November 16, 2025

ଥାନା ଭିତରେ ପୋଲିସକୁ ଆକ୍ରମଣ!

କଣ୍ଟାବାଞ୍ଜି,୨୭/୧: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଭିତରେ ମାଡ଼ଖାଇଛି ପୋଲିସ। ଏକ ଗୋଷ୍ଠୀ ବିବାଦର ସମାଧାନ କରିବା ଲାଗି ଉଦ୍ୟମ କରୁଥିବାବେଳେ ଉକ୍ତ ଥାନାର ଜଣେ ଏସ୍ଆଇଙ୍କୁ ଆକ୍ରମଣ କରାଯାଇଛି। ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାନୁସାରେ, ରବିବାର କଣ୍ଟାବାଞ୍ଜି ସିପକାପଡ଼ାର ମନୋରଞ୍ଜନ ଓ ତାଙ୍କ ଭଉଣୀ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ଦେଖିବା ପାଇଁ କଣ୍ଟାବାଞ୍ଜି ରେଲୱେ ଗ୍ରାଉଣ୍ଡକୁ ଯାଇଥିଲେ। ଏହି ସମୟରେ ମନୋରଞ୍ଜନଙ୍କର କିଛି ଯୁବକଙ୍କ ସହ ବଚସା ହେବାରୁ ସେମାନେ ତାଙ୍କୁ ଆକ୍ରମଣ କରିଥିଲେ। ଘଟଣା ସମ୍ପର୍କରେ ମନୋରଞ୍ଜନ ଅଭିଯୋଗ କରିବାକୁ କଣ୍ଟାବାଞ୍ଜି ଥାନାକୁ ଯାଇଥିଲେ। ସେଠାରେ ତାଙ୍କ ଭାଇ ବିଟୁ ମଧ୍ୟ ପହଞ୍ଚିଥିଲେ। ଖବରପାଇ ଅନ୍ୟ ଗୋଷ୍ଠୀର ଯୁବକମାନେ ଥାନାକୁ ଧସେଇ ପଶି ବିଟୁଙ୍କୁ ମାଡ଼ ମାରିଥିଲେ। ଥାନା ଭିତରେ ଗଣ୍ଡଗୋଳ ଦେଖି ଏସ୍ଆଇ ପ୍ରଣୟ ମୁର୍ମୁ ସମାଧାନ କରିବାକୁ ଚେଷ୍ଟା କରୁଥିବାବେଳେ ତାଙ୍କୁ ମଧ୍ୟ ଯୁବକମାନେ ମାରପିଟ କରିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଆକ୍ରମଣକାରୀ ଫେରାର ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣକୁ ପୋଲିସ ଅଟକ ରଖି ମାଲଲା ରୁଜୁ କରିବା ସହ ଅଧିକ ତଦନ୍ତ ଜାରିରଖିଛି।

Spread the love