July 27, 2024

Satya News

odia news channel

ପ୍ରେମିକାଙ୍କ ବିବାହକୁ ବିରୋଧ କରିବାରୁ ହତ୍ୟା, ଦିଲ୍ଲୀରେ ମାରି ଗୁଜରାଟରେ ଫିଙ୍ଗିଦେଲେ

 

ଗାନ୍ଧିନଗର: ମହିଳା କର୍ମଚାରୀଙ୍କ ସହ ପରକୀୟ ପ୍ରୀତି ରଖିଥିବା ଦିଲ୍ଲୀର ଜଣେ ୪୬ ବର୍ଷୀୟ ବ୍ୟବସାୟୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ମହିଳା ଓ ତାଙ୍କର ଭାବି ସ୍ୱାମୀ ବ୍ୟବସାୟୀ ଜଣକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା ପରେ ମୃତଦେହକୁ ସୁଟ୍‌କେଶ୍‌ ଭିତରେ ଭର୍ତ୍ତି କରି ଟ୍ରେନ୍‌ରେ ନେଇଥିଲେ ଅଭିଯୁକ୍ତ। ଏହାପରେ ମୃତଦେହକୁ ଗୁଜରାଟର ବାରୁଚରେ ଠିକଣା ସ୍ଥାନରେ ଲଗାଇଥିଲେ। ପୋଲିସ୍‌ ବୁଧବାର ଦିନ ଏହି ସୂଚନା ଦେଇଛି।

ଏହି ଘଟଣାରେ ପୋଲିସ୍‌ ୩ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଫୈସଲ(୨୯), ତାଙ୍କ ମା’ ଶାହିନ୍‌ ନାଜ୍‌(୪୫) ଓ ଫୈସଲଙ୍କ ଭାବି ସ୍ୱାମୀ ଜୁବେର(୨୮)।

ସୂଚନାଥାଉ କି, ନଭେମ୍ବର ୧୩ ତାରିଖ ଦିନ ଉତ୍ତରପଶ୍ଚିମ ଦିଲ୍ଲୀରେ ମହିଳା ଫୈସଲ ରହୁଥିବା ଭଡ଼ା ଘରେ ଫୈସଲ, ଜୁବେର, ଶାହିନ୍‌ ଓ ମୃତ ବ୍ୟବସାୟୀ ନିରଜ ଗୁପ୍ତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଫୈସଲଙ୍କ ବିବାହକୁ ନିରଜ ବିରୋଧ କରିବା ଯୋଗୁ ଏହି ପାଟିତୁଣ୍ଡ ହୋଇଥିଲା।

ଏଥିରେ ଉତ୍‌କ୍ଷିପ୍ତ ହୋଇ ନିରଜଙ୍କ ମୁଣ୍ଡକୁ ଇଟାରେ ଶକ୍ତ ପ୍ରହାର ଦେଇଥିଲେ ଜୁବେର। ଏହାସହ ତାଙ୍କ ଗଳା ମଧ୍ୟ କାଟି ଦେଇଥିଲେ। ସବୁଠାରୁ ବଡ଼ କଥା, ମୃତଦେହକୁ ଠିକଣା ସ୍ଥାନରେ ଲଗାଇବା ପାଇଁ ଏଥିରେ ଜୁବେରଙ୍କୁ ଫୈସଲ ଓ ତାଙ୍କ ମା’ ଶାହିନ୍ ସାହାଯ୍ୟ କରିଥିଲେ।

ନିରଜଙ୍କ ନିଖୋଜ ନେଇ ପୋଲିସ୍‌ରେ ତାଙ୍କ ସ୍ତ୍ରୀ ଅଭିଯୋଗ କରିବା ପରେ ଏହି ପୂରା ଘଟଣା ସାମ୍ନାକୁ ଆସିଥିଲା। ସ୍ୱାମୀଙ୍କ ନିଖୋଜ ପଛରେ ଫୈସଲଙ୍କ ହାତ ଥିବାନେଇ ନିରଜଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ। ସେ ଆହୁରି ମଧ୍ୟ ଖୁଲାସା କରିଥିଲେ ଯେ, ଫୈସଲ ଓ ନିରଜ ଦୀର୍ଘ ୧୦ ବର୍ଷ ହେଲା ରିଲେସନଶିପ୍‌ରେ ଥିଲେ। ପତ୍ନୀଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ପୋଲିସ୍‌ ନିରଜଙ୍କୁ ଖୋଜିବା ଆରମ୍ଭ କରିଥିଲା ଓ ଶେଷରେ ତାଙ୍କର ମୃତଦେହ ମିଳିଥିଲା।

ଜେରା ସମୟରେ ଫୈସଲ ମଧ୍ୟ ପୋଲିସ୍‌ ଆଗରେ ଅନେକ କିଛି ଖୁଲାସା କରିଥିଲେ। ସେ କହିଥିଲେ, ନିରଜଙ୍କ ପାଇଁ ସେ କାମ କରୁଥିଲେ ଓ ଦୀର୍ଘ ୧୦ ବର୍ଷ ହେବ ନିରଜଙ୍କ ସହ ତାଙ୍କର ପରକୀୟା ପ୍ରୀତି ଥିଲା। ହେଲେ ତାଙ୍କ ବାପାମା’ ଚାହୁଁଥିଲେ ଯେ,ସେ ଜୁବେରଙ୍କୁ ବିବାହ କରନ୍ତୁ। ତେଣୁ ସେ ଜୁବେରଙ୍କ ସହ ଏନ୍‌ଗେଜ୍‌ମେଣ୍ଟ ମଧ୍ୟ କରିଥିଲେ। ଯେତେବେଳେ ଏହି କଥାକୁ ସେ ନିରଜଙ୍କୁ କହିଥିଲେ ସେ ଏହାକୁ ବିରୋଧ କରିବା ସହ ସେ କାହାକୁ ବିବାହ ନକରନ୍ତୁ ବୋଲି ଚାହୁଁ ଥିଲେ।

ଆଦର୍ଶ ନଗର ଅଞ୍ଚଳରେ ରହୁଥିବା ଭଡ଼ା ଘରକୁ ନିରଜ ଆସିଥିଲେ। ସେଠାରେ ଜୁବେର, ଶାହିନ୍‌ ଓ  ନିରଜଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଏଥିରେ ଉତ୍‌କ୍ଷିପ୍ତ ହୋଇ ନିରଜ, ଜୁବେରଙ୍କୁ ଠେଲି ଦେଇଥିଲେ। ଫଳରେ ଜୁବେର ତାଙ୍କ ଉପରକୁ ଆକ୍ରମଣ କରିବା ସହ ତାଙ୍କୁ ହତ୍ୟା କରିଥିଲେ ବୋଲି ଫୈସଲ ଜେରା ସମୟରେ କହିଛନ୍ତି।

ହତ୍ୟା ପରେ ମୃତଦେହକୁ ୩ ଅଭିଯୁକ୍ତ ଏକ ସୁଟ୍‌କେଶ୍‌ ଭିତରେ ଭର୍ତ୍ତି କରି କ୍ୟାବ୍‌ରେ ନିଜାମୁଦ୍ଦିନ୍‌ ରେଲ୍‌ୱେ ଷ୍ଟେସନରେ ପହଞ୍ଚିଥିଲେ। ସେଠାରେ ଟ୍ରେନ୍‌ରେ ଯାତ୍ରା କରି ଗୁଜରାଟ ବାରୁଚରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ମୃତଦେହକୁ ସେମାନେ ଠିକଣା ସ୍ଥାନରେ ଲଗାଇଥିଲେ।

ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଓ ଇଟାକୁ ପୋଲିସ୍ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

Spread the love