July 1, 2025

ସୁଲେମାନୀ ନିହତ ହେବା ପରେ ଏମିତି ଖୁସି ମନାଇଲେ ଟ୍ରମ୍ପ

ନୂଆଦିଲ୍ଲୀ,୪/୧:  ଇରାନର ଜେନେରାଲ କାସିମ୍‌ ସୁଲେମାନୀ ନିହତ ହେବା ପରେ ତାଙ୍କ ମୃତ୍ୟୁକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ସବୁଠୁ ଅଧିକ ଖୁସି ଅଛନ୍ତି। ସେ ଏବେ ଫ୍ଲୋରିଡାରେ ଛୁଟି କାଟୁଥିବାବେଳେ ସୁଲେମାନୀଙ୍କ ମୃତ୍ୟୁ ଖବର ଜାଣିବାକୁ ପାଇଥିଲେ। ତେବେ ପ୍ରଥମେ ସେ ଆଇସକ୍ରିମ୍‌ ଖାଇ ଖୁସି ମନାଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ସୁଲେମାନୀ ନିହତ ହେବା ଖବର ଆସିବା ପରେ ମାର-ଏ-ଲୋଗୋ କ୍ଲବକୁ ଯାଇ ଟ୍ରମ୍ପ ଆଇସକ୍ରିମ ଖାଇଥିଲେ। ଏଥିସହ ଏୟାର ଷ୍ଟ୍ରାଇକର କିଛି ସମୟ ପରେ ଟ୍ରମ୍ପ ଆମେରିକାର ଜାତୀୟ ପତାକା ଟ୍ଵିଟ୍‌ କରି ଏ ସମ୍ପର୍କରେ ବାର୍ତ୍ତା ଦେବାକୁ ଚେଷ୍ଟା କରିଥିଲେ। ଏଥିରେ କୌଣସି ଲେଖ‌ା ନଥିଲା। ତେବେ ଶନିବାର ଟ୍ରମ୍ପ ମିଡିଆ ଆଗରେ ଏ ସମ୍ପକରେ ସ୍ପଷ୍ଟ କରିଛନ୍ତି। ସେ ଏହି ଆକ୍ରମଣ ଲାଗି ନିର୍ଦ୍ଦେଶ ଦେଇଥିବାବେଳେ ଯୁଦ୍ଧକୁ ବନ୍ଦ କରିବା ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ପ୍ରକାଶ କରିଥିଲେ। ଏଥିସହ ଇରାନରେ କ୍ଷମତା ପରିବର୍ତ୍ତନ କରିବାକୁ ସେ ଚାହୁଁ ନଥିବା ପ୍ରକାଶ କରିଥିଲେ। ତେବେ ସୁଲେମାନୀ ଆମେରିକାର ରାଷ୍ଟ୍ରଦୂତ ଓ ସୈନିକଙ୍କ ଉପରେ ଆକ୍ରମଣ କରିବାର ଯୋଜନା କରୁଥିବାରୁ ତାଙ୍କୁ ପାଲଟା ଜବାବ୍‌ ଦିଆଯାଇଥିବା ଟ୍ରମ୍ପ କହିଛନ୍ତି। ସୂଚନାଯୋଗ୍ୟ, ସିରିଆରେ ୨୦୧୭ରେ ମିସାଇଲ୍‌ ଆକ୍ରମଣ ପରେ ଟ୍ରମ୍ପ ଚକୋଲେଟ୍‌ ଖାଇ ଖୁସି ମନାଇଥିଲେ।

Spread the love