January 21, 2025

ଆମେରିକା-ଇରାନର ଯୁଦ୍ଧ ପ୍ରସ୍ତୁତି । ଟ୍ରମ୍ପ କହିଲେ ‘ଏଥର ସମ୍ଭାଳ’

ଆମେରିକା-ଇରାନର ଯୁଦ୍ଧ ପ୍ରସ୍ତୁତି
ଟ୍ରମ୍ପ କହିଲେ ‘ଏଥର ସମ୍ଭାଳ’

ୱାଶିଂଟନ/ତେହେରାନ,୬/୧:

ଆମେରିକାର ରକେଟ ମାଡ଼ରେ ବାଗଦାଦ ଏୟାରପୋର୍ଟରେ ଇରାନ ସେନା କମାଣ୍ଡର ଜେନେରାଲ କାସିମ ସୁଲେମାନୀ ନିହତ ହେବା ପରେ ଯୁଦ୍ଧମୁହାଁ ହୋଇଛନ୍ତି ଦୁଇ ପାରମ୍ପରିକ ଶତ୍ରୁ। ସ୍ଥିତି ଏଭଳି ହୋଇଛି ଯେ କେହି ପଛଘୁଞ୍ଚା ଦେବା ଭଳି ମନେହେଉନି । ବାଗଦାଦସ୍ଥିତ ଆମେରିକା ଦୂତାବାସ ଓ ବଲାଦ ଏୟାରବେସକୁ ଇରାନ ସମର୍ଥିତ ବିଦ୍ରୋହୀ ଶନିବାର ରାତିରେ ଟାର୍ଗେଟ କରିବାକୁ ନେଇ ଆହୁରି କଠୋର ହୋଇଛନ୍ତି ଟ୍ରମ୍ପ । ସେ ଇରାନକୁ ଆକ୍ରମଣ ଧମକ ଦେଇଛନ୍ତି । କହିଛନ୍ତି, ଆମ ନିକଟରେ ଅତ୍ୟାଧୁନିକ ଜ୍ଞାନକୌଶଳର ଯୁଦ୍ଧାସ୍ତ୍ର ରହିଛି । ଇରାନର 52ଟି ଅତି ଗୁରୁତ୍ୱପୂର୍ଣ ଜାଗା ବାଛିଛୁ । ଇରାନ ଆମର କୌଣସି ସୈନ୍ୟ କିମ୍ବା ସମ୍ପତ୍ତିକୁ ଟାର୍ଗେଟ କଲେ ଆମେ ତାକୁ ଛାଡ଼ିବୁ ନାହିଁ। ସମସ୍ତ 52 ସ୍ଥାନରେ ମାଡ଼ କରିବୁ । ଏଠାରେ ସ୍ମରଣଯୋଗ୍ୟ ଯେ 1979-1981ରେ ଇରାନ ବିପ୍ଳବ ବେଳେ 52 ଆମେରିକୀୟଙ୍କୁ ପଣବନ୍ଦୀ ରଖିଥିଲା ତେହେରାନ । ଖାସ ସେଇଥି ପାଇଁ ଶତ୍ରୁପକ୍ଷର ସମାନ ସଂଖ୍ୟକ ସାଂସ୍କୃତିକ ଓ ଅନ୍ୟ ସମ୍ବେଦନଶୀଳ ସ୍ଥାନକୁ ବିସ୍ଫୋରଣରେ ଉଡ଼ାଇ ଦେବା କଥା ଟୁଇଟ କରିଛନ୍ତି ଟ୍ରମ୍ପ । ସେପଟେ ଇରାନ ତା’ର ଆମେରିକା ବିରୋଧୀ ଅଭିଯାନ ଜାରି ରଖିଛି । କୋମ ସହରସ୍ଥିତ ଏକ ମସଜିଦରେ ଲାଲ ପତାକା ଉଡ଼ାଇ ଯୁଦ୍ଧର ସଂକେତ ଦେଇଛି । ରବିବାର ଆମେରିକାର ଏକ ସରକାରୀ ୱେବସାଇଟକୁ ଇରାନ ହ୍ୟାକରମାନେ ହ୍ୟାକ କରି ଦେଇଛନ୍ତି। ଆମେରିକା ପାଇଁ ଏହା ଏକ ବାର୍ତ୍ତା ବୋଲି ସେମାନେ ସେହି ପେଜରେ ଉଲ୍ଲେଖ କରିବା ସହ ମୁଥ ମାଡ଼ରେ ଟ୍ରମ୍ପଙ୍କ ମୁହଁରୁ ରକ୍ତ ବାହାରୁଥିବା ଏକ ଫଟୋ ପୋଷ୍ଟ କରିଛନ୍ତି। ଇତିମଧ୍ୟରେ ଇରାକ ପାର୍ଲାମେଣ୍ଟରେ ଆମେରିକା ବିରୋଧରେ ଏକ ବଡ଼ ପ୍ରସ୍ତାବ ଗୃହୀତ ହୋଇଛି । ଇରାକ ମାଟିରୁ ଆମେରିକୀୟ ସୈନ୍ୟଙ୍କୁ ବିଦା କରିବା ପାଇଁ ସଂଖ୍ୟାଗରିଷ୍ଠ ଶିଆ ଏମପିମାନେ ଏକମତ ହୋଇ ଭୋଟ ଦେଇଛନ୍ତି । ଫଳରେ ଆଇଏସ ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ଇରାକ ଆସିଥିବା 5000ରୁ ଅଧିକ ଆମେରିକୀୟ ସୈନ୍ୟଙ୍କୁ ନିଜ ଦେଶକୁ ଫେରିଯିବାକୁ ପଡିବ। ହେଲେ ନଭେମ୍ବରରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ପୁଣି ଜିତିବା ଆଶାରେ ଟ୍ରମ୍ପ ଯୁଦ୍ଧ ଉନ୍ମାଦ ସୃଷ୍ଟି କରୁଥିବା କୁହାଯାଉଛି । ଏହା ଯଦି ସତ ହୋଇଥାଏ ତେବେ ନୂଆବର୍ଷ ଆରମ୍ଭରୁ ଆରମ୍ଭ ହୋଇଥିବା ଏହି ଖେଳ ଶେଷ ଯାଏ ଶେଷ ହୋଇ ନପାରେ । ଏପରି ହେଲେ ଉଭୟ ଆମେରିକା ଓ ଇରାନ ସହ ସମ୍ପର୍କକୁ ସନ୍ତୁଳିତ କରି ରଖିବା ପାଇଁ ଚାଁହୁଥିବା ଭାରତକୁ ଯୁଦ୍ଧ ପରିସ୍ଥିତିରେ ସର୍ବାଧିକ କ୍ଷତି ସହିବାକୁ ପଡ଼ିପାରେ । ତେଣୁ ନୂଆଦିଲ୍ଲୀ ବୁଝିବିଚାରି ପଦକ୍ଷେପ ନେଲେ ମଙ୍ଗଳ ହେବ ବୋଲି ଦେଶରେ ମତ ପ୍ରକାଶ ପାଉଛି।

Spread the love