
କୋଲକାତା : ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ସରଗରମ ବଢିବାରେ ଲାଗିଛି। ତୃଣମୂଳ କଂଗ୍ରେସର ସଭାପତି ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ବାନାର୍ଜୀଙ୍କୁ ଲଗାତାର ଝଟକା ଲାଗୁଛି। ଦଳରେ ବିଦ୍ରୋହର ସ୍ଵର ବଢିବା ସହ ବରିଷ୍ଠ ନେତା ମୁହଁ ମୋଡିବାରେ ଲାଗିଛନ୍ତି। ଏହି କ୍ରମରେ ସିଙ୍ଗୁରରେ ମମତା ବାନାର୍ଜୀଙ୍କ ସାଥୀରେ ରହିଥିବା ରବୀନ୍ଦ୍ର ନାଥ ଭଟ୍ଟାଚାର୍ଯ୍ୟ ଅଲଗା ରାସ୍ତା ଧରିଛନ୍ତି। ଏଥିସହ ନନ୍ଦିଗ୍ରାମ ଆନ୍ଦୋଳନରେ ମମତାଙ୍କ ସହିତ ରହିଥିବା ସୁଭେନ୍ଦୁ ଅଧିକାରୀ ମଧ୍ୟ ପାର୍ଟି ଛାଡି ଦେଇଛନ୍ତି। ଟିଏମସିରେ ଦଳୀୟ କନ୍ଦଳ ବଢୁଥିବା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ସିଙ୍ଗୁରରେ ମମତା ବାନାର୍ଜୀଙ୍କ ସହିତ ରହିଥିବା ରବୀନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ ପାର୍ଟିରୁ ଇସ୍ତଫା ଦେବାର ସୂଚନା ଦେଇଛନ୍ତି। ରବୀନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ ଟାଟାର ନାନୋ କାରଖାନା ବିରୋଧରେ ତୃଣମୂଳ କଂଗ୍ରେସର ଆନ୍ଦୋଳନରେ ମମତା ବାନାର୍ଜୀଙ୍କୁ ସମର୍ଥନ ଦେଇଥିଲେ। ସୂତ୍ର ଅନୁଯାୟୀ ମମତା ବାନାର୍ଜୀ କିଛି ଦିନ ପୂର୍ବରୁ ଟିଏମସିର ବ୍ଲକ ସଭାପତି ମହାଦେବ ଦାସଙ୍କୁ ପଦରୁ ହଟାଇ ଦେଇଥିଲେ। ମହାଦେବ ରବୀନ୍ଦ୍ରନାଥଙ୍କ ନିକଟତର ଲୋକ ବୋଲି କୁହାଯାଏ।
ସୂଚନା ଅନୁଯାୟୀ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେବାର ସଙ୍କେତ ଦେଇଥିବା ଅନ୍ୟତମ ବରିଷ୍ଠ ନେତା ସୁଭେନ୍ଦୁ ଅଧିକାରୀଙ୍କୁ ମନେଇବା ପାଇଁ ଟିଏମସିର ରଣନୀତିକାର ପ୍ରଶାନ୍ତ କିଶୋର ତାଙ୍କ ଘରକୁ ଯାଇଥିଲେ। ହେଲେ ସୁଭେନ୍ଦୁ ଘରେ ନଥିବାରୁ ତାଙ୍କ ସହ ସାକ୍ଷାତ ହୋଇପାରିନଥିଲା। ପ୍ରଶାନ୍ତ କିଶୋର ଅଧିକାରୀଙ୍କ ପିତାଙ୍କ ସହ ପ୍ରାୟ ଅଧା ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା କରିଥିଲେ।
ଉଲ୍ଲେଖନୀୟ ଶୁଭେନ୍ଦୁ ଅଧିକାରୀ ଗତ କିଛି ମାସରେ ପାର୍ଟି ଓ କ୍ୟାବିନେଟ୍ ବୈଠକରୁ ଦୂରେଇ ରହିଥିଲେ। ସେ ପୂର୍ବ ମିଦନାପୁର ଜିଲ୍ଲାରେ ରାଲି କରୁଛନ୍ତି। କିନ୍ତୁ ପାର୍ଟିର ବ୍ୟାନର କିମ୍ବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୋଷ୍ଟର ବ୍ୟବହାର କରୁ ନାହାନ୍ତି। ତାଙ୍କର ଏହି ପଦକ୍ଷେପରେ ପାର୍ଟିର କିଛି ନେତା ସମାଲୋଚନା ମଧ୍ୟ କରିଛନ୍ତି।
More Stories
ଲେଖିକାଙ୍କ ଘର ଭାଙ୍ଗିଦେଲେ ମୌସୁମୀ !!
ଓଡ଼ିଆ ଖେଳାଳିଙ୍କୁ ୧୦ ଲକ୍ଷ ଲେଖାଏ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସମୂହ ଛୁଟିରେ ପ୍ରାଥମିକ ଶିକ୍ଷକ