March 28, 2024

Satya News

odia news channel

୨୦୧୪ରେ କଂଗ୍ରେସର ପରାଜୟ ପାଇଁ ସୋନିଆ-ମନମୋହନ ଦାୟୀ, ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକ ଖୋଲିଲା ରହସ୍ୟ

 

ନୂଆଦିଲ୍ଲୀ :  ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ନିଜ ପୁସ୍ତକ ‘ଦି ପ୍ରେସିଡେନସିଆଲ ଇଅର୍ସ’ରେ କଂଗ୍ରେସର ପତନକୁ ନେଇ ଅନେକ ଗୁମର ଫିଟାଇଛନ୍ତି । ଆସନ୍ତା ବର୍ଷ ବଜାରକୁ ଆସିବାକୁ ଥିବା ଏହି ପୁସ୍ତକରେ ୨୦୧୪ରେ କଂଗ୍ରେସର ପରାଜୟର କାରଣ ବାବଦରେ ଅନେକ କିଛି ବିଶ୍ଲେଷଣ କରାଯାଇଛି । ଦିବଂଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ପୁସ୍ତକରେ କଂଗ୍ରେସ ପରାଜୟ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦାୟୀ କରାଯାଇଛି । ତେବେ ଏହି ପୁସ୍ତକକୁ ନେଇ ବିବାଦ ସୃଷ୍ଟି ହେବା ନେଇ ଆଶଙ୍କା ରହିଛି ।

ପ୍ରଣବ ମୁଖାର୍ଜୀ ଦେହାନ୍ତ ପୂର୍ବରୁ ‘ଦି ପ୍ରେସିଡେନସିଆଲ ଇୟର୍ସ’ ଲେଖିସାରିଥିଲେ । ଏହାକୁ ରୂପା ପ୍ରକାଶନ ପ୍ରକାଶିତ କରିବ । ୨୦୨୧ରେ ପାଠକମାନେ ଏହାକୁ କିଣିପାରିବେ ।ପୁସ୍ତକରେ ପଶ୍ଚିମବଙ୍ଗର ଏକ ଗ୍ରାମରୁ ପ୍ରଣବଙ୍କ ରାଷ୍ଟ୍ରପତି ଭବନ ଯାଏଁ ଯାତ୍ରା ବାବଦରେ ଉଲ୍ଲେଖ ହୋଇଛି । ସୂଚନାଯୋଗ୍ୟ, ପ୍ରଣବ ଦା ଭାବେ ପରିଚିତ ପୂର୍ବତନ ରାଷ୍ଟ୍ରପତି ଚଳିତ ବର୍ଷ ଅଗଷ୍ଟ ମାସରେ ୮୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ନିଜ ପୁସ୍ତକରେ ପ୍ରଣବ ଲେଖିଛନ୍ତି ଯେ, ଯଦି ୨୦୦୪ରେ ସେ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତେବେ ୨୦୧୪ରେ କଂଗ୍ରେସକୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡିନଥାନ୍ତା । ଏପରିକି ଦଳର କିଛି ସଦସ୍ୟ ମଧ୍ୟ ମାନୁଥିଲେ । ସେ ରାଷ୍ଚ୍ରପତି ହେବା ପରେ ରାଜନୀତିରୁ ଦୂରରେ ରହିଥିଲେ ।  ସୋନିଆ ଦଳକୁ ସମ୍ଭାଳିବାରେ ଅସମର୍ଥ ରହିଥିଲେ । ସଂସଦରେ ମନମୋହନ ସିଂ ଅନୁପସ୍ଥିତ ରହୁଥିବାରୁ ଅନେକ ସାଂସଦଙ୍କ ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିଥିଲା ।

ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଶାସନ କରିବାର ନୈତିକ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ପାଖରେ ରହିଥାଏ । କିନ୍ତୁ ମନମୋହନଙ୍କୁ କେବଳ ମେଣ୍ଟ ସମ୍ଭାଳିବା ପାଇଁ ପରାମର୍ଶ ଦିଆଯାଉଥିଲା । ଏହାର ପ୍ରଭାବ ସରକାର ଉପରେ ପଡୁଥିଲା । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ପ୍ରଥମ କାର୍ଯ୍ୟକାଳରେ ଅଧିନାୟକବାଦୀ ଶୈଳୀକୁ ଆପଣାଇଥିଲେ । ଯାହା ସ୍ପଷ୍ଟ ଭାବେ ଜଣାପଡୁଥିଲା ବୋଲି ପ୍ରଣବ ଦା ଲେଖିଛନ୍ତି ।

Spread the love