July 27, 2024

Satya News

odia news channel

ଏତେ ଦାଢ଼ି ବଢ଼ାଇଲେଣି ଗୃହବନ୍ଦୀ ଓମାର । ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ

ନୂଆଦିଲ୍ଲୀ,୨୬ ।୧: ଇଏ ହେଉଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ କାର୍ଯ୍ୟକାରୀ ଅଧ୍ୟକ୍ଷ ଓମାର ଅବଦୁଲ୍ଲା । ସୋସିଆଲ ମିଡିଆକୁ ଏବେ ଆସିଛି ଏହି ଫଟୋ, ଯେଉଁଥିରେ ତାଙ୍କର ଯୁବସୁଲଭ ଚେହେରା ବୃଦ୍ଧ ଭଳି ଦେଖାଯାଉଛି । ୪୯ ବର୍ଷୀୟ ଓମାରଙ୍କ ଏଭଳି ଅବତାରକୁ ଦେଖି ନେଟିଜେନମାନେ ବିସ୍ମିତ ହୋଇଯାଇଥିବାବେଳେ ଆଉ କେତେକେ କ୍ଷୁବ୍ଧ ହୋଇଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହାକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ।
କେନ୍ଦ୍ର ସରକାର ଧାରା ୩୭୦ ହଟାଇବା ପୂର୍ବ ସନ୍ଧ୍ୟାରେ ନିଜ ରାଜନୈତିକ ଭବିଷ୍ୟତକୁ ନେଇ ସନ୍ଦିହାନ ନେତାମାନେ ଶ୍ରୀନଗରରେ ସର୍ବଦଳୀୟ ବୈଠକ କରୁଥିଲେ । ବୈଠକ ଚାଲିଥିବାବେଳେ ସେମାନଙ୍କୁ କେତେବେଳେ ଗୃହବନ୍ଦୀ କରାଯାଇ ସାରିଥିଲା ତାହା ଜାଣିପାରି ନଥିଲେ । ଗୃହବନ୍ଦୀଙ୍କ ମଧ୍ୟରେ ଥିଲେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ- ଏନସି ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା, ତାଙ୍କ ପୁଅ ଓମାର ଅବଦୁଲ୍ଲା ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି । ଅଗଷ୍ଟ ୪ ତାରିଖରୁ କଡ଼ା ସୁରକ୍ଷା ଘେରରେ ଥିବା ଓମାରଙ୍କ ଫଟୋ ୫ ମାସ ପରେ ପ୍ରଥମଥର ପାଇଁ ବାହାରକୁ ଆସିଛି । ଏଥିରେ ସେ ଏକ ଜାକେଟ ପିନ୍ଧି ହସୁଥିବା ଦେଖିବାକୁ ମିଳୁଛି । ଉପରୁ ତୁଷାର ପାତ ହେଉଛି ଓ ତାଙ୍କ ନିଶଦାଢ଼ି ବଢ଼ିଯାଇଛି ।
ଫଟୋରେ ଓମାରଙ୍କୁ ମୁଁ ଚିହ୍ନି ପାରିଲିନି । ଆମ ଗଣତାନ୍ତ୍ରିକ ଦେଶରେ ଏପରି ଚାଲିଛି । ଏହା କେବେ ଶେଷ ହେବ ବୋଲି ଟିଏମସି ନେତ୍ରୀ ମମତା ପ୍ରଶ୍ନ କରିଛନ୍ତି । ସେହିପରି କଂଗ୍ରେସ ନେତା ମିଲିନ୍ଦ ଦେଓରା ଟୁଇଟ କରିଛନ୍ତି ଯେ ଅବଦୁଲ୍ଲାଙ୍କ ଅର୍ଥନୈତିକ ଓ ରାଜନୈତିକ ମତାମତକୁ ନେଇ ଭରତ ସରକାର ଅନେକ ଲାଭବାନ ହୋଇଛନ୍ତି । ତାଙ୍କ ଭଳି ଜାତୀୟତାବାଦୀଙ୍କୁ ନୀରବ କରାଇଦେବା ଆମ ଜାତୀୟ ପରିଚୟକୁ ତୁଚ୍ଛ କରିଦେଇଛି । ଉପତ୍ୟକାରେ ତୁରନ୍ତ ସ୍ୱାଭାବିକ ଅବସ୍ଥା ଫେରାଇଆଣିବା ଜରୁରୀ ।

Spread the love