July 27, 2024

Satya News

odia news channel

ଏସିଆ କପ୍‌ରେ ପ୍ରତିଶୋଧ

India's Hardik Pandya plays a shot during the T20 cricket match of Asia Cup between India and Pakistan, in Dubai, United Arab Emirates, Sunday, Aug. 28, 2022. (AP Photo/Anjum Naveed)

 

ଦୁବାଇ: ହାର୍ଦିକ ପାଣ୍ଡ୍ୟାଙ୍କ ଅଲ୍‌ରାଉଣ୍ଡ ସଫଳତା ବଳରେ ଏସିଆ କପ୍‌ ମୁକାବିଲାରେ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୫ ୱିକେଟରେ ଭାରତ ପରାସ୍ତ କରିଛି। ରବିବାର ଗ୍ରୁପ୍‌ ‘ଏ’ର ଏହି ମହା ମୁକାବିଲା ରୋମାଞ୍ଚକର ହୋଇଥିଲା ଏବଂ ୨ଟି ବଲ୍‌ ବାକିଥାଇ ଭାରତ ଜିତିଥିଲା। ଏହାସହ ଏହି ପଡ଼ିଆରେ ୧୦ ମାସ ତଳେ ଟି୨୦ ବିଶ୍ବକପ୍‌ରେ ପାକିସ୍ତାନଠାରୁ ୧୦ ୱିକେଟରେ ପରାସ୍ତ ହୋଇଥିବା ଭାରତ ତା’ର ପ୍ରତିଶୋଧ ନେଇପାରିଛି। ଭାରତୀୟ ପେସ୍‌ ବୋଲରଙ୍କ ସର୍ଟ ପିଚ୍‌ ବୋଲିଂର ମୁକାବିଲା କରିନପାରି ପାକିସ୍ତାନ ଗୋଟିଏ ବଲ୍‌ ବାକିଥାଇ ୧୪୭ ରନ୍‌କରି ଅଲ୍‌ଆଉଟ୍‌ ହୋଇଥିଲା। ପରେ ବିରାଟ କୋହଲି, ରବୀନ୍ଦ୍ର ଜାଡ଼େଜା ଓ ହାର୍ଦିକ ପାଣ୍ଡ୍ୟାଙ୍କ ଉପଯୋଗୀ ଇନିଂସ ବଳରେ ୨ଟି ବଲ୍‌ ବାକିଥାଇ ୫ ୱିକେଟରେ ଭାରତ ଜିତିଥିଲା।

ଭାରତ ୧୪୮ ରନ୍‌ର ପିଛା କରିଥିବା ବେଳେ ଇନିଂସର ୨ୟ ବଲ୍‌ରେ କେ.ଏଲ୍‌. ରାହୁଲ ଆଉଟ୍‌ ହୋଇଥିଲେ। ୪ର୍ଥ ବଲ୍‌ରେ ବିରାଟ କୋହଲି ସ୍ଲିପ୍‌ରେ କ୍ୟାଚ୍‌ ଦେଇଥିଲେ ହେଁ ଫଖର ଜମାନ୍‌ ଏହାକୁ ଛାଡ଼ି ଦେଇଥିଲେ। ପରେ କୋହଲି ଓ ରୋହିତ ଶର୍ମା ସ୍କୋର୍‌କୁ ଆଗକୁ ବଢ଼ାଇଥିଲେ। ବାମହାତି ସ୍ପିନର ମହମ୍ମଦ ନୱାଜ୍‌ ତାଙ୍କ ପ୍ରଥମ ୨ ଓଭରରେ ୨ଟି ୱିକେଟ ନେଇ ଦଳକୁ ମ୍ୟାଚ୍‌କୁ ଫେରାଇଥିଲେ। ୨ୟ ୱିକେଟ ପାଇଁ ୪୯ ରନ୍‌ ଯୋଡ଼ିବା ପରେ ଛକା ମାରିବା ପ୍ରୟାସରେ ରୋହିତ ୱିକେଟ ଦେଇଥିଲେ। ରୋହିତ ୧୮ ବଲ୍‌ରୁ ୧୨ ରନ୍‌ କରିଥିଲେ। ୧୦୦ତମ ଟି୨୦ ମ୍ୟାଚ୍‌ରେ ବିରାଟ ୩୪ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୫ ରନ୍‌କରି ରୋହିତ ବାଉଣ୍ଡରୀରେ କ୍ୟାଚ୍‌ ଦେଇଥିଲେ। ୫୩ ରନ୍‌ରେ ୩ଟି ୱିକେଟ ପଡ଼ିବା ପରେ ରବୀନ୍ଦ୍ର ଜାଡ଼େଜା ଓ ସୂର୍ଯ୍ୟକୁମାର ଯାଦବ ୩୧ ବଲ୍‌ରୁ ୩୬ ରନ୍‌ ଯୋଡ଼ିଥିଲେ। ସୂର୍ଯ୍ୟକୁମାର ୧୮ ବଲ୍‌ରୁ ୧୮ ରନ୍‌ କରି ଆଉଟ୍‌ ହୋଇଥିଲେ। ୨ ଓଭରରୁ ୨୧ ରନ୍‌ ଆବଶ୍ୟକ ଥିଲା। ୧୯ଶ ଓଭରରେ ୧୪ ରନ୍‌ ହେବାରୁ ଭାରତର ବିଜୟ ନିଶ୍ଚିତ ହୋଇଥିଲା। ଶେଷ ଓଭରରେ ୭ ରନ୍‌ ଆବଶ୍ୟକ ଥିବାବେଳେ ପ୍ରଥମ ବଲ୍‌ରେ ଜାଡ଼େଜା ବୋଲ୍‌ଡ ହୋଇଥିଲେ।

ଜାଡ଼େଜା ୨୯ ବଲ୍‌ରୁ ୨ଟି ଲେଖାଏଁ ଛକା ଓ ଚୌକା ସହ ୩୫ ରନ୍‌ କରିଥିଲେ। ଛକାମାରି ଦଳକୁ ଜିତାଇଥିବା ହାର୍ଦିକ ପାଣ୍ଡ୍ୟା ୧୭ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୩ ରନ୍‌କରି ଅପରାଜିତ ଥିଲେ। ମହମ୍ମଦ ନୱାଜ୍‌ ୩ଟି ଓ ନସିମ୍ ଶାହା ୨ଟି ୱିକେଟ ନେଇଥିଲେ। ହାର୍ଦିକ ପାଣ୍ଡ୍ୟା ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି ଭାରତ ଫିଲ୍‌ଡିଂ ନେଇଥିଲା। ଭାରତୀୟ ପେସ୍ ବୋଲରଙ୍କ ସର୍ଟ ପିଚ୍‌ ବୋଲିଂ ରଣନୀତି ସଫଳ ହୋଇଥିଲା। ପାକିସ୍ତାନର ପ୍ରଥମ ୫ ବ୍ୟାଟ୍‌ସମ୍ୟାନ ସର୍ଟ ବଲ୍‌ରେ ଆଉଟ୍‌ ହୋଇଥିଲେ। ବିଶ୍ବର ୧ନଂ ଟି୨୦ ବ୍ୟାଟ୍‌ସମ୍ୟାନ ଅଧିନାୟକ ବାବର ଆଜମ୍‌ ୨ଟି ଚୌକା ସହ ୧୦ ରନ୍‌କରି ବିଦାୟ ନେଇଥିଲେ। ଅନ୍ୟ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍‌ ଫଖର ଜମାନ୍‌ ମଧ୍ୟ ଅଫ୍‌ଷ୍ଟମ୍ପ୍ ବାହାରର ସର୍ଟ ପିଚ୍‌ ବଲ୍‌ରେ ଆଉଟ୍‌ ହୋଇଥିଲେ। ଫଖର ୨ଟି ଚୌକା ସହ ୧୦ ରନ୍‌ କରିଥିଲେ। ୩ୟ ୱିକେଟ ଭାଗିଦାରୀ ପାକିସ୍ତାନ ପାଇଁ ଫଳପ୍ରସୂ ହୋଇଥିଲା। ଫର୍ମରେ ଥିବା ମହମ୍ମଦ ରିଜ୍‌ୱାନ ଓ ଇଫ୍‌ତିକାର ଅହମ୍ମଦ ୬.୨ ଓଭରରେ ୪୫ ରନ୍‌ ଯୋଡ଼ିଥିଲେ। ହେଲେ ଏହି ଯୋଡ଼ି ଭାଙ୍ଗିବା ସହ ପାକିସ୍ତାନର ବିପର୍ଯ୍ୟୟ ଆରମ୍ଭ ହୋଇ ଯାଇଥିଲା। ୨୭ ରନ୍‌ରେ ପାକିସ୍ତାନ ୫ଟି ୱିକେଟ ହରାଇଥିଲା। ଇଫ୍‌ତିକାର ୨୨ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୮ ରନ୍‌ କରିଥିଲେ। ଖୁସ୍‌ଦିଲ ଶାହା ୨, ସଦ୍ଦାବ ଖାଁ ୧୦ ଓ ଆସିଫ୍‌ ଅଲୀ ୯ ରନ୍‌କରି ଆଉଟ୍‌ ହୋଇଥିଲେ। ୧୮ଶ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ଥିବା ରିଜ୍‌ୱାନ ୪୨ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ସର୍ବାଧିକ ୪୩ ରନ୍‌ କରିଥିଲେ। ଶାହ୍‌ନୱାଜ୍ ଦହାନି ୬ଟି ବଲ୍‌ରୁ ୨ଟି ଛକା ସହ ମୂଲ୍ୟବାନ ୧୬ ରନ୍‌ କରିଥିଲେ। ହାରିସ୍ ରୌଫ୍‌ ୭ ବଲ୍‌ରୁ ୧୩ ରନ୍‌କରି ଅପରାଜିତ ଥିଲେ। ଭୁବନେଶ୍ବର କୁମାର ୪ଟି, ହାର୍ଦିକ ପାଣ୍ଡ୍ୟା ୩ଟି ଓ ଅର୍ଶଦୀପ ସିଂହ ୨ଟି ୱିକେଟ ନେଇଥିଲେ।

Spread the love