April 19, 2024

Satya News

odia news channel

ରବିବାରରେ ବି ସ୍କୁଲ୍‌ରେ ଚାଲିଛି ପାଠପଢ଼ା

 

ଭୁବନେଶ୍ୱର: କୋଭିଡ୍‌ କଟକଣା ମଧ୍ୟରେ ଦୀର୍ଘ ୯ ମାସ ପରେ ରାଜ୍ୟରେ ଜାନୁଆରୀ ୮ରୁ ସ୍କୁଲ୍ ଖୋଲିଥିବା ବେଳେ ଆଜି ରବିବାରରେ ବି ସ୍କୁଲ୍‌ରେ ଚାଲିଛି ପାଠପଢ଼ା। ରାଜ୍ୟର ଦଶମ ଓ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କେବଳ ସ୍କୁଲ୍‌ ଖୋଲିଛି।

ଆଜି ରବିବାରରେ ଛାତ୍ରଛାତ୍ରୀମାନେ ସ୍କୁଲ୍‌କୁ ଆସିଛନ୍ତି। ଏତେଦିନ ଯାଏ ଅନ୍‌ଲାଇନ୍‌ରେ କ୍ଲାସ୍‌ ହେଉଥିବା ଯୋଗୁ କିଛି ବିଷୟବସ୍ତୁକୁ ନେଇ ଦ୍ୱନ୍ଦ୍ୱ ରହି ଯାଉଥିଲା। କିନ୍ତୁ ଏବେ ଅଫ୍‌ଲାଇନ୍‌ ଅର୍ଥାତ୍‌ ସ୍କୁଲ୍‌କୁ ଆସି କ୍ଲାସ୍‌ କରିବା ପରେ ସେସବୁ କିଛି କ୍ଲିୟର ହୋଇପାରୁଛି। ତେଣୁ ରବିବାରରେ ସ୍କୁଲ୍‌ରେ କ୍ଲାସ୍‌ କରିବାରେ କୌଣସି ଅସୁବିଧା ନାହିଁ ବୋଲି ଛାତ୍ରଛାତ୍ରୀ କହିଛନ୍ତି।

ଅନ୍ୟପକ୍ଷେ, ସ୍କୁଲ୍‌ ଖୋଲିବା ପୂର୍ବରୁ ପାନୀୟ ଜଳ, ଶୌଚାଳୟ ପ୍ରସ୍ତୁତ ରଖାଯାଇଥିବା ବେଳେ ପୁରା କ୍ୟାମ୍ପସ୍‌କୁ ବିଶୋଧନ କରାଯାଇଛି। ସାମାଜିକ ଦୂରତା ପାଳନ କରି ସିଟିଂ ଆରେଞ୍ଜମେଣ୍ଟ ମଧ୍ୟ ହୋଇଛି। ପ୍ରତି କ୍ଲାସ୍‌ ରୁମ୍‌ରେ ୨୦ରୁ ୨୫ ଜଣ ଛାତ୍ରଛାତ୍ରୀ ବସିବେ। କ୍ଲାସ୍‌ ଗୁଡ଼ିକୁ ବିଭିନ୍ନ ସେକ୍ସନରେ ବିଭକ୍ତ କରାଯାଇଛି। ଭିଡ଼ ଏଡାଇବା ଲାଗି ଖାଇବା ଛୁଟି ବି ପର୍ଯ୍ୟାୟ କ୍ରମେ କରାଯିବ। ଏପ୍ରିଲ୍ ୨୮ ଯାଏ ୧୦୦ ଦିନ ପାଠପଢ଼ା ହେବ।

ସଂକ୍ରମଣ ରୋକିବା ପାଇଁ ସାନିଟାଇଜର, ହ୍ୟାଣ୍ଡ୍‌ ଓ୍ୱାଶ୍‌ ମହଜୁଦ ରଖାଯାଇ ଥିବାବେଳେ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇ ସ୍କୁଲ୍‌ ଭିତରକୁ ପ୍ରବେଶ ଅନୁମତି ମିଳୁଥିବା ଦେଖିବାକୁ ମିଳିଛି। ଯେଉଁମାନଙ୍କର କୋଭିଡ୍ ଲକ୍ଷଣ ପରିଲକ୍ଷିତ ହେବ ସେମାନଙ୍କୁ ପ୍ରତି ସ୍କୁଲ୍‌ରେ କରାଯାଇଥିବା ଆଇସୋଲେସନ୍ ରୁମ୍‌ରେ ରଖି ନିକଟସ୍ଥ ମେଡିକାଲ ଟିମ୍‌କୁ ସୂଚନା ଦେବେ କର୍ତ୍ତୃପକ୍ଷ। ସେହିପରି ପ୍ରବେଶ ପରେ ଅଧାରୁ ସ୍କୁଲ୍ ବାହାରକୁ କେହି ଯାଇପାରିବେନି।

ପୂର୍ବରୁ ଗଣଶିକ୍ଷା ବିଭାଗ ଶହେ ଦିନର ପାଠପଢ଼ା ଲାଗି ଗାଇଡ୍‌ଲାଇନ୍‌ ଜାରି କରିଥିଲା। ଏଥିରେ ରବିବାର ବି ସ୍କୁଲ୍‌ ଖୋଲିବ ବୋଲି ମାର୍ଗଦର୍ଶିକା ରହିଛି।

 

Spread the love