July 27, 2024

Satya News

odia news channel

ମୁଖ୍ୟମନ୍ତ୍ରୀଙ୍କୁ ଯୁବକଙ୍କ ଗୁହାରି-‘ମୋ ପତ୍ନୀଙ୍କୁ ଫେରାଇ ଆଣିଦିଅନ୍ତୁ’

 

ବାଗପତ  : ଉତ୍ତର ପ୍ରଦେଶ ବାଗପତ ଜିଲ୍ଲା ବିଏସସିର ଜଣେ ଛାତ୍ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହାତ ଯୋଡି ଗୁହାରି କରିଛନ୍ତି ଯେ ତାଙ୍କ ପତ୍ନୀ ତାଙ୍କୁ ଫେରାଇ ଦିଅନ୍ତୁ। ଯୁବକ ଅଭିଯୋଗ କରିଛନ୍ତି ଯେ ସେ ଉଚ୍ଚ ଜାତିର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ଯୁବତୀଙ୍କୁ ତାଙ୍କ ଘରଲୋକ ଉଠାଇ ନେଇଛନ୍ତି। ବହୁତ ଦିନ ହେଲା ଯୁବକ ନିଜ ପତ୍ନୀ ସହ ଯୋଗାଯୋଗ କରିପାରୁନାହାନ୍ତି। ସେଥିପାଇଁ ସେ ଯୁବତୀଙ୍କ ପରିବାର ଲୋକଙ୍କ ଉପରେ ହତ୍ୟା ଅଭିଯୋଗ ଆଣିଛନ୍ତି। ଯୁବତୀଙ୍କ ଘରଲୋକ ତାଙ୍କୁ ମଧ୍ୟ ହତ୍ୟା ଧମକ ଦେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ଗତ କିଛି ଦିନ ହେଲା ସେ ନିଜ ପତ୍ନୀଙ୍କୁ ଖୋଜୁଛନ୍ତି। ଖୋଜି ଖୋଜି ନୟାନ୍ତ ହେଲାପରେ ସେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ହାତ ଯୋଡି ଗୁହାରି କରିଛନ୍ତି। ଯୁବକ ନିଜ ପତ୍ନୀଙ୍କର ଏକ ଭିଡିଓ ଭାଇରାଲ କରିଛନ୍ତି ଯେଉଁଥିରେ ଯୁବତୀ ବାହାଘର ପରେ ତାଙ୍କ ଜୀବନ ପ୍ରତି ବିପଦ ଥିବା କହିଛନ୍ତି। ଯୁବକ ଯୁବତୀ ବାଗପତ ମୁକୁନ୍ଦପୁର ଓବଟି ଗାଁରେ ରୁହନ୍ତି। ଯୁବକଙ୍କ ନାଁ କୁଲଦୀପ ଓ ଯୁବତୀଙ୍କ ନାଁ ପ୍ରିୟା। ଉଭୟଙ୍କ ଘର ଗୋଟିଏ ଗାଁରେ। ଉଭୟଙ୍କ ମଧ୍ୟରେ ବହୁ ଦିନରୁ ପ୍ରେମ ସମ୍ପର୍କ ଥିଲା। ୨ ମାସ ପୂର୍ବରୁ ସେମାନେ ଘରୁ ପଳାଇ କୋର୍ଟ ମ୍ୟାରେଜ କରିଥିଲେ। ବାହାଘର ପରେ ସେମାନେ ଏକାଠି ରହୁଥିଲେ। କିଛି ଦିନ ପୂର୍ବରୁ ଯୁବତୀଙ୍କ ଘରଲୋକ ତାଙ୍କୁ ମନେଇ ଘରକୁ ନେଇ ଆସିଥିଲେ। ଏହା ପରଠାରୁ କୁଲଦୀପ ପ୍ରିୟାଙ୍କୁ ଯୋଗାଯୋଗ କରିପାରୁ ନାହାନ୍ତି।

କୁଲଦୀପ ପତ୍ନୀଙ୍କୁ ଖୋଜି ଖୋଜି ନୟାନ୍ତ ହେଲାପରେ ନିଜ ପତ୍ନୀଙ୍କୁ ଖୋଜିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ପୋଲିସ ବି ତାଙ୍କ କଥା ଶୁଣୁନି। ଫଳରେ ସେ ନାନା ଅସୁବିଧାର ସମ୍ମୁଖୀନ ହୋଇ ନିଜ ପତ୍ନୀକୁ ଖୋଜୁଛନ୍ତି। ସେ କହିଛନ୍ତି ସେ ଛୋଟ ଜାତିର ଏବଂ ତାଙ୍କ ପତ୍ନୀ ଉଚ୍ଚ ଜାତିର। ସେଥିପାଇଁ ଯୁବତୀଙ୍କ ପରିବାରଲୋକ ତାଙ୍କୁ ସ୍ୱୀକାର କରିନାହାନ୍ତି। ବହୁ ଦିନରୁ ପତ୍ନୀଙ୍କୁ ଯୋଗାଯୋଗ କରିପାରୁ ନଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସେ ସନ୍ଦେହ କରୁଛନ୍ତି।

Spread the love