October 24, 2024

Satya News

odia news channel

ଭୁବନେଶ୍ୱର ବିମାନବନ୍ଦର ଛାତ ଭୁଶୁଡ଼ି ଜଣେ ମୃତ: ତଦନ୍ତ ନିର୍ଦ୍ଦେଶ, ଠିକାଦାର ଅଟକ

ଭୁବନେଶ୍ୱର,୨୫/୧: ଭୁବନେଶ୍ୱର ବିମାନବନ୍ଦରରେ ଭୁଷୁଡିଛି ନିର୍ମାଣାଧୀନ ଛାତ। ଏଥିରେ ଯାଇଛି ଜଣେ ଶ୍ରମିକଙ୍କ ଜୀବନ। ଆଉ ଜଣେ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାନୁଯାୟୀ, ଟର୍ମିନାଲ-୧ ଓ ଟର୍ମିନାଲ-୨କୁ ସଂଯୋଗ କରିବାକୁ ଏକ ଛାତର ନିର୍ମାଣ ଚାଲିଥିଲାବେଳେ ଶୁକ୍ରବାର ରାତିରେ ତାହା ଭୁଶୁଡି ପଡିଛି। ଏହା ତଳେ ଶ୍ରମିକମାନେ ଚାପିହୋଇ ରହିଥିବା ଖବରପାଇ ଓଡ୍ରାଫ, ଅଗ୍ନିଶମ, ଏନଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଆରମ୍ଭ କରିଥିଲା। ଛାତତଳେ ଫସିଥିବା ଶ୍ରମିକଙ୍କ ମଧ୍ୟରୁ ଢେଙ୍କାନାଳ ଅଞ୍ଚଳର ନବକିଶୋର ସ୍ୱାଇଁ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଉ ଜଣେ ଶ୍ରମିକ ଦୀର୍ଘ ୨ ଘଣ୍ଟାରୁ ଅଧିକ ସମୟ ଧରି ଉକ୍ତ ଛାତତଳେ ଫସି ରହିଥିବାରୁ ତାଙ୍କର ମୃତ୍ୟୁ ହୋଇଛି। ସନ୍ଧାନୀ କୁକୁର ଜରିଆରେ ତାଙ୍କୁ ଠାବ କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଶ୍ରମିକ ଜଣକ ବଡମ୍ବା ଅଞ୍ଚଳର ଅନ୍ତର୍ଯ୍ୟାମୀ ଗୁରୁ ବୋଲି ସୂଚନା ମିଳିଛି। ତେବେ ଘଟଣାକୁ ନେଇ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି। କିଭଳି ଏବଂ କେଉଁ ପରିସ୍ଥିତିରେ ଉକ୍ତ ନିର୍ମାଣାଧୀନ ଛାତ ଭୁଶୁଡିଛି ପ୍ରଶାସନ ତାର କାରଣ ଖୋଜିବ। ଘଟଣାର ତଦନ୍ତ କରାଯିବ ପରେ ସତ ସାମନାକୁ ଆସିବା ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଘଟଣାରେ ଠିକାଦାର ଦିଲୀପ ଖଟେଇଙ୍କୁ ଏୟାରପୋର୍ଟ ଥାନା ପୋଲିସ ଅଟକ ରଖିଛି। ଭୁବନେଶ୍ୱର ଡିସିପି ତାଙ୍କୁ ପଚରାଉଚରା କରୁଛନ୍ତି। ତେବେ କିଛି ଭୁଲ ଥିବା ନେଇ ଗତକାଲି ସେ ସ୍ୱୀକାର କରିଥିଲେ।

Spread the love