July 27, 2024

Satya News

odia news channel

ଅଣ୍ଡର-୧୯ ୟୁଥ୍ ୱାର୍ଲ୍ଡକପ୍ କ୍ରିକେଟ: ପାକିସ୍ତାନର ଶୋଚନୀୟ ପରାଜୟ, ଫାଇନାଲରେ ଭାରତ

ପୋଚେଫଷ୍ଟ୍ରୁମ୍‌,୫/୨: ପାକିସ୍ତାନକୁ ୧୦ ୱିକେଟରେ ପରାସ୍ତ କରି ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ଏଠାରେ ଚାଲିଥିବା ଅଣ୍ଡର-୧୯ ୟୁଥ୍ ୱାର୍ଲ୍ଡକପ୍ କ୍ରିକେଟ ଫାଇନାଲରେ ପ୍ରବେଶ କରିଛି। ଆସନ୍ତା ୯ରେ ହେବାକୁ ଥିବା ଫାଇନାଲରେ ଭାରତର ମୁକାବିଲା ନ୍ୟୁଜିଲାଣ୍ଡ କିମ୍ବା ବାଂଲାଦେଶ ସହ ଅନୁଷ୍ଠିତ ହେବ। ଏଥିସହ ଭାରତ କ୍ରମାଗତ ତୃତୀୟ ଏବଂ ମୋଟ୍‌ ୭ମ ଥର ୟୁଥ୍ ୱାର୍ଲ୍ଡକପ୍ ଫାଇନାଲରେ ପ୍ରବେଶ କରିଛି। ସେନ୍‌ୱେସ୍ ପାର୍କରେ ମଙ୍ଗଳବାର ଏହି ମେଗା ଜୁନିୟର କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ଖେଳାଯାଇଥିଲା। ଏଥିରେ ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ, ଭାରତ ଆଗରେ ମାତ୍ର ୧୭୩ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ଭାରତ କୌଣସି ୱିକେଟ ନହରାଇ ୩୫.୨ ଓଭରରେ ଏହି ଲକ୍ଷ୍ୟ ହାସଲ କରିନେଇଥିଲା। ଭାରତ ପକ୍ଷରୁ ଓପନର ଯଶସ୍ୱୀ ଜୟସ୍ୱାଲ ୧୧୩ ବଲ୍‌ରେ ୮ଚୌକା ଓ ୪ଛକା ସହ ୧୦୫ ଏବଂ ଦିବ୍ୟାଂଶ ସକ୍ସେନା ୯୯ବଲ୍‌ରେ ୬ଚୌକା ସହ ୫୯ ରନ୍‌ରେ ଅପରାଜିତ ରହିଥିଲେ। ଜୟସ୍ୱାଲଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା। ପୂର୍ବରୁ ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତର ଫାଷ୍ଟ ବୋଲର କାର୍ତ୍ତିକ ତ୍ୟାଗୀ ଓ ସୁଶାନ୍ତ ମିଶ୍ରଙ୍କୁ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ଆଦୌ ସାମ୍ନା କରିପାରି ନଥିଲେ। ପାକିସ୍ତାନର ଇନିଂସ ଶୀଘ୍ର ଶେଷ ହୋଇଯିବ ବୋଲି ପ୍ରତୀୟ ହେଉଥିବାବେଳେ ଟୁର୍ଣ୍ଣାମେଣ୍ଟ ସାରା ବିଫଳ ହୋଇଥିବା ଓପନର ହାଇଦର ଅଲ୍ଲୀଙ୍କ ୫୬ ଓ ଅଧିନାୟକ ରୋହେଲ ନାଜିରଙ୍କ ୬୨ ରନ୍ ସହାୟତାରେ ପାକିସ୍ତାନ ୧୫୦ ରନ୍ ପୂରଣ କରିବାକୁ ସମର୍ଥ ହୋଇଥିଲା। ଭାରତ ପକ୍ଷରୁ ଫାଷ୍ଟ ବୋଲର ସୁଶାନ୍ତ ମିଶ୍ର ୩ଟି, କାର୍ତ୍ତିକ ତ୍ୟାଗୀ ୨ଟି ଓ ଲେଗ୍ ସ୍ପିନର ରବି ବିଷ୍ଣୋଇଙ୍କୁ ୨ଟି ୱିକେଟ ମିଳିଥିଲା।

Spread the love