July 1, 2025

ଜରୀନଙ୍କୁ ୯-୧ରେ ପରାସ୍ତ କଲେ ମ୍ୟାରି କମ୍

ନୂଆଦିଲ୍ଲୀ,୨୯/୧୨: ୬ ଥରର ବିଶ୍ୱ ବିଜୟିନୀ ମ୍ୟାରି କମ୍ ୨୦୨୦ ଅଲିମ୍ପିକ୍ସ ଖେଳିବାକୁ ଆଉ ପାଦେ ଆଗକୁ ବଢ଼ିଛନ୍ତି। ଭାରତର ଅନ୍ୟତମ ଯୁବ ବକ୍ସର ନିଖହତ ଜରୀନଙ୍କୁ ସେ ୯-୧ରେ ପରାସ୍ତ କରିଛନ୍ତି। ଏବେ ସେ ଅଲିମ୍ପିକ୍ସ ଟିକେଟ ହାସଲ କରିବାକୁ ଚାଇନାରେ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବେ। ସୂଚନାନୁଯାୟୀ, ୫୧ କେଜି ବର୍ଗରେ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତର ପ୍ରତିନିଧିତ୍ୱ କରିବାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା। ନିଖହତ ଜରୀନ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଖେଳିବାକୁ ଦାବି କରିବାରୁ ଏଭଳି ସ୍ଥିତି ଉପୁଜିଥିଲା। ଫଳରେ ମ୍ୟାରି କମ ଓ ଜରୀନଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ଏଥିରେ ମ୍ୟାରିକମ ୯-୧ରେ ଜରୀନଙ୍କୁ ପରାସ୍ତ କରିଛନ୍ତି। ଏଥିସହ ଉପୁଜିଥିବା ଦ୍ବନ୍ଦ୍ବର ମଧ୍ୟ ଅନ୍ତଃ ଘଟିଛି। ତେବେ ମ୍ୟାଚ୍‌ ପୂର୍ବରୁ ରିଙ୍ଗ ବାହାରେ ମ୍ୟାରି କମ ଓ ଜରୀନଙ୍କ ମଧ୍ୟରେ କିଛି ସମୟ ବାକଯୁଦ୍ଧ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ମ୍ୟାଚ୍‌ ପରେ ଦୁଇ ଖେଳାଳି ପରସ୍ପରକୁ ଶୁଭେଚ୍ଛା ଜଣାଇବାକୁ ନିୟମ ରହିଥିଲେ ହେଁ ମ୍ୟାରିକମ ଜରୀନଙ୍କୁ ଅଣଦେଖା କରିଥିଲେ। ଏପରିକି ଜରୀନ ତାଙ୍କୁ ଆଲିଙ୍ଗନ କରିବାକୁ ଆସିଥିବାବେଳେ ମ୍ୟାରି ଏଥିରୁ ନିବୃତ୍ତ ରହିଥିଲେ।

Spread the love