February 15, 2025

କୁହୁଡି ହେଲା କାଳ: ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ମୃତ

ସାଗର,୪/୧: ମଧ୍ୟପ୍ରଦେଶ ସାଗର ଜିଲ୍ଲାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଏଥିରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି। ମୃତ ପାଇଲଟ୍ ଦ୍ବୟ ହେଲେ ଅଶୋକ ମକୱାନା ଏବଂ ଟ୍ରେନି ପାଇଲଟ୍ ପୀୟୁଷ ଚଣ୍ଡେଲ। ସାଗର ଜିଲ୍ଲାଠାରୁ ୧୪ କିଲୋମିଟର ଦୂରରେ ଥିବା ଢାନା ବିମାନବନ୍ଦର ନିକଟରେ ଏହି ଦୁର୍ଘଟଣା ଘଟିଛି। ଘନ କୁହୁଡି ଯୋଗୁଁ ବିମାନଟି ଦୁର୍ଘଟଣାର ଶିକାର ହୋଇଥିବା ଆଶଙ୍କା କରାଯାଉଛି। ଲ୍ୟାଣ୍ଡିଂ କରିବା ସମୟରେ ପାଇଲଟ୍ ରନଓ୍ବେ ଛାଡି ଅନ୍ୟ ସ୍ଥାନରେ ଲ୍ୟାଣ୍ଡ କରାଇଦେବା ଫଳରେ ବିମାନଟି ଏକ ବିଲରେ ଖସିପଡ଼ିଥିଲା। ତେବେ ଦୁର୍ଘଟଣାଗ୍ରସ୍ତ ବିମାନଟି ଏଭିଏସନ ଏକାଡେମୀର ବୋଲି ଜଣାପଡ଼ିଛି। ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସେଠାରୁ ଜଣଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ଏ ନେଇ ଟ୍ବିଟ୍ ଜରିଆରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଶୋକପ୍ରକାଶ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି।

Spread the love