July 27, 2024

Satya News

odia news channel

ବିପିନ ରାୱତ ସିଡିଏସ୍, ତାଙ୍କ ସ୍ଥାନରେ ମନୋଜ ମୁକୁନ୍ଦ

ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ ନିଜ ପଦରୁ ଅବସର ନେଇଛନ୍ତି। ଏହାସହ ଦେଶର ପ୍ରଥମ ସିଡିଏସ୍ ଭାବେ ନିଯୁକ୍ତ ହୋଇଛନ୍ତି। ଆସନ୍ତା ୩ ବର୍ଷ ଯାଏ ସେ ଏହି ଗୁରୁଦାୟିତ୍ୱ ତୁଲାଇବେ। କିଛିଦିନ ପୂର୍ବରୁ କେନ୍ଦ୍ର ସରକାର ଏହି ପଦବୀ ସୃଷ୍ଟି କରିଥିଲେ। ଦେଶର ସାମରିକ ବ୍ୟବସ୍ଥା ସମ୍ପର୍କରେ ସିଡିଏସ ସରକାରଙ୍କୁ ପରାମର୍ଶ ଦେବା ସହ ତିନି ବାହିନୀ ମଧ୍ୟରେ ସମନ୍ଵୟ ରକ୍ଷା କରିବେ। ଜେନେରାଲ ରାୱତଙ୍କ ସ୍ଥାନରେ ସ୍ଥଳସେନାର ସେନାପତି ରୂପେ ଲ୍ୟୁଟନାଣ୍ଟ ଜେନେରାଲ ମୁକୁନ୍ଦଙ୍କୁ ଅବସ୍ଥାପିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆସନ୍ତୁ ଜାଣିବା କ’ଣ ରହିଛି ଦୁଇ ଲଢ଼ୁଆଙ୍କୁ ନେଇ କେନ୍ଦ୍ରର ରଣନୀତି?

ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ ଭାରତୀୟ ସେନାର ୨୮ତମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦାୟୀ ସେନା ମୁଖ୍ୟ ଜେନେରାଲ ବିପିନ ରାୱତଙ୍କଠାରୁ ସେ ଦାୟିତ୍ୱ ନେଇଛନ୍ତି । ଗତ ୧ ତାରିଖରେ ସେନାର ଉପମୁଖ୍ୟ ଭାବେ ନିଯୁକ୍ତି ପାଇଥିବା ନରୱାଣେ ପୂର୍ବରୁ ଇଷ୍ଟର୍ନ କମାଣ୍ଡ ପ୍ରମୁଖ ଥିଲେ । ଆର୍ମିର ଜଣେ ଲଢ଼ୁଆ ଯୋଦ୍ଧା  ଭାବେ ତାଙ୍କ ସୁନାମ ରହିଛି । ସେ ୧୯୮୦ ଜୁନରେ ସପ୍ତମ ଶିଖ୍ ଲାଇଟ ଇନଫାଣ୍ଟ୍ରିରେ ଯୋଗଦେଇ ସେନାରେ କ୍ୟାରିୟର ଆରମ୍ଭ କରିଥିଲେ । ଚାଇନା, ମ୍ୟାନମାର ବ୍ୟାପାରରେ ବିଶେଷ ଅଭିଜ୍ଞତା ରଖୁଥିବା ନରୱାଣେ ସେନାର ଅଧୁନିକୀକରଣ ଉପରେ ମଧ୍ୟ ଗୁରୁତ୍ୱାରୋପ କରି ଆସୁଛନ୍ତି । ଆତଙ୍କବାଦ, ଉଗ୍ରବାଦ ଦମନ ହେଉଛି ତାଙ୍କ ୪୦ ବର୍ଷ କ୍ୟାରିୟରର ସବୁଠୁ ବଡ଼ ସଫଳତା । ସେହି ଅଭିଜ୍ଞତା ନେନେରାଲ ନରୱାଣେଙ୍କୁ ଏହି ଗୁରୁଦାୟିତ୍ୱ ତୁଲାଇବାରେ ବିଶେଷ ସହାୟକ ହେବ । ତାଙ୍କ ବଡ଼ଭାଇ ମଧ୍ୟ ସଶସ୍ତ୍ର ବଳ ପାଇଁ କାମ କରିଥିଲେ।

“ଆମେ ୧୯୬୨ ଯୁଦ୍ଧ ଭଳି ସ୍ଥିତିରେ ନାହୁଁ । ଯଦି ଚାଇନା କହୁଛି ଇତିହାସକୁ ଭୁଲି ଯାଅନାହିଁ, ଆମର ବି ତାଙ୍କୁ କହିବାର ଅଛି ସମାନ କଥା।” – ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ

ସେପଟେ ଜେନେରାଲ ରାୱତ, ଯାହାଙ୍କର ସେନାରେ ଏକ ଗୌରବମୟ କ୍ୟାରିୟର ହିଷ୍ଟ୍ରି ରହିଛି, ତାଙ୍କୁ ଦିଆଯାଇଛି ଦେଶରେ ପ୍ରଥମଥର ପାଇଁ ସୃଷ୍ଟି ହୋଇଥିବା ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବା ସିଡିଏସ୍ ପଦବୀ । ସେନାରେ ଅନେକ ବଡ଼ ଅପରେଶନର ନେତୃତ୍ୱ ନେଇ ଶତ୍ରୁ ପାକିସ୍ତାନକୁ ବୁଦ୍ଧି ଶିଖାଇବାରେ ସଫଳ ହୋଇଥିବା ଜେନେରାଲ ରାୱତ ନୂଆବର୍ଷରେ ନୂଆ ଇନିଙ୍ଗସ ଆରମ୍ଭ କରିବେ । ହେଲେ କେବେଠୁ ନୂଆ ଭୂମିକା ପାଇଁ ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ୨୦୧୬ ଡିସେମ୍ବର ୩୧ରେ ସ୍ଥଳସେନାର ୨୭ତମ ମୁଖ୍ୟ ଭାବେ ସେ ନିଯୁକ୍ତ ହୋଇଥିଲେ । ନରେନ୍ଦ୍ର ମୋଦି ସରକାରଙ୍କ କଶ୍ମୀର ନୀତି, ଆତଙ୍କବାଦୀଙ୍କୁ ସଫା କରିବାର ସକସେସଫୁଲ ପ୍ଲାନର ଇଏ ହେଉଛନ୍ତି ମୁଖ୍ୟ ଷ୍ଟ୍ରାଟେଜିଷ୍ଟ । ପାକିସ୍ତାନୀ ସେନାର ସୀମାପାର ଆକ୍ରମଣର ଜବାବ ଦେବା ଓ ଧାରା ୩୭୦ ହଟାଯିବାବେଳେ ତାଙ୍କ ରଣନୀତି ବିରୋଧୀଙ୍କ କଡ଼ା ସମାଲୋଚନା ସତ୍ତ୍ୱେ ମୋଦି ସରକାରଙ୍କ ଲୋକପ୍ରିୟତାକୁ ଅଦ୍ୟାବଧି ବଜାୟ ରଖିଛି । ଫେୟାରୱେଲ ବେଳେ ରାୱତ କହିଛନ୍ତି, ଆଜି ମୁଁ ଏହି ଅଫିସ ଛାଡ଼ୁଛି । ଯେଉଁ ଯବାନମାନେ ଚ୍ୟାଲେଞ୍ଜିଂ ପରିସ୍ଥିତିରେ ମୋତେ ସାଥ୍ ଦେଇଛନ୍ତି, ସେମାନଙ୍କୁ କୃତଜ୍ଞତା । ହଁ, ଶତ୍ରୁର ମୁକାବିଲା ପାଇଁ ସେନା ଭଲଭାବେ ପ୍ରସ୍ତୁତ ବୋଲି ଏହି ଅବସରରେ ସେ କହିଛନ୍ତି । ଜେନେରାଲ ମନୋଜ ମୁକୁନ୍ଦ ନରୱାଣେଙ୍କୁ ନୂଆ ଦାୟିତ୍ୱ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଜେନେରାଲ ନରୱାଣେ ତାଙ୍କ ପୂର୍ବସୁରୀଙ୍କ ପଦାଙ୍କ ଅନୁସରଣ କରି ମୋଦିଙ୍କ ମିଶନ କଶ୍ମୀରର ଅଧୁରା କାର୍ଯ୍ୟକୁ ପୂରା କରିବେ ବୋଲି ଅନୁମାନ କରାଯାଉଛି ।

Spread the love