July 27, 2024

Satya News

odia news channel

କରୋନା ମୁକାବିଲାରେ ସେନା ବାହିନୀର ୬୦୦ ଅବସରପ୍ରାପ୍ତ ଡାକ୍ତର ନିୟୋଜିତ

 

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, କୋଭିଡ୍‍ ମହାମାରୀ ସଂକ୍ରମଣକୁ ପରାହତ କରିବାପାଇଁ ଦେଶର ସଶସ୍ତ୍ର ବାହିନୀ ବେସାମରିକ ପ୍ରଶାସନକୁ ସବୁପ୍ରକାର ସାହାଯ୍ୟ ଯୋଗାଇ ଦେବ। ଶ୍ରୀ ସିଂହ ପ୍ରତିରକ୍ଷା ମନ୍ତ୍ରଣାଳୟ ଓ ତିନି ବାହିନୀର ଅଧିକାରୀମାନଙ୍କୁ ସରକାରଙ୍କର ବିଭିନ୍ନ ପଦକ୍ଷେପଗୁଡ଼ିକୁ ତଦାରଖ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍‍ ମହାମାରୀ ବିରୋଧରେ ସଂଗ୍ରାମକୁ ମଜବୁତ୍‍ କରିବା ପାଇଁ ସଶସ୍ତ୍ର ବାହିନୀର ପ୍ରସ୍ତୁତି ଓ ଉଦ୍ୟମକୁ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ସମୀକ୍ଷା କଲାବେଳେ ଶ୍ରୀ ସିଂହ ଏହି ନିର୍ଦ୍ଦେଶ ଦେଇଛନ୍ତି।

ସଶସ୍ତ୍ର ବାହିନୀର ପାଖାପାଖି ୬୦୦ ଅବସରପ୍ରାପ୍ତ ଅତିରିକ୍ତ ଡାକ୍ତରଙ୍କୁ ଏହି ଅଭିଯାନରେ ସାମିଲ୍‍ କରାଯାଇଛି। ଭାରତୀୟ ନୌବାହିନୀ ପକ୍ଷରୁ ବିଭିନ୍ନ ହସ୍ପିଟାଲରେ ୨୦୦ ନର୍ସଙ୍କୁ ମହାରାଷ୍ଟ୍ର, ଉତ୍ତରାଖଣ୍ଡ ଓ ହରିୟାଣାର ବିଭିନ୍ନ ଡାକ୍ତରଖାନାରେ ନିୟୋଜିତ କରାଯାଇଛି। ଘରେ ରହି ଚିକିତ୍ସିତ ହେଉଥିବା ଲୋକମାନଙ୍କୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଟେଲି-ମେଡିସିନ୍‍ ସେବା ମାଧ୍ୟମରେ ଖୁବ୍‍ଶୀଘ୍ର ପରାମର୍ଶ ଦେବେ। ଭାରତୀୟ ପଦାତିକ ବାହିନୀ ପକ୍ଷରୁ ବିଭିନ୍ନ ରାଜ୍ୟରେ ଲୋକମାନଙ୍କ ପାଇଁ ୭୨୦ଟି ଶଯ୍ୟା ଉପଲବ୍ଧ କରାଯାଇଛି। ଲକ୍ଷ୍ନୌ ଡିଆରଡିଓ ପରିସରରେ ଦୁଇ ତିନି ଦିନ ମଧ୍ୟରେ ୫୦୦ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ୍‍ ସ୍ଥାପନ କରାଯିବ ଏବଂ ଆସନ୍ତା ୫ ତାରିଖ ସୁଦ୍ଧା ବାରାଣାସୀରେ ମଧ୍ୟ ଡି.ଆର୍‍.ଡି.ଓ. ଏକ ହସ୍ପିଟାଲ୍‍ ସ୍ଥାପନ କରିବ। ଆସନ୍ତା ସପ୍ତାହ ସୁଦ୍ଧା ୩୮୦ଟି ପି.ଏସ୍‍.ଏ. ଅକ୍ସିଜେନ୍‍ ପ୍ଲାଣ୍ଟ୍‍ ନୂଆଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ସ୍ଥାପନ କରାଯିବ ବୋଲି କୁହାଯାଇଛି।

Spread the love