July 27, 2024

Satya News

odia news channel

ପାଠପଢ଼ି ଚାକିରି କରିବାକୁ ଇଛା : ଉଛୁଳା ନଈ ପାରି ହେଉଛନ୍ତି ଦୀପିକା

 

ଜେମାଦେଇପେଣ୍ଠ : ଗାଁ ମୁଣ୍ଡରେ ପ୍ରବାହିତ ନାଗାବଳୀ ନଦୀ । ଲୋକେ ମୌଳିକ ସୁବିଧାରୁ ବଞ୍ଚିତ। ବର୍ଷା ଦିନେ ନଦୀରେ ବନ୍ୟା ଆସିଲେ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଯିବା ବନ୍ଦ ହୋଇଯାଉଛି । ଏଥିପାଇଁ ବିଦ୍ୟାଳୟରେ ପିଲାଙ୍କ ଉପସ୍ଥାନ କମ ରହୁଛି । ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇପାରୁ ନାହାନ୍ତି । ଅନେକ ଛାତ୍ରଛାତ୍ରୀ ବିଦ୍ୟାଳୟ ଯିବା ପାଇଁ ଅମଙ୍ଗ ହେଉଥିବା ବେ​‌‌ଳେ ଜଣେ ଛାତ୍ରୀ କୃତକାର୍ଯ୍ୟ ହେବାକୁ ସବୁଦିନ ଉଛୁଳା ନଈ ପାରି ହୋଇ ବିଦ୍ୟାଳୟକୁ ଯାଉଛନ୍ତି । ଏପରି ଘଟଣା ରାୟଗଡ଼ା ଜିଲା କେରେଡା ପଞ୍ଚାୟତ ଅଣିଜା ଗାଁରେ ଦେଖିବାକୁ ମିଳିଛି।


ଏହି  ଗାଁର ଛାତ୍ରୀ ଦୀପିକା କିଲାକା । ସପ୍ତମ ଶ୍ରେଣୀରେ ପଢ଼ୁଛନ୍ତି । ସବୁଦିନ ଭରା ନଈ ପାର ହୋଇ ପାଠ ପଢ଼ିବାକୁ ବିଦ୍ୟାଳୟକୁ ଯାଉଛନ୍ତି । ସାହସ ଧରି ମନୋବଳ ଦୃଢ଼ କରି ଶ୍ରେଣୀ ଉତ୍ତୀର୍ଣ୍ଣ ହେବାକୁ ନିରନ୍ତର ପ୍ରୟାସ କରୁଛନ୍ତି । ପିଲା ଦିନରୁ ବାପାଙ୍କୁ ହରାଇଛନ୍ତି । ଛାତ୍ରୀ ଜଣଙ୍କ ପରିବାର ବୋଝ ମୁଣ୍ଡାଇଛନ୍ତି । ଏହି ଗାଁଠାରୁ ଏକ କିଲୋମିଟର ଦୂର କେରେଡା ଉଚ୍ଚ ବିଦ୍ୟାଳୟ ରହିଛି । ବିଦ୍ୟାଳୟ ଯିବାକୁ ହେଲେ ମଝିରେ ନଦୀ ପଡୁଛି । ଗ୍ରାମର ଛାତ୍ରଛାତ୍ରୀ ନଈ ପାର ହୋଇ ବିଦ୍ୟାଳୟକୁ ଯାଉ ନାହାନ୍ତି । ଆଉ କିଛି ଛାତ୍ରଛାତ୍ରୀ ଗାଁଠାରୁ ୩୦ କିଲୋମିଟର ଦୂର ଆଶ୍ରମ ବିଦ୍ୟାଳୟରେ ରହି ପାଠ ପଢ଼ୁଛନ୍ତି । ଆଶ୍ରମ ବିଦ୍ୟାଳୟରେ ରହି ପଢ଼ିବାକୁ ଦୀପିକାଙ୍କ ଇଛା । ବାପା ଆରପାରିକି ଚାଲିଯାଇଥିବାରୁ ବୃଦ୍ଧା ମା’ ଛାତ୍ରବାସରେ ରହିବା ପାଇଁ ଦୀପିକାଙ୍କୁ ମନା କରୁଛନ୍ତି । ଆସନ୍ତା ବର୍ଷକୁ ଛାତ୍ରବାସରେ ରହିବା ପାଇଁ ଉଦ୍ୟମ କରିବି । ନଦୀ ପାରି ହେବାକୁ ପଡୁଛି । ତଥାପି ପାଠ ପଢି ଚାକିରି କରି ପରିବାର ପ୍ରତିପୋଷଣ କରିବି ବୋଲି ଦୀପିକା କହିଛନ୍ତି । ନଦୀ​​‌ରେ‌ ପାଣି ବଢ଼ିଲେ ବିଦ୍ୟାଳୟ ଯାଇ ହେଉନି । ଠିକ ସମୟରେ ବିଦ୍ୟାଳୟ ନ ପହଞ୍ଚିଲେ ଶିକ୍ଷକ ତାଗିଦା କରୁଛନ୍ତି । ଅନେକ ଥର ଅକୃତକାର୍ଯ୍ୟ ହୋଇଛି । ଏଥର ନିଶ୍ଚିତ କୃତକାର୍ଯ୍ୟ ହୋଇ ନାମ ରଖିବି । କେରେଡା ପଞ୍ଚାୟତର ଅନେକ ଛାତ୍ରଛାତ୍ରୀ ତେଲୁଗୁ ପାଠ ପଢ଼ିବା ପାଇଁ ଆନ୍ଧ୍ର ସୀମାନ୍ତ ବିଦ୍ୟାଳୟରେ ନାମ ଲେଖାଇଛନ୍ତି। କିନ୍ତୁ ଓଡ଼ିଆ ବିଦ୍ୟାଳୟରେ ହିଁ ଓଡ଼ିଆ ପଢ଼ିବାକୁ ଦୀପିକାଙ୍କ ଇଛା । ଓଡ଼ିଆ ପାଠ ଭଲ ଲାଗେ । ଯେତେ କଷ୍ଟ ହେଲେ ବି ମୁଁ ଓଡ଼ିଆ ବିଦ୍ୟାଳୟରେ ପଢିବି ବୋଲି ଦୀପିକା କହିଛନ୍ତି । ସ୍ମରଣଯୋଗ୍ୟ କେରେଡ ପଞ୍ଚାୟତ ଦେଇ ପ୍ରବାହିତ ନାଗାବଳୀ । ନଦୀ ଆରପାରିରେ ୩ ଖଣ୍ଡ ଗାଁ ରହିଛି । ସେଗୁଡିକ ​ହେଲା ବୋର୍ରେ ହାଲୁଆ, ଆମ୍ପଲବଲ୍ସା ଓ ଅଣିଜା ଗାଁରେ ଉଚ୍ଚ ବିଦ୍ୟାଳୟ ନାହିଁ । କେବଳ ପ୍ରଥମରୁ ପଞ୍ଚମ ପଢ଼ିବା ପାଇଁ ଜିଲା ମଙ୍ଗଳ ବିଭାଗର ଆଶ୍ରମ ବିଦ୍ୟାଳୟ ଅଛି । ଷଷ୍ଠଠାରୁ ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀ କଷ୍ଟ ଭୋଗୁଥିଲା ବେଳେ ଆଉ କେତେ ଜଣ ତେଲଗୁ ପଢିବା ପାଇଁ ଆନ୍ଧ୍ର ପ୍ରଶାସନ ସହାୟତାରେ ହଷ୍ଟେଲରେ ରହୁଛନ୍ତି।

Spread the love