September 15, 2025

ବାଇକ୍‌ ଦୁର୍ଘଟଣାରେ ୩ ମୃତ, ୨ ଗୁରୁତର

ବ୍ରହ୍ମପୁର,୨/୧: ଗଞ୍ଜାମ ଜିଲ୍ଲାଦିଗପହଣ୍ଡି ଥାନା ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକମାନେ ହେଲେ ସନ୍ତୋଷ ଗୌଡ଼, ଜିତେନ୍ଦ୍ର ଗୌଡ଼ ଓ ବାବୁଲା ଗୌଡ଼। ସୂଚନାନୁଯାୟୀ, ଦୁଇଟି ବାଇକ୍‌ରେ ୫ ଜଣ ସାଙ୍ଗ ଘରକୁ ଫେରୁଥିଲେ। ହେଲେ ଗୋଟିଏ ବାଇକ୍‌ ବ୍ରିଜ୍‌କୁ ଧକ୍କାଦେଇ ରାସ୍ତା ପାର୍ଶ୍ୱସ୍ଥ କୂଅରେ ଗଳି ପଡ଼ିବାରୁ ୩ ସାଙ୍ଗଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ବୁଧବାର ସଞ୍ଜବେଳେ ସଦର ଥାନା ରାଞ୍ଜିଆ ଗାଁର ସନ୍ତୋଷ ଗୌଡ଼, ରାଇଝୋଳ ଗାଁର ଜିତେନ୍ଦ୍ର ଗୌଡ଼, ବାବୁଲା ଗୌଡ଼ ଓ ମିଟୁ ଗୌଡ଼ ଏବଂ ପଦ୍ମତୋଳା ଗାଁର ଶିମରାମ ସ୍ୱାଇଁ କୌଣସି କାମରେ ଦୁଇଟି ବାଇକ୍‌ରେ ପଦ୍ମତୋଳାରୁ ରାଇଝୋଳକୁ ଫେରୁଥିଲେ। ତେବେ ଦିଗପହଣ୍ଡି ଥାନା କୋଚିନଡ଼ା ବ୍ରିଜ୍‌ ନିକଟରେ ଦୁର୍ଘଟଣା ଘଟିଥିଲା। ବାଇକ୍‌ରେ ଯାଇଥିବା ସନ୍ତୋଷ ଗୌଡ଼, ଜିତେନ୍ଦ୍ର ଗୌଡ଼, ବାବୁଲା ଗୌଡ଼ ବ୍ରିଜ୍‌ରେ ବାଡେଇ ହୋଇ ରାସ୍ତା ପାର୍ଶ୍ୱରେ ଥିବା କୂଅରେ ଗଳି ପଡ଼ିଥିଲେ। ତେବେ ତାଙ୍କ ପଛରେ ଅନ୍ୟ ଏକ ବାଇକ୍‌ରେ ଆସୁଥିବା ମିଟୁ ଗୌଡ଼ ଓ ଶିମରାମ ସ୍ୱାଇଁ ମଧ୍ୟ ବ୍ରିଜ୍‌ରେ ବାଡେଇ ହୋଇଯାଥିଲେ। ପରେ ସେମାନେ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ସନ୍ତୋଷ ଗୌଡ଼, ଜିତେନ୍ଦ୍ର ଗୌଡ଼ ଓ ବାବୁଲା ଗୌଡ଼ଙ୍କୁ ମୃତ ଘୋଷଣା କରିଥିଲେ।

Spread the love