July 27, 2024

Satya News

odia news channel

ସୁପର ଓଭରରେ ରୋହିତଙ୍କ ସୁପର ସିକ୍ସ: ନ୍ୟୁଜିଲାଣ୍ଡ ପରାସ୍ତ

ହାମିଲଟନ୍,୩୦/୧: ନ୍ୟୁଜିଲାଣ୍ଡର ହାମିଲଟନରେ ସେଡ୍ଡନ ପାର୍କରେ ବୁଧବାର ଅନୁଷ୍ଠିତ ହୋଇଥିବା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ୟ ଟି-୨୦ ମ୍ୟାଚ ରୋମାଞ୍ଚପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ସୁପର ଓଭରରେ ରୋହିତଙ୍କ ସୁପର ସିକ୍ସ ଭାରତକୁ ବିଜୟ ଆଣିଦେଇଛି। ସୂଚନାନୁଯାୟୀ, ଏହା ପୂର୍ବରୁ ଭାରତ ଦ୍ୱାରା ଧାର୍ଯ୍ୟ ୧୮୦ ରନ ଲକ୍ଷ୍ୟକୁ ପିଛାକରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୧୭୯ ରନ କରିଥିଲା। ଫଳରେ ମ୍ୟାଚ ଟାଇ ହୋଇଯାଇଥିଲା। ଏହାପରେ ସୁପର ଓଭର ପକାଯାଇ ମ୍ୟାଚର ଫଳାଫଳ ନିର୍ଣ୍ଣୟ ଲାଗି ନିଷ୍ପତ୍ତି ହୋଇଥିଲା। ସୁପର ଓଭରରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଭାରତ ଆଗରେ ୧୮ ରନର ଲକ୍ଷ୍ୟ ରଖିଥିଲା। ଏହାର ଜବାବରେ ଭାରତ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ବିଜୟ ହାସଲ କରିଥିଲା। ସୁପର ଓଭରର ପ୍ରଥମ ୪ଟି ବଲରେ ଭାରତ ମାତ୍ର ୧୦ ରନ୍ କରିବାକୁ ସକ୍ଷମ ହୋଇଥିବାବେଳେ ଶେଷ ଦୁଇ ବଲରେ ରୋହିତ ଶର୍ମା ଦୁଇଟି ଛକ୍କା ମାରି ବିଜୟ ଆଣି ଦେଇଥିଲେ। ଏହି ବିଜୟ ଫଳରେ ଭ୍ରମଣକାରୀ ଭାରତ ଚଳିତ ଟି-୨୦ ସିରିଜ ଜିଣିବା ସହ ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମ ଟି-୨୦ ସିରିଜ ବିଜୟ ହାସଲ କରିଛି। ଉକ୍ତ ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିଣି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତ ପକ୍ଷରୁ ବ୍ୟାଟିଂ ଓପନ କରିଥିବା ରୋହିତ ଶର୍ମା ଓ ଲୋକେଶ ରାହୁଲ ପ୍ରଥମ ଓ୍ଵିକେଟରେ ୮୯ ରନ ସଂଗ୍ରହ କରିଥିଲେ । କିନ୍ତୁ ଏହା ପରେ ଦଳ ମାତ୍ର ୭ ରନ ବ୍ୟବଧାନରେ ୩ଟି ଓ୍ଵିକେଟ ହରାଇଥିଲା। ଅଧିନାୟକ ବିରାଟ କୋହଲି ଓ ଶ୍ରେୟସ ଆୟର ଉପଯୋଗୀ ଇନିଂସ ଖେଳି ଦଳକୁ ବିପଦରୁ ଉଦ୍ଧାର କରି ଏକ ସମ୍ମାନଜନକ ସ୍କୋର ଛିଡ଼ା କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ହାମିଶ ବେନେଟ ୫୪ ରନ ଦେଇ ୩ଟି ଓ୍ଵିକେଟ ନେଇଥିଲେ ।

Spread the love