July 27, 2024

Satya News

odia news channel

ଆଜି ମୁମ୍ବାଇକୁ ଭେଟିବ ରାଜସ୍ଥାନ, ହାରିଲେ ପ୍ଲେ ଅଫରୁ ବାଦ୍ ପଡିବ ଷ୍ଟିଭ୍ ସ୍ମିଥଙ୍କ RR !

ଆବୁଧାବି :  ଆଜି ଦ୍ୱିତୀୟ ଆଇପିଏଲ୍‌ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ରାଜସ୍ଥାନ ରୟାଲ୍ସ । ମ୍ୟାଚ୍‌ ଭାରତୀୟ ସମୟାନୁସାରେ ୭.୩୦ରେ ଆରମ୍ଭ ହେବ। ଏହି ମୁକାବିଲା ରୟାଲ୍ସ ପାଇଁ ‘କର ବା ମର’ ସଦୃଶ ରହିଛି। ପ୍ଲେ-ଅଫ୍‌ ଦୌଡ଼ରେ ରହିବାକୁ ହେଲେ ମ୍ୟାଚ୍‌ ଜିତିବା ଜରୁରୀ । ମୁମ୍ବାଇଠୁ ହାରିଲେ ଦଳ ପ୍ଲେ-ଅଫ୍‌ ଯୋଗ୍ୟତାରୁ ବଞ୍ଚିତ ହେବ। ଅନ୍ୟ ପଟରେ ମୁମ୍ବାଇ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ବଜାୟ ଲକ୍ଷ୍ୟ ନେଇ ଆକ୍ସନକୁ ଓହ୍ଲାଇବ ।

ରୟାଲ୍ସ ଦଳ ୧୧ଟି ମ୍ୟାଚ୍‌ରୁ ୪ ବିଜୟ ମୋଟ ୮ପଏଣ୍ଟ ପାଇ ସପ୍ତମ ସ୍ଥାନରେ ରହିଛି। ଶେଷ ୩ଟି ମ୍ୟାଚ୍‌ ଜିତିବା ଅତ୍ୟନ୍ତ ଜରୁରୀ ରହିଛି । ପୂର୍ବ ମ୍ୟାଚ୍‌ରେ ଦଳ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ନିକଟରୁ ୮ ୱିକେଟ୍‌ରେ ପରାଜିତ ହୋଇଥିଲା। ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଫେଲ୍‌ ମାରିଥିଲା । ମୁମ୍ବାଇକୁ ହରାଇବା ସେତେଟା ସହଜ ହେବନି । ତେଣୁ ଦଳକୁ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ । ଖାସ୍‌ କରି ବ୍ୟାଟିଂ ବିଭାଗ । ଟପ୍‌ ଅର୍ଡ଼ର ବ୍ୟାଟ୍ସମ୍ୟାନମାନେ ତ୍ରୁଟି ସୁଧାରି ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଲକ୍ଷ୍ୟ ରଖିଛନ୍ତି । ଆଜି ମୁମ୍ବାଇ ବ୍ୟାଟ୍ସମ୍ୟାନ୍‌ ଓ ରୟାଲ୍ସ ପେସ୍‌ ବୋଲର ଜୋଫ୍ରା ଆର୍ଚର ଓ କାର୍ତ୍ତିକ ତ୍ୟାଗୀଙ୍କ ମଧ୍ୟରେ କଡ଼ା ଟକ୍କର ଆଶା କରାଯାଉଛି ।

ମୁମ୍ବାଇ ଦଳ ଚଳିତ ସିଜନରେ ଆଧିପତ୍ୟ ବିସ୍ତାର କରିଛି । ୭ ବିଜୟ ସହ ୧୪ ପଏଣ୍ଟ ପାଇ ତାଲିକାର ଶୀର୍ଷରେ ରହିଛି। ସୁପର କିଙ୍ଗ୍‌ସ ବିପକ୍ଷ ପୂର୍ବ ମୁକାବିଲାରେ ଆହତ ଅଧିନାୟକ ରୋହିତ ଶର୍ମା ଖେଳିନଥିଲେ । ଆସନ୍ତାକାଲି ମଧ୍ୟ ତାଙ୍କ ଖେଳିବା ନେଇ ସନ୍ଦେହ ରହିଛି । ତାଙ୍କ ଅନୁପସ୍ଥିତିରେ ଦଳ ୧୦ ୱିକେଟ୍‌ରେ ବୃହତ ବିଜୟ ହାସଲ କରିଥିଲା । ପେସ୍‌ ବୋଲର ଟ୍ରେଣ୍ଟ ବୋଲ୍ଟ ଓ ଯଶପ୍ରୀତ୍‌ ବୁମରା ଯୋଡ଼ି ବିପର୍ଯ୍ୟୟ ଘଟାଇଥିବାବେଳେ ଓପନର ଇଶାନ୍‌ କିଷନ୍‌ ଅର୍ଦ୍ଧଶତକ ହାସଲ କରିଥିଲେ । ଆସନ୍ତାକାଲି ବୋଲ୍ଟ ଓ ବୁମ୍‌ରାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ମୁମ୍ବାଇ ୫୭ରନ୍‌ରେ ରୟାଲ୍ସକୁ ପରାଜିତ କରିଥିଲା । ତେଣୁ ଦଳ ପୂର୍ବ ପ୍ରଦର୍ଶନ ଦୋହରାଇବା ଲକ୍ଷ୍ୟରେ ରହିବ ।

Spread the love