July 27, 2024

Satya News

odia news channel

ଫସିଲେ ପ୍ରଦୀପ: ନିଜଆଡୁ ମାମଲା ରୁଜୁକଲା ପୋଲିସ

ଭୁବନେଶ୍ୱର,୨୭/୧୨: ନବରଙ୍ଗପୁରରେ ବନ୍ଦ ପାଳନବେଳେ ନିଆଁ ଲଗାଇବାକୁ ସମର୍ଥକଙ୍କୁ ଆହ୍ୱାନ ଦେଉଥିବାର ଭିଡିଓ ଭାଇରାଲ ହେବାପରେ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ପାଇଁ ଅଡୁଆ ବଡ଼ିଛି। ଘଟଣାରେ ନବରଙ୍ଗପୁର ପୋଲିସ ନିଜଆଡୁ ଏକ ମାମଲା ରୁଜୁକରିଛି। ସୂଚନାନୁଯାୟୀ, ଗୁରୁବାର ନବରଙ୍ଗପୁରରେ ବନ୍ଦ ପାଳନବେଳେ ସେ ନିଆଁ ଲଗାଇବାକୁ ସମର୍ଥକକୁ ଆହ୍ୱାନ ଦେଉଥିବାର ଭିଡିଓ ଭାଇରାଲ ହୋଇଥିଲା। ଏଥିସହ ନିଜର ସୁରକ୍ଷା ଓ ହକ୍ ପାଇଁ କଂଗ୍ରେସ ସୁବାସ ବୋଷଙ୍କ ନୀତି ଆପଣାଇବ ବୋଲି ନବରଙ୍ଗପୁରର ଏହି ପୂର୍ବତନ ସାଂସଦ ଗଣମାଧ୍ୟମରେ ପ୍ରକାଶ କରିଥିଲେ। ଏହାକୁ ନେଇ ଗତକାଲିଠାରୁ ଚର୍ଚ୍ଚା ଲାଗିରହିଛି। ତେବେ ଏତଲା ରୁଜୁହେବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ। ସେ କହିଛନ୍ତି, ଆମେ କାହାର କ୍ଷତି ପହଞ୍ଚାଇ ନାହୁଁ। ଆମକୁ ଜେଲରେ ପୁରାନ୍ତୁ, କିନ୍ତୁ ନ୍ୟାୟ ମିଳୁ। ଏଥିସହ ଧୈର୍ଯ୍ୟଚ୍ୟୁତି ଘଟିବାରୁ ଏବଂ ସରକାରଙ୍କ ଉପରେ ଚାପ ପ୍ରୟୋଗ ପାଇଁ ସେ ଏପରି କହିବାକୁ ବାଧ୍ୟ ହୋଇଥିବା ସଫେଇ ଦେଇଛନ୍ତି। ନ୍ୟାୟ ପାଇଁ କୋର୍ଟକୁ ସାମ୍ନା କରିବୁ ବୋଲି ପ୍ରଦୀପ ପ୍ରତିକ୍ରିୟା ରଖିଛନ୍ତି। ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଗତକାଲି କଂଗ୍ରେସ ଜିଲ୍ଲା ବନ୍ଦ ଡାକରା ଦେଇଥିଲା। ଏହି ସମୟରେ ପ୍ରଦୀପ ମାଝୀଙ୍କ ଉକ୍ତ ବିବାଦୀୟ ବୟାନ ଲୋକଲୋଚନକୁ ଆସିଥିଲା। ଭାଇରାଲ ହୋଇଥିବା ଭିଡିଓରେ ଶ୍ରୀ ମାଝୀ ଜଣେ ସମର୍ଥକଙ୍କୁ ଡିଜେଲ ଓ ପେଟ୍ରୋଲ ପ୍ରସ୍ତୁତ ରଖିବାକୁ କହିବା ସହ ନିର୍ଦ୍ଦେଶ ଆସିଲେ ନିଆଁ ଲଗାଇବାକୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଥିଲା।

Spread the love