July 27, 2024

Satya News

odia news channel

ଭାରତ-ଚୀନ ସୀମା ବିବାଦ: ବିବାଦ ସମାଧାନ ପାଇଁ ଦୁଇ ଦେଶ ସହମତ, ଶୀଘ୍ର ହେବ ବୈଠକ

 

ନୂଆଦିଲ୍ଲୀ  : ପୂର୍ବ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଭାରତ ଚୀନ ମଧ୍ୟରେ ଜାରି ରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଶନିବାର ଦିନ ପୁଣି ଉଭୟ ଦେଶ ମଧ୍ୟରେ କମାଣ୍ଡର ସ୍ଥରୀୟ ବୈଠକ ହୋଇଛି। ଲଦାଖ ଚୁଶୁଲରେ ଦୁଇ ଦେଶ ମଧ୍ୟରେ ବସିଥିବା ବୈଠକକୁ ନୂଆଦିଲ୍ଲୀ ରଚନାତ୍ମକ ବୋଲି କହିଛି। ଖୁବ ଶୀଘ୍ର ସୀମାରେ ଶାନ୍ତି ରକ୍ଷା କରିବାକୁ ଏବଂ ନିୟନ୍ତ୍ରଣ ରେଖାରେ ବିବାଦ ସମାଧାନ ପାଇଁ ଆଉ ଏକ ବୈଠକ ହେବ ବୋଲି କୁହାଯାଉଛି। ଶନିବାର ଦିନ ବସିଥିବା ବୈଠକରେ ଦୁଇ ଦେଶ ସୀମାରେ ଶାନ୍ତି ବଜାୟ ରଖିବାକୁ ସହମତି ଦେଇଛନ୍ତି।

ଭାରତ ଚୀନ ମଧ୍ୟରେ ଜାରିଥିବା ଗତିରୋଧ କମ କରିବାକୁ ଏବେ ସୁଦ୍ଧା ୮ଥର ବୈଠକ ବସିସାରିଛି। ଶନିବାର ଦିନ ଲଦାଖ ଚୁଶୁଲ ଠାରେ ଅଷ୍ଟମ ଥର ପାଇଁ ବୈଠକ ପରେ ଭାରତ ତରଫରୁ ବୟାନ ଜାରି କରି କୁହାଯାଇଛି ଯେ ଭାରତ ଓ ଚୀନ ମଧ୍ୟରେ ପଶ୍ଚିମ କ୍ଷେତ୍ରରେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଡିସ୍-ଏନଗେଜମେଣ୍ଟକୁ ନେଇ ଗମ୍ଭୀର ଭାବେ ଆଲୋଚନା ହୋଇଛି। ବୈଠକରେ ନିଆଯାଇଥିବା ପଦକ୍ଷେପଗୁଡିକୁ ଉଭୟ ପକ୍ଷ ଲାଗୁ କରିବାକୁ ସହମତି ଦେଇଛନ୍ତି।

ସୀମାରେ ସଂଯମ ରକ୍ଷା କରିବାକୁ ଦୁଇ ଦେଶ ସହମତ ଅଛନ୍ତି ଏବଂ କୌଣସି ଭୁଲ ବୁଝାମଣାର ଶିକାର ହେବେନାହିଁ ବୋଲି କହିଛନ୍ତି। ଖୁବ ଶୀଘ୍ର ଦୁଇ ଦେଶ ମଧ୍ୟରେ ଆଉ ଏକ ବୈଠକ ହେବାକୁ ନେଇ ଜୋର ଦିଆଯାଇଛି ଯାହାଫଳରେ ଆଗକୁ କଥାବାର୍ତ୍ତା ସ୍ପଷ୍ଟ ହୋଇପାରିବ।

ସୂଚନାଯୋଗ୍ୟ ଯେ, ଭାରତ ଓ ଚୀନ ମଧ୍ୟରେ ଗତ ଏପ୍ରିଲ ମାସରୁ ଏଲଏସିରେ ସୀମା ବିବାଦ ଜାରି ରହିଛି। ଜୁନ ୧୪ ତାରିଖରେ ଗଲୱାନ୍ ଘାଟିରେ ଦୁଇ ଦେଶର ସେନାଙ୍କ ମଧ୍ୟରେ ହିଂସା ଘଟଣା ପରେ ବିବାଦ ଉଗ୍ର ରୂପ ନେଇଥିଲା। ଏହି ହମଲାର ଭାରତର ୨୦ ଯବାନ ଶହୀଦ ହୋଇଥିଲେ। ଏହି ହିଂସା ଘଟଣାରେ ଚୀନ ସେନା ମଧ୍ୟ ଗମ୍ଭୀର ଆହତ ହୋଇଥିଲେ। କିନ୍ତୁ ଚୀନର କେତେ ସେନା ପ୍ରାଣ ହରାଇଥିଲେ ସେ ସମ୍ପର୍କରେ ଏବେ ସୁଦ୍ଧା ଚୀନ କିଛି ସ୍ପଷ୍ଟ କରିନାହିଁ।

Spread the love