January 21, 2025

ମେ’ ପ୍ରଥମ ସପ୍ତାହରେ ଓଜେଇଇ: ୟୁଜି ଓ ପିଜି ଲାଗି ଅନ୍‌ଲାଇନ୍‌ରେ ପରୀକ୍ଷା

ଭୁବନେଶ୍ୱର,୧/୨: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)୨୦୨୦-୨୧ ଆସନ୍ତା ମେ’ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ। ଚଳିତବର୍ଷ ଓଜେଇଇର ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସଡ୍ ଟେଷ୍ଟ ପଦ୍ଧତିରେ କରାଯିବ। ଉଭୟ ୟୁଜି ଏବଂ ପିଜି ପ୍ରବେଶିକା ପରୀକ୍ଷା ଅନ୍‌ଲାଇନ୍ ମାଧ୍ୟମରେ କରାଯିବ। ଏ ନେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଗତବର୍ଷ ପିଜି କୋର୍ସ ଲାଗି ପ୍ରବେଶିକା ପରୀକ୍ଷାଗୁଡ଼ିକ ଅନ୍‌ଲାଇନ୍ ମାଧ୍ୟମରେ କରାଯାଇଥିଲା। ପିଜି କୋର୍ସରେ ଏମ୍‌ସିଏ, ଏମ୍‌ବିଏ, ଲାଟେରାଲ ଏମ୍‌ସିଏ, ଏମ୍‌ଟେକ୍‌, ଏମ୍‌. ଆରର୍କିଟେକ, ଏମ୍ ଫାର୍ମ ପାଠ୍ୟକ୍ରମରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା ଓଜେଇଇ ମାଧ୍ୟମରେ କରାଯାଇଥିବାବେଳେ ଅଫଲାଇନ୍ ପଦ୍ଧତିରେ ପରୀକ୍ଷା କରାଯାଇନଥିଲା। ରାଜ୍ୟରେ ଉଭୟ ସରକାରୀ ଏବଂ ଘରୋଇ ୯୦ଟି ବୈଷୟିକ କଲେଜ ରହିଥିବାବେଳେ ୪୭ହଜାର ୪୦୦ସିଟ୍ ରହିଛି। ତେବେ ଆସନ୍ତା ଫେବୃଆରୀ ପ୍ରଥମ ସପ୍ତାହ ମଧ୍ୟରେ ଓଜେଇଇ ଲାଗି ଆବେଦନ ପ୍ରକ୍ରିୟା ଆରମ୍ଭ କରାଯିବ। ଜୁନ୍ ପ୍ରଥମ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇବା ସହ ଜୁଲାଇ ପ୍ରଥମ ସପ୍ତାହରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

Spread the love