July 22, 2024

Satya News

odia news channel

ପ୍ରବାସୀ ଶ୍ରମିକଙ୍କ ପାଇଁ ପ୍ୟାକେଜ ଘୋଷଣା

ଭୁବନେଶ୍ୱର,୧୫/୧: ୧୧ଟି ପ୍ରବାସୀ ଶ୍ରମିକ ପ୍ରବଣ ଜିଲ୍ଲା ପାଇଁ ଗୁରୁବାର ରାଜ୍ୟ ସରକାର ପ୍ୟାକେଜ ଘୋଷଣା କରିଛନ୍ତି। ଉକ୍ତ ଜିଲ୍ଲାଗୁଡ଼ିକର ପ୍ରବାସୀ ଶ୍ରମିକଙ୍କ ଆର୍ଥିକ ମାନଦଣ୍ଡ ଓ ଜୀବନଜୀବିକାର ସ୍ୱଚ୍ଛଳତା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା, ନବରଙ୍ଗପୁର ଏବଂ ଖୋର୍ଦ୍ଧା ଜିଲ୍ଲାର ଶ୍ରମିକଙ୍କ ପାଇଁ ୫୦୦କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରାଯାଇଛି। ଏହାଦ୍ୱାରା ପ୍ରବାସୀ ଶ୍ରମିକଙ୍କ ପାଇଁ ନିଜ ଅଞ୍ଚଳରେ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉକ୍ତ ପ୍ୟାକେଜରେ ତ୍ୱରିତ ମଜୁରୀ ପ୍ରଦାନ ସହ ଶିକ୍ଷା ଓ ଉନ୍ନତ ଜୀବନଶୈଳୀ ଅବଲମ୍ବନର ବ୍ୟବସ୍ଥା କରାଯାଇଛି। ଏକ ସ୍ୱତନ୍ତ୍ର ରାଜ୍ୟ ଖସଡା ମାଧ୍ୟମରେ ବିଭିନ୍ନ ସରକାରୀ ବିଭାଗ ସହ ସମନ୍ୱୟ ରକ୍ଷାକରି ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି। ବରଗଡ଼, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡିର ୨୦ଟି ବ୍ଲକରେ ପ୍ରତ୍ୟେକ ଗ୍ରାମୀଣ ପରିବାର ନିମନ୍ତେ ମନରେଗାରେ ୧୦୦ ବଦଳରେ ଶ୍ରମିକଙ୍କୁ ୨୦୦ଦିନର କାମ ମିଳିବ। ଏଥିସହ ଦୈନିକ ମଜୁରୀକୁ ବି ୨୮୬.୩୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ୪ ଜିଲ୍ଲାରେ ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ବୀମାଭୁକ୍ତ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିସହ ୪ ଜିଲ୍ଲାର ୨୦ଟି ବ୍ଲକରେ ଯୋଗ୍ୟ ବିବେଚିତ ପରିବାରକୁ ପକ୍କା ଘର ଯୋଗାଇ ଦିଆଯବାର ବ୍ୟବସ୍ଥା ମଧ୍ୟ କରାଯାଇଛି।

Spread the love