October 22, 2024

Satya News

odia news channel

ଅବହେଳାରୁ ଗଣତି ବିଳମ୍ବ: କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା

 

ଭୁବନେଶ୍ୱର: ପ୍ରତୀକ୍ଷାର ଅନ୍ତ ଘଟିଛି। ନେତା ପାଇଛି ବିଏମ୍‌ସି। ଆଜି ବିଜେବି କଲେଜରେ ହୋଇଥିବା ଷ୍ଟ୍ରଙ୍ଗ୍‌ରୁମ୍‌ ପରିସରରେ ଭୋଟ୍‌ ଗଣତି ଶେଷ ହେବା ପରେ ମେୟରଙ୍କ ସମେତ ୬୭ କର୍ପୋରେଟର ବଛା ହୋଇଛନ୍ତି। ସକାଳ ୮ଟାରୁ ଭୋଟ୍‌ ଗଣତି ପାଇଁ ଧାର୍ଯ୍ୟ ହୋଇଥିଲେ ମଧ୍ୟ ବ୍ୟାପକ ଅବ୍ୟବସ୍ଥା ଯୋଗୁ ଗଣତିରେ ୨ ଘଣ୍ଟା ୩୦ ମିନିଟ୍‌ ବିଳମ୍ବ ହୋଇଥିଲା। କେତେକ ପ୍ରାର୍ଥୀଙ୍କ ପ୍ରତିନିଧି ମଧ୍ୟ ବିଳମ୍ବରେ ପହଞ୍ଚିଥିବାରୁ ଇଭିଏମ୍‌ ଧରି ଅଫିସରମାନେ ପ୍ରତିନିଧିଙ୍କୁ ଅପେକ୍ଷା କରିଥିଲେ। ଏଣୁ ଗଣତି ପ୍ରକ୍ରିୟା ମଧ୍ୟାହ୍ନ ସୁଦ୍ଧା ଶେଷ ହେବାକୁ ଆଶା କରାଯାଉଥିଲେ ମଧ୍ୟ ଏହା ଶେଷ ହେଉ ହେଉ ରାତି ହୋଇ ଯାଇଥିଲା। ଗତ ରାତିରେ ହୋଇଥିବା ତୁମୁଳକାଣ୍ଡ ଯୋଗୁ ପ୍ରସ୍ତୁତିରେ ବିଳମ୍ବ ହୋଇଥିଲା।

ତେବେ କେବଳ ଗଣତି ଆରମ୍ଭରେ ବିଳମ୍ବ ନୁହେଁ, ବରଂ ସେଠାରେ ବ୍ୟାପକ ଅବ୍ୟବସ୍ଥା ରହିଥିଲା। ପ୍ରତି ରାଉଣ୍ଡର ଫଳାଫଳ ଜଣାଇବା ପାଇଁ ସେଠାରେ ଏକ ଏଲ୍‌ଇଡି ସ୍କ୍ରିନ୍‌ ଲାଗିବାକୁ ଯୋଜନା ଥିଲେ ମଧ୍ୟ ତାହା ହୋଇନଥିଲା। ଏହା ବ୍ୟତୀତ ଲାଉଡ୍‌ ସ୍ପିକର୍‌ ଜରିଆରେ ଏହି ଫଳାଫଳ ଜଣାଇବାକୁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା କରା ଯାଇନଥିଲା‌। ଗଣତି ବେଳେ ଉପସ୍ଥିତ ରହୁଥିବା ବିଭିନ୍ନ ପ୍ରାର୍ଥୀମାନଙ୍କର ପ୍ରତିନିଧିଙ୍କୁ ଫୋନ୍‌ ନେବାକୁ ବାରଣ କରାଯାଇଥିଲା। ଅର୍ଥାତ୍‌ ଗଣତି ଜାଗାରୁ କିଛି ସୂଚନା ବାହାରକୁ ଆସି ପାରୁନଥିଲା। ଏଣେ ସରକାରୀ ଭାବରେ କୌଣସି ଘୋଷଣା ସୁବିଧା ନଥିଲା। ପ୍ରାର୍ଥୀ ଓ ସମର୍ଥକଙ୍କ ସହ ସାମ୍ବାଦିକ ମଧ୍ୟ ସମ୍ପୃକ୍ତ ପ୍ରତିନିଧି ବାହାରକୁ ବାହାରିବା ପର୍ଯ୍ୟନ୍ତ ଅପେକ୍ଷା କରି ରହୁଥିଲେ। ଏଣୁ ସେଠାରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା। ଗଣତିର ପ୍ରାୟ ଦୁଇଘଣ୍ଟା ପରେ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଭାବରେ ଲାଉଡ୍‌ ସ୍ପିକର ଲଗାଯାଇ ପ୍ରତି ରାଉଣ୍ଡର ଫଳାଫଳ ଘୋଷଣା ଆରମ୍ଭ ହୋଇଥିଲା।

ବିଏମ୍‌ସି ନିର୍ବାଚନ ଅଧିକାରୀ ତଥା ଏଡିଏମ୍‌ ପ୍ରଫୁଲ୍ଲ କୁମାର ସ୍ବାଇଁ ଶେଷ ପର୍ଯ୍ୟନ୍ତ ରହି ସମଗ୍ର ପ୍ରକ୍ରିୟାକୁ ପରିଚାଳନା କରିଥିଲେ। ଡିସିପି ଉମାଶଙ୍କର ଦାଶ ଘଟଣାସ୍ଥଳରେ ରହି ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ନଜର ରଖିଥିଲେ। ଖୋର୍ଦ୍ଧା ଜିଲ୍ଲାପାଳ ତଥା ମୁଖ୍ୟ ନିର୍ବାଚନ ଅଧିକାରୀ ସନ୍ଧ୍ୟାରେ ଗଣତି ସ୍ଥଳରେ ପହଞ୍ଚି ବିଜେଡିର ସୁଲୋଚନା ଦାସ ବିଏମ୍‌ସି ମେୟର ଆସନ ଅଳଙ୍କୃତ କରିଥିବା ବିଧିବଦ୍ଧ ଭାବେ ଘୋଷଣା କରିଥିଲେ। ତା’ ସହିତ ଖୋର୍ଦ୍ଧା ଜିଲ୍ଲାର ଅନ୍ୟ ମ୍ୟୁନିସିପାଲିଟି ଓ ଏନ୍‌ଏସି ଫଳାଫଳ ମଧ୍ୟ ଘୋଷଣା କରିଥିଲେ।

ଷ୍ଟ୍ରଙ୍ଗରୁମ ପରିଦର୍ଶନ କଲେ ଡିସିପି

ଷ୍ଟ୍ରଙ୍ଗ୍‌ରୁମ୍‌ର ସୁରକ୍ଷା ଉପରେ ପୁଲିସ ନଜର ରଖିଥିଲା। ପୂରା ପୁଲିସ ଟିମ୍ ଏବଂ ନିର୍ବାଚନ ଦାୟିତ୍ବରେ ଥିବା କର୍ମଚାରୀ ସଜାଗ ରହିଥିଲେ। ଷ୍ଟ୍ରଙ୍ଗ୍‌ରୁମ୍ ପରିସରକୁ ଆସୁଥିବା ପ୍ରତିଟି ଲୋକଙ୍କର ପରିଚୟପତ୍ର ଯାଞ୍ଚ କରାଯିବା ସହ ବୁଥ୍‌ ଏଜେଣ୍ଟର ପରିଚୟ ପତ୍ର ଓ ପ୍ରାର୍ଥୀଙ୍କୁ କେବଳ ଛାଡ଼ୁଥିଲେ। ଖୋଦ୍ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ତାଙ୍କର ପୁଲିସ ଟିମ୍ ସହ ଷ୍ଟ୍ରଙ୍ଗ୍ ରୁମ୍ ପରିଦର୍ଶନ କରିଥିଲେ। ୭ଜଣ ଅତିରିକ୍ତ ଡିସିପିଙ୍କ ତତ୍ତ୍ବାବଧାନରେ ପ୍ରାୟ ୨୦ ପ୍ଲାଟୁନ୍ ପୁଲିସ ସୁରକ୍ଷା ଦାୟିତ୍ବରେ ରହିଥିଲେ। ପୂର୍ବାହ୍ନ ୧୧ଟା ୩୦ରେ ଜଣେ ଯୁବକ ଶାସକ ଦଳର କର୍ମୀ କହି ଏକ ଗେଟ୍ ପାଖରେ ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ଦେଖାଇଥିଲେ। ମାତ୍ର ସେ କୌଣସି ରାଜନୈତିକ ଦଳର ଏଜେଣ୍ଟ କି ପ୍ରାର୍ଥୀ ହୋଇନଥିବାରୁ ସୁରକ୍ଷା କର୍ମୀମାନେ ତାଙ୍କୁ ଭିତରକୁ ଛାଡ଼ି ନଥିଲେ।

ଗଣତି କେନ୍ଦ୍ରକୁ ମୁଣ୍ଡିଆ ମାରିଲେ ପ୍ରାର୍ଥୀ

ପୌର ନିର୍ବାଚନ ପାଇଁ ବିଜେବି କଲେଜରେ ଗଣତି କେନ୍ଦ୍ର ଅନୁଷ୍ଠିତ ହୋଇଥିଲା। ପ୍ରତି ପର୍ଯ୍ୟାୟରେ ୨୪ଟି ଲେଖାଏ ବୁଥ୍‌ ହିସାବରେ ପ୍ରାୟ ୩୦ଟି ପର୍ଯ୍ୟାୟରେ ଗଣତି ଶେଷ ହୋଇଥିଲା। ତେବେ ୪ନଂ ଵାର୍ଡର ଗଣତି ଶେଷ ହେବା ପରେ ବିଜୟୀ ପ୍ରାର୍ଥୀ ସୁକୁମାର ସାହୁ ସମର୍ଥକଙ୍କ ସହ ଗଣତି କେନ୍ଦ୍ର ବାହାରକୁ ଆସି ବିଜୟ ଉତ୍ସବ ପାଳନ କରିଥିଲେ। ସେ ବାହାରକୁ ଆସି ଷ୍ଟ୍ରଙ୍ଗ୍‌ରୁମ୍ ପାହାଚରେ ମୁଣ୍ଡିଆ ମାରିଥିଲେ। ସେହିପରି ୧୫ନଂ ଵାର୍ଡର ସ୍ବାଧୀନ ପ୍ରାର୍ଥିନୀ ପିଙ୍କି ସ୍ବାଇଁ ମଧ୍ୟ ଷ୍ଟ୍ରଙ୍ଗ୍‌ରୁମ୍‌ରେ ବାହାରେ ମୁଣ୍ଡିଆ ମାରିଥିଲେ। ସମର୍ଥକଙ୍କ ସହ ବିଜୟ ଉତ୍ସବ ମନାଇ ବିଜେବି କଲେଜ ପରିସରରୁ ବାହାରକୁ ଯାଇଥିଲେ। ସେପଟେ ଜିତିବା ଆଶା ନେଇ ଭିତରକୁ ଯାଇଥିବା ଅନେକ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ପରାଜୟ ଦୁଃଖରେ ଷ୍ଟ୍ରଙ୍ଗରୁମ୍ ଭିତରେ କାନ୍ଦି ପକାଇଥିଲେ।

ବିଜେଡିରେ ଆରମ୍ଭ, ବିଜେଡିରେ ଶେଷ

୩ଟି ରାଉଣ୍ଡ୍‌ରେ ଭୋଟ୍‌ ଗଣତି ହୋଇଥିଲା। ପ୍ରଥମ ରାଉଣ୍ଡ୍‌ରେ ୨୪ଟି ୱାର୍ଡର ଗଣନା କରାଯାଇଥିଲା। ପୂର୍ବାହ୍ନ ୧୧ଟା ୫୫ ବେଳକୁ ୩୬ ନମ୍ବର ୱାର୍ଡ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିଲା। ଦିନ ଯେତିକି ଗଡ଼ିଥିଲା ଗୋଟିଏ ପରେ ଗୋଟିଏ ୱାର୍ଡର ବିଜୟୀ ପ୍ରାର୍ଥୀଙ୍କ ନାଁ ସାମ୍ନାକୁ ଆସିଥିଲା। ସନ୍ଧ୍ୟା ପ୍ରାୟ ୭ଟା ୨୦ ବେଳକୁ ୨୧ ନମ୍ବର ୱାର୍ଡର ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିଲା। ୩୬ ନମ୍ବରର ବିଜେଡି ପ୍ରାର୍ଥୀ ଅଲିଅଳି ମଲ୍ଲିକ ବିଜେଡି ଖାତା ଖୋଲିଥିବା ବେଳେ ୨୧ରେ ବିଜେଡି ପ୍ରାର୍ଥୀ ପୂଜା ବେହେରା ବିଜୟୀ ହୋଇ ଖାତା ବନ୍ଦ କରିଥିଲେ।

 

Spread the love