July 26, 2024

Satya News

odia news channel

ଆରମ୍ଭ ହେଲା ବଜେଟ୍‌ ଅଧିବେଶନ

ନୂଆଦିଲ୍ଲୀ,୩୧/୧: ପାର୍ଲାମେଣ୍ଟ୍‌ର ବଜେଟ୍‌ ଅଧିବେଶନ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଛି। ଏହି ଅବସରରେ ଉଭୟ ଗୃହର ସଦସ୍ୟମାନଙ୍କୁ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ୫ ଟ୍ରିଲିୟନ୍‌ ଡଲାର୍‌ ଅର୍ଥନୀତି ହାସଲ କରିବାକୁ ସରକାର ପ୍ରତିବଦ୍ଧ। ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି, ୨୦୨୦ ହେଉଛି ଭାରତ ସ୍ୱାଧୀନତାର ୭୫ତମ ବର୍ଷ। ଆମେ ଏକତ୍ର କାମ କରିବା ଉଚିତ। ସମ୍ବିଧାନ ଆମର ପଥପ୍ରଦର୍ଶନ କରୁଛି। ଜାତୀୟ ସ୍ୱାର୍ଥକୁ ସର୍ବାଗ୍ରେ ରଖି ଦେଶବାସୀଙ୍କ ଆଶା ପୂରଣ କରିବା ଓ ସେମାନଙ୍କ ପାଇଁ ଅତ୍ୟାବଶ୍ୟକ ଆଇନ ପ୍ରଣୟନ କରିବା ନିମନ୍ତେ ସଂସଦ ଏବଂ ଏଠାରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କଠାରୁ ଆମ ସମ୍ବିଧାନ ଆଶା କରୁଛି ବୋଲି ସେ ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ପାର୍ଲାମେଣ୍ଟ୍‌ରେ ପ୍ରବେଶ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଏହା ହେଉଛି ୨୦୨୦ର ପ୍ରଥମ ଅଧିବେଶନ ଏବଂ ଏ ଦଶନ୍ଧିର ପ୍ରଥମ ପାର୍ଲାମେଣ୍ଟ୍‌ ଅଧିବେଶନ। ଏ ଦଶନ୍ଧିର ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ଆମେ ସମସ୍ତେ ବ୍ୟାପକ ଉଦ୍ୟମ କରିବା ସହ ଏହାର ମୂଳଦୁଆକୁ ସୁଦୃଢ଼ କରିବା। ଏହି ଅଧିବେଶନ ମୁଖ୍ୟତଃ ଅର୍ଥନୈତିକ ସମସ୍ୟା ଉପରେ ଧ୍ୟାନ ଦେବ ବୋଲି ସେ ପ୍ରକାଶ କରିବା ସହ ଆର୍ଥିକ ସମସ୍ୟାଗୁଡ଼ିକ ଉପରେ ଉଭୟ ଗୃହରେ ଉତ୍ତମ ବିତର୍କ କରାଯାଉ ବୋଲି ଚାହୁଁଥିବା କହିଥିଲେ। ସେପଟେ ବଜେଟ୍‌ ଅଧିବେଶନ ପୂର୍ବରୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ‘ସିଏଏ’, ‘ଏନ୍‌ପିଆର୍‌’ ଏବଂ ‘ଏନ୍‌ଆର୍‌ସି’ ବିରୋଧରେ ପ୍ରତିବାଦ କରୁଥିବା ରାଜନୈତିକ ଦଳର ନେତାମାନଙ୍କର ନେତୃତ୍ୱ ନେଇଥିଲେ। ସେମାନେ ‘ସେଭ୍‌ ଇଣ୍ଡିଆ’ ଏବଂ ‘ନୋ ଟୁ ସିଏଏ, ଏନ୍‌ଆର୍‌ସି’ ପ୍ଲାକାର୍ଡ ଧରି ସ୍ଲୋଗାନ୍‌ ଦେଇଥିଲେ।

Spread the love