July 27, 2024

Satya News

odia news channel

ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, ୧୦ କିଲୋରୁ ଅଧିକ ସୁନା ଜବତ : IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍

 

କଟକ : ବାହା ବେଦୀରୁ ବନ୍ଧା ହେଲେ ବ୍ୟାଙ୍କ୍ ମ୍ୟାନେଜର । କଟକ ବଜ୍ରକବାଟି ମାନାପୁରମ୍‌ ଗୋଲ୍ଡ ଲୋନ୍ ଶାଖାର ମ୍ୟାନେଜରଙ୍କୁ ବାନ୍ଧିଲା ପୋଲିସ । ସୁନା ହେରଫେର ମାମଲାରେ ମ୍ୟାନେଜର ଗିରଫ ହୋଇଛନ୍ତି । ନୟାସଡକ IIFLରୁ ଲୁଟ୍‌ ଘଟଣାରେ ପୋଲିସ ଚଢାଉ କରିଥିଲା । ୧୦ କିଲୋରୁ ଉର୍ଦ୍ଧ୍ବ ସୁନା ଜବତ କରିଛି ପୋଲିସ । ହଡପ ସୁନା ମାନାପୁରମ୍‌ ଗୋଲ୍ଡରେ ଥିବା ପୋଲିସ ସୁରାକ୍ ପାଇଥିଲା ।

କଟକ ନୟାସଡକ IIFL ଶାଖାରୁ ସୁନା ଲୁଟ୍ ଘଟଣାରେ ୭ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଏଥିସହ ୩ କିଲୋ ସୁନା ଜବତ ହୋଇଥିଲା । IIFLରୁ ସୁନା ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟଙ୍କ ସହ ସହଯୋଗୀ ନୀଳିମା ଲେଙ୍କାଙ୍କୁ ମଧ୍ୟ ପୋଲିସ ଗିରଫ କରିଥିଲା । ସୁନା ଲୁଟ୍ ଅୟସ କରୁଥିଲା ଲାଲା । ଆଉ ଏଥିରେ ସହଯୋଗ କରିଥିଲେ ଲେଡି ଅଫିସର ତଥା IIFLର ଆକାଉଣ୍ଟାଣ୍ଟ ନୀଳିମା । ନୀଳିମାଙ୍କୁ ମିଶାଇ ଏହି ଲୁଟ୍‌ ମାମଲାରେ ଏବେ ସୁଦ୍ଧା ୭ ଜଣ ଗିରଫ ହୋଇଥିଲେ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଡିସିପି ପ୍ରତୀକ ସିଂହ।

ଅଡିଟ୍‌ରେ ଫାଙ୍କିବା ପାଇଁ ନକଲି ସୁନା ମିଶାଇଥିଲା ଲାଲା । ହଡପ ଟଙ୍କାରେ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲା ଲାଲା । ଦାମୀ ଗାଡି ଚଢୁଥିଲା । ମନ ଇଚ୍ଛା ଖର୍ଚ୍ଚ କରୁଥିଲା । ତେବେ ସେ ଏବେ ନୁହେଁ କେବେଠୁ ବ୍ୟାଙ୍କରୁ ଟଙ୍କା, ସୁନା, ହଡପ କରୁଥିଲା । ସେଥିପାଇଁ ବିଭିନ୍ନ ପନ୍ଥା ଆପଣାଇଥିଲା ଅଭିଯୁକ୍ତ । ତଦନ୍ତରୁ ଜଣା ପଡିଛି ଯେ, ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତକୁ ସିଧାସଳଖ ନୀଳିମା ସହଯୋଗ କରୁଥିଲା । ନୀଳିମା IIFLର ସଂସ୍ଥାର ଆକାଉଣ୍ଟାଣ୍ଟ । ଲୁଟ୍ ଲିଙ୍କ୍‌ରେ ମାନାପୁରମ୍ ଗୋଲ୍ଡ ଲୋନ୍ ସଂସ୍ଥାରେ ମଧ୍ୟ ଲାଲାକୁ ନେଇ ଅଧିକ ତଦନ୍ତ କରିଥିଲା ପୋଲିସ ।

ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ଦିନ କଟକ ନୟାସଡ଼କ ସ୍ଥିତ IIFL ଶାଖାରୁ ୨୦ କୋଟି ଟଙ୍କାର ସୁନାଗହଣା ଲୁଟିନେଇଥିଲେ ଦୁର୍ବୁତ୍ତ । ତେବେ ଏତେ କମ୍ ସମୟରେ ଏତେ ପରିମାଣର ସୁନା ଲୁଟ୍ କିପରି ହେଲା । ଲୁଟ୍‌ ସମୟରେ IIFLର ସିସିଟିଭ କାମ କରୁନଥିଲା । ଏପରି ଆଦି ଅନେକ ପ୍ରଶ୍ନର ଛାନ୍‌ଭିନ୍‌ ଆରମ୍ଭ କରିଥିଲା କମିଶନରେଟ୍ ପୋଲିସ । ଘଟଣାର ତଦନ୍ତ ଓ ଛାନ୍‌ଭିନ୍‌ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା ଏବଂ ବିଭିନ୍ନ ସ୍ଥାନରେ ମଧ୍ୟ ଚଢାଉ କରିଥିଲା । ମାତ୍ର ୬ ଦିନ ପରେ ପୋଲିସ ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଥିଲ ।

Spread the love