July 27, 2024

Satya News

odia news channel

ସୁଧୁରୁନି ଇସ୍କନ: ଗୁଣ୍ଡିଚାରୁ ବାହୁଡ଼ା ମଧ୍ୟରେ କରିପାରେ ରଥଯାତ୍ରା

ଭୁବନେଶ୍ୱର,୧୧/୨: ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ ସୁଧୁରିବାର ନାଁ ଧରୁନାହିଁ। କେବଳ ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ରଥଯାତ୍ରା କରିବା ପାଇଁ ଇସ୍କନକୁ କୁହାଯାଉଥିବାବେଳେ ସଂସ୍ଥା କିନ୍ତୁ ଏଥିରେ ଅରାଜି ହେଉଛି। ଇସ୍କନର ଜାତୀୟ ପ୍ରବକ୍ତା ଯୁଧିଷ୍ଠିର ଦାଶ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ଭୌଗୋଳିକ ଦୃଷ୍ଟିକୋଣରୁ ପୁରୀ ସହ ବିଶ୍ୱର ସବୁ ସ୍ଥାନରେ ଏକା ସାଙ୍ଗରେ ରଥଯାତ୍ରା କରିବା ସମ୍ଭବ ନୁହେଁ। ତେଣୁ ଗତବର୍ଷ ଇସ୍କନର ଗଭର୍ଣ୍ଣିଂ କାଉନ୍‌ସିଲ ବୈଠକରେ ଏହି ବିଷୟରେ ଆଲୋଚନା ହେବାସହ ଶ୍ରୀଗୁଣ୍ଡିଚାରୁ ୧୨ ଦିନ ଭିତରେ ରଥଯାତ୍ରା ସାରିବା ପାଇଁ ନଷ୍ପତ୍ତି ହୋଇଥିବା ସେ କହିଛନ୍ତି। ଏଥିସହ ଅନ୍ୟ ଦୁଇଟି ତାରିଖରେ ମଧ୍ୟ ରଥଯାତ୍ରା ଆୟୋଜନ କରିବା ନେଇ ଆଲୋଚନା ଚାଲିଥିବା ଏବଂ ଏ ସମ୍ପର୍କରେ ଆସନ୍ତା ଏପ୍ରିଲରେ ବସିବାକୁ ଥିବା ବୈଠକରେ ଚୁଡ଼ାନ୍ତ ନିଷ୍ପତ୍ତି ଆସିବ ବୋଲି ଶ୍ରୀ ଦାଶ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ଶ୍ରୀପଞ୍ଚମୀରେ ସଂସ୍ଥା ପକ୍ଷରୁ ମୁମ୍ବାଇରେ ରଥଯାତ୍ରା ପାଳନ କରାଯାଇଥିଲା। ଏହାକୁ ନେଇ ବିବାଦ ତୀବ୍ର ହେବା ସହ ବହୁ ଜଗନ୍ନାଥପ୍ରେମୀ ଇସ୍କନ କରିଥିବା ଏଭଳି ମନୋଭାବକୁ ନାପସନ୍ଦ କରିଥିଲେ। ମୁମ୍ବାଇର ଶିବାଜୀ ପାର୍କରୁ ଏହି ରଥଯାତ୍ରା ଆରମ୍ଭ ହୋଇଥିବାବେଳେ ଗୋଟିଏ ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବସାଇ ରଥଯାତ୍ରା ସମ୍ପନ୍ନ କରାଯାଇଥିଲା। ଏ ନେଇ ବିଭିନ୍ନ ସଂସ୍ଥା ଇସ୍କନ ନାଁ’ରେ ଥାନାରେ ଅଭିଯୋଗ କରିଥିଲେ।

Spread the love