July 27, 2024

Satya News

odia news channel

ନିର୍ଭୟା ମାମଲା: ଦୋଷୀ ମୁକେଶଙ୍କ ପିଟିଶନ ଖାରଜ

ନୂଆଦିଲ୍ଲୀ,୨୯ ।୧: ରାଷ୍ଟ୍ରପତି ରାଜକ୍ଷମା ଆବେଦନକୁ ଖାରଜ କରିବା ପରେ ଏହାକୁ ଚ୍ୟାଲେଞ୍ଜ କରି ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂଙ୍କ ପକ୍ଷରୁ ଦାଏର ପିଟିଶନ ବୁଧବାର ସୁପ୍ରିମକୋର୍ଟରେ ରଦ୍ଦ ହୋଇଯାଇଛି । ଜଷ୍ଟିସ ଆର. ବାନୁମତି, ଅଶୋକ ଭୂଷଣ ଏବଂ ଏ.ଏସ. ବୋପନ୍ନା ଉକ୍ତ ପିଟିଶନର କୌଣସି ମେରିଟ ବା ଶୁଣାଣି ଯୋଗ୍ୟତା ନାହିଁ ବୋଲି ଟିପ୍ପଣୀ ଦେବା ଫଳରେ ୩୨ ବର୍ଷୀୟ ମୁକେଶଙ୍କ ଫାଶୀରୁ ବଂଚିବା ପାଇଁ ସବୁ ବିକଳ୍ପ ଶେଷ ହୋଇଯାଇଛି । ଏହା ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାନୁୟାରୀ ୧୭ରେ ମୁକେଶଙ୍କ ମର୍ସି ପିଟିଶନକୁ ଖାରଜ କରିଦେଇଥିଲେ । ପଟିଆଲା ହାଉସ କୋର୍ଟ ମାର୍ଚ୍ଚ ୧ ସକାଳ ୬ଟାରେ ସମସ୍ତ ୪ ଦୋଷୀଙ୍କୁ ଫାଶୀ ଦିଆଯିବ ବୋଲି ଗତ ୨୨ରେ ମୃତ୍ୟୁ ପରୱାନା ଜାରି କରିଥିଲେ ।
ସୂଚନାଯୋଗ୍ୟ, ଦୋଷୀ ମୁକେଶ ଉକ୍ତ ପିଟିଶନରେ ଉଲ୍ଲେଖ କରିଥିଲେ ଯେ ତିହାର ଜେଲରେ ତାଙ୍କୁ ନିସ୍ତୁକ ମାଡ଼ ମରାଯାଉଥିଲା । ଏହାସହ ଏହି ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ଠାକୁର(୩୧)ଙ୍କ ସହିତ ଅନ୍ୟ କଏଦୀମାନଙ୍କ ସାମ୍ନାରେ ଯୌନ ସମ୍ପର୍କ ରଖିବାକୁ ଜେଲ କର୍ତ୍ତୃପକ୍ଷ ତାଙ୍କୁ ବାଧ୍ୟ କରୁଥିଲେ ବୋଲି ସେ ସାଂଘାତିକ ଅଭିଯୋଗ ଆଣିଥିଲେ । ରାଷ୍ଟ୍ରପତି ଏହି ବିଷୟକୁ ଅନୁଧ୍ୟାନ ନକରି ତାଙ୍କ ପିଟିଶନ ଖାରଜ କରିଦେଇଥିବା କହିଥିଲେ । ହେଲେ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏଭଳି ଜଘନ୍ୟ ଅପରାଧ ଘଟାଇଥିବା ଦୋଷୀଙ୍କୁ ଏହି ଆଧାରରେ କ୍ଷମା ଦିଆଯାଇ ପାରିବ ନାହିଁ ବୋଲି ଖଣ୍ଡପୀଠ ଆଗରେ ଯୁକ୍ତି ବାଢ଼ିଥିଲେ । ମୁକେଶଙ୍କୁ ବଂଚାଇବା ପାଇଁ ସୁପ୍ରିମକୋର୍ଟରେ ବରିଷ୍ଠ ଆଇଜନୀବୀ ଅଞ୍ଜନା ପ୍ରକାଶ, ରେବେକା ଜନ ଓ ବୃନ୍ଦା ଗ୍ରୋଭର ଉପସ୍ଥିତ ଥିଲେ । ଇତିମଧ୍ୟରେ ଦୋଷୀ ଅକ୍ଷୟ ଠାକୁର ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିଶନ ଦାଏର କରିଛନ୍ତି ।

Spread the love