July 27, 2024

Satya News

odia news channel

କେନ୍ଦ୍ର ସରକାର ଓ ବିଜେପି ଦେଶରେ ଆତଙ୍କବାଦୀଙ୍କୁ ଜନ୍ମ ଦେଉଛନ୍ତି: ଅନୁରାଗ କଶ୍ୟପ

ନୂଆଦିଲ୍ଲୀ,୩୦/୧: ସିଏଏ ଓ ଏନଆରସିକୁ ନେଇ ଗୁରୁବାର ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ବିରୋଧ ପ୍ରଦର୍ଶନ କରାଯାଉଥିବାବେଳେ ଛାତ୍ରଛାତ୍ରୀଙ୍କ ଉପରକୁ ଜଣେ ଯୁବକ ଗୁଳି ଚଳାଇଛନ୍ତି। ଏଥିରେ ବିରୋଧ ପ୍ରଦର୍ଶନ କରୁଥିବା ଶାଦାବ ନାମକ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ମୋଦୀ ସରକାରଙ୍କୁ ଟାର୍ଗେଟ କରିବା ସହ ଏକାଧିକ ଟ୍ୱିଟ୍ କରି ବର୍ଷିଛନ୍ତି। ଏହି ସରକାର ‘ଜୟ ଶ୍ରୀରାମ’ ଓ ‘ଭାରତ ମାତା କି ଜୟ’ ବୋଲି କହି ହିନ୍ଦୁତ୍ୱ ନାଁ’ରେ ଆତଙ୍କରାଜ କରିବାକୁ ପ୍ରୋତ୍ସାହିତ କରୁଥିବା ସେ ଟ୍ୱିଟରେ ଉଲ୍ଲେଖ କରିଛନ୍ତି। ଏଥିସହ ଏହି ସରକାର ଓ ବିଜେପି ଦେଶରେ ଆତଙ୍କବାଦୀଙ୍କୁ ଜନ୍ମ ଦେଉଥିବା ଉପରେ କାହାର ସନ୍ଦେହ ଅଛିକି ବୋଲି ପ୍ରଶ୍ନ କରିଛନ୍ତି। ସେହିଭଳି ଅନ୍ୟ ଏକ ଟ୍ୱିଟରେ ସବୁ ହିନ୍ଦୁ ଆତଙ୍କବାଦୀଙ୍କୁ ସେମାନେ ହିଁ ଦେଶଭକ୍ତ ବୋଲି ଲାଗୁଥିବା ଅନୁରାଗ ଉଲ୍ଲେଖ କରିଛନ୍ତି। ଗତ ୬ ବର୍ଷ ମଧ୍ୟରେ ମୋଦୀ, ଶାହା ଓ ବିଜେପି ଏହାକୁ ହିଁ ହାସଲ କରିଥିବା ସେ ଲେଖିବା ସହ ସେଥିପାଇଁ ଅଭିନନ୍ଦନ ବୋଲି ଟ୍ୱିଟରେ ଦର୍ଶାଇଛନ୍ତି। ସୂଚନାଯୋଗ୍ୟ, କିଛିଦିନ ହେବ ଅନୁରାଗ କଶ୍ୟପ ସିଏଏ ଓ ଏନଆରସିକୁ ନେଇ ସରକାରଙ୍କୁ ବିରୋଧ କରିବା ସହ ବିଭିନ୍ନ ପ୍ରଦର୍ଶନରେ ସାମିଲ ହେଉଛନ୍ତି। ମାତ୍ର ଜାମିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ଆକ୍ରମଣ ପରେ ସୋସିଆଲ ମିଡିଆରେ ସରକାରଙ୍କୁ ସେ ଟାର୍ଗେଟ କରୁଛନ୍ତି।

Spread the love