July 27, 2024

Satya News

odia news channel

ଚୀନରୁ କଟକ ଯାଏ ‘କରୋନା କୋରଡ଼’

ନୂଆଦିଲ୍ଲୀ,୪/୨: କରୋନା ଭାଇରସ୍ ସଂକ୍ରମଣ ଚୀନ୍‌ରେ ଭୟାବହ ପରିସ୍ଥିତି ସୃଷ୍ଟି କରିଥିଲାବେଳେ ଭାରତ ସମେତ ବିଶ୍ୱର ୨୬ଟି ରାଷ୍ଟ୍ରରେ ଏହି ଭୂତାଣୁ ଯୋଗୁଁ ଆତଙ୍କ ଖେଳିଯାଇଛି। ଚୀନ୍‌ରେ କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁସଂଖ୍ୟା ୪୨୫ରେ ପହଞ୍ଚିଥିଲାବେଳେ ସେଠାରେ ୨୦ହଜାରରୁ ଅଧିକ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଚୀନ୍‌ର ୱୁହାନ ପ୍ରଦେଶରେ ବହୁ ସଂକ୍ରମିତଙ୍କ ପ୍ରାଣହାନି ଘଟିବା ପରେ ବିଶ୍ୱବାସୀ ଛାନିଆ ହୋଇଯାଇଛନ୍ତି। ଭାରତ ଓ ଚୀନ୍ ବ୍ୟତୀତ ପ୍ରାୟ ୨୫ଟି ଦେଶରେ ଏହି ଭୂତାଣୁର ସଂକ୍ରମଣ ଦେଖାଦେଇଛି। ସେହି ଦେଶଗୁଡ଼ିକ ହେଲା ଜାପାନ, ଥାଇଲାଣ୍ଡ, ସିଙ୍ଗାପୁର, ଦକ୍ଷିଣ କୋରିଆ, ହଂକଂ, ଅଷ୍ଟ୍ରେଲିଆ, ତାଇୱାନ, ମାଲେସିଆ, ଆମେରିକା, ଜର୍ମାନୀ, ମାକାଓ, ଭିଏତନାମ, ଫ୍ରାନ୍ସ, ୟୁଏଇ, କାନାଡ଼ା, ଇଟାଲୀ, ବ୍ରିଟେନ୍‌, ଫିଲିପାଇନ୍ସ, ରୁଷିଆ, କାମ୍ବୋଡ଼ିଆ, ଫିନଲାଣ୍ଡ, ନେପାଳ, ଶ୍ରୀଲଙ୍କା, ସ୍ପେନ୍ ଓ ସ୍ୱିଡେନ୍। ଇତିମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ୯ ଛୁଇଁଛି। କାଲିଫର୍ଣ୍ଣିଆରେ ୪, ଇଲିନୋଇସ୍‌ରେ ୨, ମାସାଚୁସେଟ୍‌ସ, ୱାଶିଂଟନ୍ ଓ ଆରିଜୋନାରେ ଜଣେ ଲେଖାଏଁ କରୋନା ଭାଇରସ୍‌ରେ ପୀଡ଼ିତ ଥିବା ଆଶଙ୍କା କରାଯାଉଛି। ଫେବୃଆରୀ ୩ରୁ ମସ୍କୋ-ବେଜିଂ ମଧ୍ୟରେ ଟ୍ରେନ୍ ଚଳାଚଳ ବନ୍ଦ କରିଛି ରୁଷିଆ। ଡିସେମ୍ବର ଶେଷ ଆଡ଼କୁ ଚୀନ୍‌ର ୱୁହାନ ସହରରେ ପ୍ରଥମ କରୋନା ଭାଇରସ୍ ସଂକ୍ରମଣ ମାମଲା ସରକାରଙ୍କ ଦୃଷ୍ଟିକୁ ଆସିଥିଲାବେଳେ ମାତ୍ର ଗୋଟିଏ ମାସ ଭିତରେ ଉକ୍ତ ଭାଇରସ୍ ଚୀନ୍ ପରେ ପ୍ରାୟ ୨୬ଟି ଦେଶକୁ ବ୍ୟାପିଗଲାଣି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସ୍ୱାସ୍ଥ୍ୟ ସଂକ୍ରାନ୍ତ ଜରୁରୀ ପରିସ୍ଥିତି ଘୋଷଣା କରାଯିବା ସହ କରୋନା ମୁକାବିଲା ପଦକ୍ଷେପ ଗ୍ରହଣ ପରେ ବହୁ ରାଷ୍ଟ୍ର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି।

carona virus terror in world
carona virus terror in world

କେରଳରେ ସୋମବାର କରୋନା ଭାଇରସ୍ ସଂକ୍ରମିତ ତୃତୀୟ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ଚୀନ୍‌ରୁ ଫେରିଥିବା ଜଣାପଡ଼ିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଚୀନ୍ ନଯିବା ପାଇଁ ସାନି ସତର୍କତା ଜାରି କରାଯାଇଛି। ଏହାବ୍ୟତୀତ ସଂକ୍ରମଣ ରୋକିବା ଲାଗି ପଦକ୍ଷେପ ନେବା ନିମନ୍ତେ ଏକ ମନ୍ତ୍ରୀସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି। କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ରାଜ୍ୟରେ ତୃତୀୟ ରୋଗୀ ଚିହ୍ନଟ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କାଶରଗଡ଼ ଜିଲ୍ଲାରେ ଏହି ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ସେ କହିଛନ୍ତି। ଏହି ଆକ୍ରାନ୍ତ ଜଣକ ଚୀନ୍‌ର ୱୁହାନରୁ ଫେରିଥିଲେ। ତାଙ୍କଠାରେ କରୋନା ଭୂତାଣୁ ସଂକ୍ରମଣ ଚିହ୍ନଟ ହେବାପରେ ତାଙ୍କୁ ଡାକ୍ତରଖାନାରେ ପୃଥକ୍ ଭାବେ ରଖି ଚିକିତ୍ସା କରାଯାଉଛି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି ଶୈଳଜା ପ୍ରକଶ କରିଛନ୍ତି। ଏହି ପରିପ୍ରେକ୍ଷୀରେ କରୋନା ଭାଇରସ୍ ସଂକ୍ରମଣକୁ କେରଳରେ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପିକେ ମିଶ୍ର ସୋମବାର ଦେଶରେ କରୋନା ଭୂତାଣୁ ମୁକାବିଲା ସ୍ଥିତିର ସମୀକ୍ଷା କରିଛନ୍ତି। ଏଥିସହ ସେ ଚୀନରୁ ଉଦ୍ଧାର ହୋଇଥିବା ୬୦୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କ ପାଇଁ ହୋଇଥିବା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ମନ୍ତ୍ରୀ ଗୋଷ୍ଠୀ ଗଠନ କରାଯାଇଛି। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ ଜୟଶଙ୍କର, ଗୃହ ରାଷ୍ଟ୍ର ମନ୍ତ୍ରୀ ଜି କିଷନ ରେଡ୍ଡୀ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ, ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ମନସୁଖ ଲାଲ ମାଣ୍ଡଭ୍ୟ ପ୍ରମୁଖଙ୍କୁ ସାମିଲ କରାଯାଇଛି। ଏହି ମନ୍ତ୍ରୀ ଗୋଷ୍ଠୀ ଦେଶରେ କରୋନା ଭୂତାଣୁ ମୁକାବିଲା ପାଇଁ ପ୍ରସ୍ତୁତି ଅନୁଧ୍ୟାନ କରିବେ। କରୋନା ଭୂତାଣୁ ମୁକାବିଲା ସଂକ୍ରାନ୍ତରେ ପୂର୍ବରୁ ଜାରି କରାଯାଇଥିବା ସତର୍କ ସୂଚନାକୁ ସଂଶୋଧନ କରାଯାଇ ପୁନର୍ବାର ଜାରି କରାଯାଇଥିବାବେଳେ ସଂଶୋଧିତ ଚେତାବନୀରେ ଯାତ୍ରୀମାନଙ୍କୁ ଚୀନ୍ ଯାତ୍ରା ନକରିବା ଲାଗି ସତର୍କ କରିଦିଆଯାଇଛି। ଏଥିସହ ଚୀନ୍ ପାସପୋର୍ଟଧାରୀଙ୍କ ପାଇଁ ଇ-ଭିସା ସୁବିଧାକୁ ଅସ୍ଥାୟୀ ଭାବେ ସ୍ଥଗିତ କରାଯାଇଛି। ଚୀନ ନାଗରିକମାନଙ୍କୁ ପୂର୍ବରୁ ଜାରି କରାଯାଇଥିବା ଇ-ଭିସା ଅସ୍ଥାୟୀ ଭାବେ ବୈଧ ହେବନାହିଁ। ଚୀନରୁ ଫିଜିକାଲ ଭିସା ପାଇଁ ଅନ୍‌ଲାଇନ୍ ଆବେଦନ ଦାଖଲ ସୁବିଧା ମଧ୍ୟ ସ୍ଥଗିତ ରଖାଯାଇଛି।

carona virus terror in world
carona virus terror in world

ଏପଟେ କରୋନା ଭାଇରସ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି। ଭାଇରସର ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। କରୋନା ପାଇଁ ଏମ୍ସ, ଏସସିବି ଓ ବୁର୍ଲାରେ ସ୍ୱତନ୍ତ୍ର ବେଡ୍ ବ୍ୟବସ୍ଥା କରାଯାଇଛି। ସେହିପରି ବିମାନ ବନ୍ଦର ଥିବାରୁ ଝାରସୁଗୁଡା ମେଡିକାଲରେ ବି ବ୍ୟାପକ ବ୍ୟବସ୍ଥା କରାଯାଇଛି। ପାରାଦୀପ ପୋର୍ଟକୁ ମଧ୍ୟ ଆଲର୍ଟ କରାଯାଇଛି। କୋରୋନା ଭାଇରସ୍‌ ଚିକିତ୍ସା ପାଇଁ କଟକ ଏସ୍‌ସିବି ମେଡିକାଲ କଲେଜ ହସ୍ପିଟାଲରେ ୮ଟି ଆଇସିୟୁ ଓ ୪୦ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ କରୋନା ଭାଇରସ୍‌ ପାଇଁ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ୪ଟି ଜରୁରୀକାଳୀନ ନମ୍ବର ଜାରି କରାଯାଇଛି। ଏହି ଜରୁରୀକାଳୀନ ନମ୍ବରଗୁଡ଼ିକରେ ଲୋକେ କରୋନା ଭାଇରସ୍‌ ସମ୍ପର୍କିତ କିଛି ସୂଚନା ଥିଲେ କଲ କରିପାରିବେ। କଣ୍ଟ୍ରୋଲ ରୁମ୍‌କୁ ଯୋଗାଯୋଗ କରିବା ପାଇଁ ନମ୍ବରଗୁଡ଼ିକ ହେଲା, ୦୬୭୪-୨୩୯୦୪୬୬, ୯୪୩୯୯୯୪୮୫୭, ୯୪୩୯୯୯୧୨୨୧ ଓ ୯୪୩୭୦୪୦୫୬୪।
ଅନ୍ୟପକ୍ଷରେ ଓଡ଼ିଶାର ୫ ସନ୍ଦିଗ୍ଧଙ୍କ ରକ୍ତ ପରୀକ୍ଷା ରିପୋର୍ଟ ମଙ୍ଗଳବାର ହସ୍ତଗତ ହୋଇଥିବାବେଳେ ସେମାନେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇନଥିବା ସ୍ପଷ୍ଟ ହୋଇଛି। କନ୍ଧମାଳର ବାସିନ୍ଦା କରୋନା ସନ୍ଦିଗ୍ଧ ଚୀନ୍‌ ଫେରନ୍ତା ଡାକ୍ତରୀ ଛାତ୍ର କରୋନା ଭାଇରସ୍‌ ଆକ୍ରାନ୍ତ ନୁହନ୍ତି ବୋଲି ମେଡିକାଲ୍ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦେଶକ ଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି। ସମ୍ପୃକ୍ତ ଡାକ୍ତରୀ ଛାତ୍ରଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ଏଥିସହ ଓଡ଼ିଶାରୁ ଯେଉଁ ଛଅଜଣ କରୋନା ସନ୍ଦିଗ୍ଧଙ୍କର ସ୍ୱାସ୍ଥ୍ୟ ପରୀକ୍ଷଣ ରିପୋର୍ଟ ପୁନେକୁ ପଠାଯାଇଥିଲା, ସେଥିମଧ୍ୟରୁ ୫ଜଣଙ୍କର ହସ୍ତଗତ ହୋଇଥିବାବେଳେ ସମସ୍ତଙ୍କର ରିପୋର୍ଟ ନେଗେଟିଭ୍ ଆସିଛି।

Spread the love