July 27, 2024

Satya News

odia news channel

ଦିଲ୍ଲୀରେ ଆପକୁ ବହୁମତ: ୧୪ରେ ଶପଥ ନେଇ ପାରନ୍ତି କେଜ୍ରିୱାଲ

ନୂଆଦିଲ୍ଲୀ,୧୧/୨: ପୁଣିଥରେ ଦିଲ୍ଲୀବାସୀଙ୍କ ହୃଦୟ ଜିତିଛନ୍ତି କେଜ୍ରିୱାଲ। ବହୁମତ ସହ ଆମ ଆଦମୀ ପାର୍ଟି ପୁଣିଥରେ ଦିଲ୍ଲୀରେ କ୍ଷମତା ଦଖଲ କରିଛି। ଆପ୍ ୬୨ ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୮ଟି ଆସନରେ ଓ କଂଗ୍ରେସ ୦ ଆସନ ଲାଭ କରିଛି। ଦିନେ କିମ୍ବା ଦୁଇଦିନ ଭିତରେ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି। ଫେବୃଆରୀ ୧୪ ଅର୍ଥାତ ଭାଇଲେଣ୍ଟାଇନ୍ସ ଡେ’ରେ କେଜ୍ରିୱାଲ ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଭାଇଲେଣ୍ଟାଇନ୍ସ ଡେ’ ସହ କେଜ୍ରିୱାଲଙ୍କ ସମ୍ପର୍କ ବେଶ ପୁରୁଣା। ୨୦୧୩ ଡିସେମ୍ବର ମାସରେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମଥର ଶପଥ ନେଇଥିଲେ। ଏହାର ୪୯ ଦିନ ପରେ ଅର୍ଥାତ ୨୦୧୪ ଫେବୃଆରୀ ୧୪ରେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେହିପରି ଦ୍ୱିତୀୟ ଥର ୨୦୧୫ ଫେବୃଆରୀ ୧୪ରେ କେଜ୍ରିୱାଲ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏବେ ପୁଣିଥରେ ଭାଇଲେଣ୍ଟାଇନ୍ସ ଡେ’ରେ କେଜ୍ରିୱାଲ ତାଙ୍କର ତୃତୀୟ ଇନିଂସ ଆରମ୍ଭ କରିପାରନ୍ତି। ୨୦୧୨ରେ କେଜ୍ରିୱାଲ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଆନ୍ନାଙ୍କଠାରୁ ଅଲଗା ହୋଇ ଆମ ଆଦମୀ ପାର୍ଟି ଗଠନ କରିଥିଲେ। ଏହି ସମୟରେ କ୍ଷମତାରେ ଥିବା କଂଗ୍ରେସର ବିକଳ୍ପ ଭାବେ ଲୋକମାନେ ଆପକୁ ଦେଖିଥିଲେ। ୨୦୧୩ରେ କେଜ୍ରିୱାଲ କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ବିରୋଧରେ ପ୍ରାର୍ଥୀ ହୋଇ ବିପୁଳ ବ୍ୟବଧାନରେ ବିଜୟ ଲାଭ କରିଥିଲେ।

Spread the love