July 27, 2024

Satya News

odia news channel

ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା: ଏସପ୍ଲାନେଡ୍ ମଲର ମାର୍କେଟିଂ ମ୍ୟାନେଜର ଗିରଫ

ଭୁବନେଶ୍ବର,୩୦/୧୨: ବେଆଇନ ପାର୍କିଂ ଫି ଆଦାୟ ସମ୍ପର୍କିତ ଖବର ସଂଗ୍ରହ ବେଳେ ଜଣେ ସାମ୍ବାଦିକାଙ୍କୁ ଏସପ୍ଲାନେଡ୍ ମଲ କର୍ମଚାରୀଙ୍କ ଆକ୍ରମଣ ଘଟଣାରେ ଚାରିଆଡୁ ଚାପ ପଡ଼ିବା ପରେ ପୋଲିସ ତତ୍ପରତା ଦେଖାଇଛି। ସାମ୍ବାଦିକ ମହଲରେ ଘଟଣାକୁ ନିନ୍ଦା କରାଯାଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ରବିବାର ସନ୍ଧ୍ୟାରେ ସଂସ୍ଥାର ବରିଷ୍ଠ ଅଧିକାରିଣୀ ଶ୍ୟାମା ଝା ଗିରଫ ହୋଇଛନ୍ତି। ସହିଦନଗର ପୋଲିସ ତାଙ୍କୁ ଗିରଫ କରିଥିବାବେଳେ ଘଟଣାରେ ମୋଟ ଗିରଫ ସଂଖ୍ୟା ୩ରେ ପହଞ୍ଚିଛି। ସୂଚନାନୁଯାୟୀ, ଶନିବାର ଏକ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମର ମହିଳା ସାମ୍ବାଦିକ ଜଣକ ଖବର ସଂଗ୍ରହ କରୁଥିବାବେଳେ ତାଙ୍କ ସହ କ୍ୟାମେରାମ୍ୟାନଙ୍କୁ ମଲର କର୍ମଚାରୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ତେବେ ଏହି ଘଟଣାକୁ ବିରୋଧ କରି ଶତାଧିକ ସାମ୍ବାଦିକ, ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ, ରାଜନୈତିକ ଦଳ ଏବଂ ସୂଚନା ଅଧିକାର କର୍ମୀ ଏସପ୍ଲାନେଡ୍ ମଲ ଆଗରେ ରବିବାର ବିରୋଧ ପ୍ରଦର୍ଶନ କରିଥିଲେ। ଘଟଣାସ୍ଥଳରେ ଭୁବନେଶ୍ବର ଡିସିପି ଅନୁପ କୁମାର ସାହୁ ପହଞ୍ଚି ଧାରଣାରତ ସମ୍ବାଦିକଙ୍କ ସହ ଆଲୋଚନା କରିଥିଲେ। ପରେ ଘଟଣାରେ ସମ୍ପୃକ୍ତ ବରିଷ୍ଠ ଅଧିକାରିଣୀ ଜଣଙ୍କୁ ଗିରଫ କରାଯାଇଥିଲା।

Spread the love