୍ଣ ଜଙ୍କ୍‌ସନ୍‌ରେ ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କଜନକ ପରିସ୍ଥିତି ସୃଷ୍ଟି ହୋଇଛି।
ଏହି ଘଟଣା ପରେ ବାଇପାସ୍‌ ରୋଡ୍‌ରେ ଧାରୁଆ ଅସ୍ତ୍ରଶସ୍ତ୍ର ଥିବା ଏକ ପରିତ୍ୟକ୍ତ କାର୍‌ ମିଳିଛି। ଆତତାୟୀମାନେ ସେହି କାର୍‌ଟି ବ୍ୟବହାର କରିଥିବା କଥା ପୁଲିସ ସନ୍ଦେହ କରୁଛି।

ଏପର୍ଯ୍ୟନ୍ତ ପୁଲିସ ଆତତାୟୀଙ୍କ ସନ୍ଧାନ ଏବଂ ହତ୍ୟାକାଣ୍ଡର ଉଦ୍ଦେଶ୍ୟ ସଂକ୍ରାନ୍ତରେ କୌଣସି ଟେର୍‌ ପାଇନାହିଁ। ସନ୍ଦିଗ୍ଧମାନଙ୍କର ସନ୍ଧାନ ନେବା ଲାଗି ଏକାଧିକ ପୁଲସ ଟିମ୍ ଗଠନ କରାଯାଇଛି। କୀରାତୁରାଇ ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି।

Spread the love